ଆରୟନ ଖାନ୍‌ଙ୍କୁ କାହିଁକି ମିଳିଲା କ୍ଲିନଚିଟ୍‌? ଜାଣନ୍ତୁ ପରଦା ପଛର କାହାଣୀ

ମୁମ୍ବାଇ: ବହୁଚର୍ଚ୍ଚିତ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏନ୍‌ସିବି (ନା‌ର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ) ଶୁକ୍ରବାର ଦିନ ଚାର୍ଜସିଟ୍‌ ଦାଖଲ କରିଥିଲା ଓ ଏହି ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆରୟନ ଖାନ୍‌ଙ୍କୁ କ୍ଲିନଚିଟ୍‌ ମିଳିଥିଲା | ତେବେ ପୂର୍ବରୁ ଗିରଫ ହୋଇଥିବା ଆରୟନଙ୍କୁ କାହିଁକି କ୍ଲିନଚିଟ ମିଳିଲା ସେନେଇ ସତ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଆରୟନ କ୍ରୁଜ ମଧ୍ୟକୁ ଡ୍ରଗ୍ସ ନେବାକୁ ସମର୍ଥନ କରିନଥିଲେ ବରଂ ବାରଣ କରିଥିଲେ | ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ୧୪ ଜଣଙ୍କ ମଧ୍ୟରୁ ଅରବାଜ ମର୍ଚାଣ୍ଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କୁ କହିଛନ୍ତି ଯେ ପାର୍ଟିକୁ ଡ୍ରଗ୍ସ ଆଣିବା ବିରୋଧରେ ତାଙ୍କୁ ଚେତାବନୀ ଦିଆଯାଇଥିଲା ।

ଏହି ଚେତାବନୀ ଆଉ କେହି ଦେଇନଥିଲେ ବରଂ ଆରୟନ ହିଁ ଥିଲେ | ଆରୟନ ଅରବାଜଙ୍କୁ କହିଥିଲେ ଯେ ଏନସିବି ଅତ୍ୟନ୍ତ ସକ୍ରିୟ ରହିଛି, ତେଣୁ ପାର୍ଟିରେ କୌଣସି ପ୍ରକାରର ଡ୍ରଗ୍ସ ନେବା ଉଚିତ ହେବ ନାହିଁ | ଏନସିବିର ଉପମହାନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ ପିଟିଆଇକୁ କହିଛନ୍ତି, “ଅରବାଜ୍ ମର୍ଚାଣ୍ଟ ଆରୟନ ଖାନଙ୍କ ପାଇଁ ଡ୍ରଗ୍ସ ନେଇନଥିଲେ ବୋଲି କହିଥିଲେ ।

ବାସ୍ତବରେ ସେ ଏସଆଇଟିକୁ କହିଥିଲେ ଯେ କ୍ରୁଜକୁ ଡ୍ରଗ୍ସ ଯେଭଳି ନ ନିଆଯିବ ସେଉପରେ ଆରୟନ ଜୋର ଦେଇଥିଲେ | ସେ ବାରମ୍ବାର ଅରବାଜଙ୍କୁ କହିଥିଲେ ଯେ ଏନସିବି ସକ୍ରିୟ ଥିବାରୁ ଡ୍ରଗ୍ସ ଆଣିବ ନାହିଁ | ଆରୟନ ମନା କରିବା ସତ୍ତ୍ୱେ ଅରବାଜ୍ ଡ୍ରଗ୍ସ ନେଇଯାଇଥିଲେ | ତେଣୁ ଆରୟନଙ୍କୁ କ୍ଲିନଚିଟ୍‌ ଦିଆଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆରୟନ ଖାନଙ୍କୁ ୩ ଅକ୍ଟୋବରରେ ଗିରଫ କରାଯାଇଥିଲା ଏବଂ ପ୍ରାୟ ଏକ ମାସ ଜେଲରେ ରହିଥିଲେ। ଦୀର୍ଘ ଦିନର ନ୍ୟାୟିକ ଲଢେଇ ପରେ ସେ ୨୮ ଅକ୍ଟୋବରରେ ଜାମିନ ପାଇଥିଲେ ଏବଂ ୩୦ ଅକ୍ଟୋବରରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର