କାହିଁକି ତ୍ୟାଗ କଲେ ଫଡ଼ନବୀସ୍? ଜାଣନ୍ତୁ କ’ଣ ପାଇଁ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ରରେ କିଛି ଦିନ ଧରି ଚାଲିଥିବା ରାଜନୈତିକ କଳହର ଏବେ ଅନ୍ତ ଘଟିଛି। ଠାକରେ ସରକାରଙ୍କ ପତନ ଘଟିବା ସହ ଆଜି ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଗତକାଲିଠାରୁ କଳ୍ପନାଜଳ୍ପନା ଲାଗି ରହିଥିଲା ଯେ ଦେବେନ୍ଦ୍ର ଫଡନବୀସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଏବଂ ଏକନାଥ ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ। କିନ୍ତୁ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଦେବେନ୍ଦ୍ର ଫଡନବୀସ୍ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ।

ତେବେ ହାତକୁ ମୁଖ୍ୟମନ୍ତ୍ରୀ ପଦ ଆସି ବି ଏହାକୁ ହାତଛଡ଼ା କରିବା ପଛରେ ବଡ଼ କାରଣ ରହିିଛି। ୧୦ଦିନ ମଧ୍ୟରେ ରାଜନୀତି କେମିତି କରିବାକୁ ହୁଏ ଏବଂ ହରାଇଥିବା କ୍ଷମତାକୁ ପୁଣି ଥରେ କେମିତି ହାସଲ କରିବାକୁ ହୁଏ, ତାହା ବିରୋଧୀଙ୍କୁ ଶିଖାଇଛି ବିଜେପି। ତେବେ ବାଜି ମାରିବା ପରେ ବି ବିଜେପି ନିଜ ଦଳରୁ କାହାକୁ ମୁଖ୍ୟମନ୍ତ୍ରୀ ନକରି ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଘୋଷଣା ସମସ୍ତଙ୍କୁ ଚକିତ କରିଛି।

କୁହାଯାଉଛି ଯେ, ସିନ୍ଦେଙ୍କ ସହ ୩୯ ଶିବସେନା ବିଧାୟକ ସାମିଲ ହୋଇ ଉଦ୍ଧବ ସରକାରଙ୍କୁ ବିରୋଧ କରିବା ପରେ ଉଦ୍ଧବ ଠାକରେଙ୍କ କ୍ୟାମ୍ପ କ୍ରମାଗତ ଭାବରେ ବିଜେପିକୁ ଖଳନାୟକ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଥିଲା। କ୍ଷମତା ଲୋଭରେ ବିଜେପି ଏଭଳି ଶିବସେନା ବିଧାୟକଙ୍କୁ ଉସୁକାଇ ବିଦ୍ରୋହ କରିବାକୁ କହିଥିବା ନେଇ ଅଭିଯୋଗ କରିଥିଲେ ଠାକରେଙ୍କ ସମର୍ଥକ। ହେଲେ ଶେଷ‌ରେ ଶିବସେନାରୁ ହିଁ ଜଣକୁ ମୁଖ୍ୟମନ୍ତ୍ରୀ କରି ବିଜେପି କ୍ଷମତା ଆଶାରେ କିଛି କରିନଥିବା ପ୍ରମାଣ କରିଛି। ଏହା ଦ୍ବାରା ବିରୋଧୀଙ୍କ ମୁହଁ ବନ୍ଦ ହୋଇଯାଇଛି।

ରାଜନନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ଭବିଷ୍ୟତକୁ ଆଖି ଆଗରେ ରଖି ଫଡନବୀସ୍ ଏଭଳି ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ସହିତ ‌ବିଜେପି ଜନସାଧାରଣଙ୍କୁ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ଯେ, ଶିବସେନା ସରକାର ଭାଙ୍ଗିନାହିଁ, ବରଂ ବିଜେପି ବାଲାସାହେବ ଠାକରେଙ୍କ ନୀତିକୁ ଅନୁସରଣ କରୁଥିବା ଶିବସେନାକୁ କ୍ଷମତାକୁ ଆଣି ବାଲ ଠାକରେଙ୍କ ନୀତିକୁ ଭୁଲିସାରିଥିବା ଉଦ୍ଧବଙ୍କ ଦଳକୁ ବହିଷ୍କାର କରିଛି। ଆଗାମୀ ନିର୍ବାଚନରେ ​​ବିଜେପିକୁ ଏହାର ଲାଭ ମିଳିବ ବୋଲି ବିଶ୍ୱାସ କରାଯାଉଛି।

ସମ୍ବନ୍ଧିତ ଖବର