କେତେକ ଆସନରେ କାହିଁକି ବିଜେପି ଜିତିପାରୁନି

ଗାନ୍ଧୀନଗର: ସ୍ବାଧୀନତା ପରଠାରୁ ଅନେକ ଭାରତୀୟ ରାଜ୍ୟ ସମେତ ଗୁଜରାଟ ବି କଂଗ୍ରେସ ଶାସନାଧୀନ ଥିଲା। ୧୯୮୦ ଦଶକ ଯାଏ ଏହା ଚାଲିଥିଲା ଏବଂ ତା’ପରେ ଆସିଲା ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ। କଂଗ୍ରେସର ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେଲା ଜନତା ଦଳ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସଂରକ୍ଷଣକୁ ନେଇ ଏହା ଅନେକ ରାଜ୍ୟରେ କ୍ଷମତା ଦଖଲ କଲା। ପରେ ହିନ୍ଦୁ ଭୋଟକୁ ଏକାଠି କରିବା ପାଇଁ ବିଜେପି ପକ୍ଷରୁ ଲାଲକୃଷ୍ଣ ଆଡ଼ଭାନୀ ଗୁଜରାଟର ସୋମନାଥ ମନ୍ଦିରରୁ ଉତ୍ତରପ୍ରଦେଶର ଅଯୋଧ୍ୟା ଯାଏ ରଥଯାତ୍ରା କଲେ ଏବଂ ଦଳ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ଆହ୍ବାନ ଦେଲା। ଏହାକୁ କୁହାଗଲା ‘ମଣ୍ଡଳ ବନାମ କମଣ୍ଡଳ’। ଜନତା ଦଳ ଓ ବିଜେପିର ଅଭ୍ୟୁତ୍ଥାନ ହେଲା ଏବଂ ସେମାନେ କଂଗ୍ରେସ ବିନିମୟରେ ଗୁଜରାଟ, ଉତ୍ତରପ୍ରଦେଶ ଓ ବିହାରରେ କ୍ଷମତାକୁ ଆସିଲେ। ତା’ପରେ ୨୦୦୦ ଦଶକରେ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ଯୁଗ ଆରମ୍ଭ ହେଲା। ଦୁହେଁ ଆଡଭାନୀଙ୍କ ହିନ୍ଦୁତ୍ବ ରାଜନୀତିକୁ ଆଗକୁ ନେଇ ଗୁଜରାଟରେ ବିଜେପି ଶାସନ ପ୍ରତିଷ୍ଠା କଲେ।

ବିଜେପି ବର୍ତ୍ତମାନ ଗୁଜରାଟରେ ୨୭ ବର୍ଷ ହେଲା କ୍ଷମତାରେ ଅଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବିଜେପି ଏଠାରେ ତିନି ଦଶନ୍ଧି ଧରି ଆଧିପତ୍ୟ ବିସ୍ତାର କରିଥିଲେ ମଧ୍ୟ ବିଜେପି ବା ଏହା ପୂର୍ବ ଅବତାର ଜନସଂଘ କେତେକ ସ୍ଥାନରେ ଆଜିଯାଏ ଗୋଟିଏ ବି ଆସନ ଜିତିପାରି ନାହିଁ। ସେଗୁଡ଼ିକ ହେଉଛି: ଆନନ୍ଦ ଜିଲ୍ଲାର ବୋରସାଦ, ଭରୁଚର ଝଗଡ଼ିଆ, ତାପିର ବ୍ୟାରା, ଆରାବଳିର ଭିଲୋଡ଼ା (୧୯୯୫ ବ୍ୟତୀତ), ଖେଡ଼ାର ମହୁଧା, ଆନନ୍ଦର ଆଙ୍କଲାବ, ଅହମଦାବାଦର ଦାଣିଲିମ୍ବଡ଼ା ଓ ଦାହୋଦ ଜିଲ୍ଲାର ଗରବଡ଼ା।

ଆଉ କେତେକ ବିଧାନସଭା କ୍ଷେତ୍ର ଅଛି ଯେଉଁଠି ବିଜେପି ୨୦୦୦ ଦଶକ ମଧ୍ୟଭାଗ ପରେ ଥରେ ବା ଦୁଇଥର ଜିତିଛି ଏବଂ ତାହା ପୁଣି ଉପନିର୍ବାଚନରେ। ସେଗୁଡ଼ିକ ହେଉଛି ସାବରକାଂଠା ଜିଲ୍ଲାର ଖେଡ଼ବ୍ରହ୍ମା, ବନସ୍କଣ୍ଠର ଦନ୍ତା, ରାଜକୋଟର ଜସଦାନ ଓ ରାଜକୋଟ ଜିଲ୍ଲାର ଧୋରାଜି। ତେବେ ଆଗାମୀ ଡିସେମ୍ବର ପ୍ରଥମ ସପ୍ତାହରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ବିଜେପି ଉପରୋକ୍ତ ଆସନଗୁଡ଼ିକରେ ଜିତିପାରିବ କି? ଏ ପ୍ରଶ୍ନ ଅନେକଙ୍କ ମନରେ ଉଙ୍କିମାରିବା ସ୍ବାଭାବିକ। କାରଣ ବର୍ତ୍ତମାନ ରାଜ୍ୟରେ ରାଜନୈତିକ ଦୃଶ୍ୟପଟରେ କିଛି ପରିବର୍ତ୍ତନ ଘଟିଛି- କଂଗ୍ରେସ ଅଧିକ ଦୁର୍ବଳ ହୋଇଥିବା ବେଳେ ଆପ୍ ନିର୍ବାଚନ ମୈଦାନକୁ ଆସିଛି।
୧୯୬୦ରେ ବମ୍ବେ ରାଜ୍ୟର ଉତ୍ତର ଓ ପଶ୍ଚିମ ଭାଗକୁ ନେଇ ଗଠିତ ହେଲା ଗୁଜରାଟ ରାଜ୍ୟ ଏବଂ ଅବଶିଷ୍ଟ ଅଂଶର ନାଁ ହେଲା ମହାରାଷ୍ଟ୍ର। ଗୁଜରାଟ ରାଜ୍ୟ ଗଠନ ପରେ ୧୯୬୨ରେ ଏଠାରେ ପ୍ରଥମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

୧୯୬୨ ନିର୍ବାଚନରେ ୧୫୪ ଆସନରୁ ୧୧୩ଟିରେ କଂଗ୍ରେସ ଜିତିଥିଲା। ସ୍ବତନ୍ତ୍ର ପାର୍ଟି ୨୬ଟି ଓ ପ୍ରଜା ସୋସାଲିଷ୍ଟ ପାର୍ଟି ୭ଟିରେ ଜିତିଥିଲେ। ୧୯୬୭ ନିର୍ବାଚନରେ କଂଗ୍ରେସ ୧୬୮ରୁ ୯୩ଟି ଆସନରେ ଏବଂ ସ୍ବତନ୍ତ୍ର ପାର୍ଟି ୬୬ଟି ଆସନରେ ଜିତିଥିଲେ। ସେତେବେଳେ ଭାରତୀୟ ଜନସଂଘ ମାତ୍ର ଗୋଟିଏ ଆସନରେ ଜିତିଥିଲା। ୧୯୫୧ରେ ଗଠିତ ଜନସଂଘ ଥିଲା ଆର୍‌ଏସ୍‌ଏସ୍‌ର ରାଜନୈତିକ ଶାଖା।
୧୯୭୦ ଦଶକରେ କଂଗ୍ରେସ (ଆର୍‌) ହେଲା କଂଗ୍ରେସ (ଆଇ)। ତା’ପରେ କଂଗ୍ରେସ (ଓ) ଜନତା ପାର୍ଟିରେ ମିଶିଯିବା ପରେ କଂଗ୍ରେସ (ଆଇ) ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍‌ସି)ରେ ପରିଣତ ହେଲା।
୧୯୭୨ରେ ଗୁଜରାଟରେ ୧୬୮ଟି ଆସନରୁ କଂଗ୍ରେସ ୧୪୦ଟି ଆସନ ଜିତିଥିଲା। ସେତେବେଳେ ଜନସଂଘର ଆସନ ସଂଖ୍ୟା ୧ରୁ ୩କୁ ବୃଦ୍ଧି ପାଇଥିଲା। କିନ୍ତୁ ୧୯୭୫ ନିର୍ବାଚନରେ କଂଗ୍ରେସ ୧୬୮ରୁ ମାତ୍ର ୭୫ଟି ଆସନ ପାଇଲା ଏବଂ କଂଗ୍ରେସ (ଓ) ୫୬ଟି ଆସନ ଜିତିଲା। ସେତେବେଳେ ଜନସଂଘର ଆସନ ସଂଖ୍ୟା ବଢ଼ି ୧୮ରେ ପହଞ୍ଚିଲା। କିଷାନ ମଜଦୁର ଲୋକପକ୍ଷ ୧୨ଟି ଆସନ ଜିତିଥିଲା। କିନ୍ତୁ ବୋରସାଦରୁ ମହୁଧା ଯାଏ ଲୋକମାନେ ହିନ୍ଦୁତ୍ବ ଆଦର୍ଶକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେସବୁ ଆସନରେ କଂଗ୍ରେସ କିମ୍ବା କଂଗ୍ରେସ (ଓ) ଜିତିଥିଲେ।

୧୯୭୭ରେ ଇନ୍ଦିରା ଗାନ୍ଧି ଜରୁରି ପରିସ୍ଥିତି ଜାରି କରିବା ପରେ ରାଜନୈତିକ ଦୃଶ୍ୟପଟରେ ପରର୍ତ୍ତନ ଘଟିଥିଲା। ମୋରାରଜୀ ଦେଶାଇଙ୍କ ସମେତ ବିଦ୍ରୋହୀ କଂଗ୍ରେସ ନେତାମାନେ ଅନ୍ୟ ଦଳରେ ଯୋଗ ଦେଲେ। ଇନ୍ଦିରାଙ୍କୁ ହଟାଇବା ପାଇଁ କଂଗ୍ରେସ-ବିରୋଧୀମାନେ ଜନତା ପାର୍ଟି ଗଠନ କଲେ ଏବଂ ଭାରତୀୟ ଜନସଂଘ ମଧ୍ୟ ଜନତା ପାର୍ଟିରେ ମିଶିଗଲା। ଇନ୍ଦିରା ଗାନ୍ଧି ହାରିଲେ ସତ କିନ୍ତୁ ଜନତା ପାର୍ଟି ବେଶି ଦିନ ଟେକିଲା ନାହିଁ। ଜନତା ପାର୍ଟିରେ ମିଶିଥିବା ଜନସଂଘ ସେଠୁ ବାହାରି ଆସି ଭାରତୀୟ ଜନତା ପାର୍ଟି (ବିଜେପି) ଗଠନ କଲା।

୧୯୮୦ ନିର୍ବାଚନରେ କଂଗ୍ରେସ ୧୮୨ରୁ ୧୪୧ଟି ଆସନ ଜିତି ଗୁଜରାଟରେ କ୍ଷମତାକୁ ଆସିଲା। ବିଜେପି ୯ରେ ସୀମିତ ରହିଲା। କିନ୍ତୁ ବୋରସାଦରୁ ମହୁଧା ଯାଏ ଗୋଟିଏ ବି ଆସନ ବିଜେପି ପାଇଲା ନାହିଁ। ସେଗୁଡ଼ିକ କଂଗ୍ରେସ (ଆଇ) ପାଇଲା। ୧୯୮୫ରେ କଂଗ୍ରେସ ପୁଣି କ୍ଷମତାକୁ ଆସିଲା। ୧୮୨ରୁ ୧୪୯ଟି ଆସନ ଜିତିଲା। ଏହାପରେ ଗୁଜରାଟରେ ବିଜେପିର ପ୍ରଭାବ ଧୀରେ ଧୀରେ ବଢ଼ିଲା, କିନ୍ତୁ ଉପରୋକ୍ତ କ୍ଷେତ୍ରଗୁଡ଼ିକ ବ୍ୟତୀତ।
୧୯୮୯ରେ ବୋଫର୍ସ ମାମଲାକୁ ନେଇ କଂଗ୍ରେସର ସ୍ଥିତି ଦୁର୍ବଳ ହେଲା। ୧୯୯୦ ନିର୍ବାଚନରେ କଂଗ୍ରେସ ୩୩କୁ ଖସିଆସିଲା। ଗୁଜରାଟରେ ଜନତା ଦଳ ୭୦ ଆସନ ସହ ନୂଆ ରାଜନୈତିକ ଶକ୍ତି ଭାବେ ଉଭା ହେଲା। ଏହା ବିଜେପି (୬୭) ସହ ମିଶି ସରକାର ଗଠନ କଲା। ପରେ ମୁଖ୍ୟମନ୍ତ୍ରୀ ଚିମାଭାଇ ପଟେଲ ମେଣ୍ଟ ଭାଙ୍ଗି କଂଗ୍ରେସ ସହ ମିଶି ସରକାର ଗଢ଼ିଲେ। ୧୯୯୪ରେ ଚିମାଭାଇଙ୍କ ପରଲୋକ ପରେ କଂଗ୍ରେସର ଛବିଦାସ ମେହେଟ୍ଟା ମୁଖ୍ୟମନ୍ତ୍ରୀ ହେଲେ।

୧୯୯୫ ନିର୍ବାଚନରେ ବିଜେପି ବିଶ୍ବାସଘାତକତାକୁ ପ୍ରସଙ୍ଗ କରି ୧୨୧ଟି ଆସନରେ ଜିତିଲା ଓ କେଶୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ବୋରସାଦ ଆଦି ଆସନଗୁଡ଼ିକ କଂଗ୍ରେସ ହାତରେ ହିଁ ରହିଲା। ୧୯୯୮ ନିର୍ବାଚନରେ କେଶୁଭାଇ ପୁଣି ମୁଖ୍ୟମନ୍ତ୍ରୀ ହେଲେ ଏବଂ କଂଗ୍ରେସ ୫୦ ଭିତରେ ସୀମିତ ରହିଲା। କେଶୁଭାଇଙ୍କ ଲୋକପ୍ରିୟତା ହ୍ରାସ ପାଇବାରୁ ବିଜେପି କେତେକ ଉପନିର୍ବାଚନରେ ହାରିଲା। ତେଣୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ କଲେ। ୨୦୦୨ ନିର୍ବାଚନରେ ବିଜେପି ଜିତିଲେ ମଧ୍ୟ ଉପରୋକ୍ତ ଅଣବିଜେପି ଆସନଗୁଡ଼ିକରେ ବିଜେପିର ପ୍ରଦର୍ଶନ ଦୁର୍ବଳ ରହିଲା। ୨୦୦୭, ୨୦୧୨ ଓ ୨୦୧୭ ନିର୍ବାଚନରେ ବି ବିଜେପି କ୍ଷମତାସୀନ ହେଲା। କିନ୍ତୁ ବୋରସାଦ ଆଦି ସେଇ କେତେକ ଆସନ କଂଗ୍ରେସ ହାତରେ ହିଁ ରହିଲା।

ତେବେ ଉପରୋକ୍ତ ଆସନଗୁଡ଼ିକରେ ବିଜେପି କାହିଁକି ଆସିପାରୁ ନାହିଁ? ଏସବୁ ନିର୍ବାଚନମଣ୍ଡଳୀଗୁଡ଼ିକ ମଧ୍ୟରୁ ଅଧିକାଂଶ ଆଦିବାସୀ-ଅଧ୍ୟୁଷିତ। କେତେକ ଆସନ ଆଦିବାସୀ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ। ଏହିସବୁ ଅଞ୍ଚଳର ସରଳ ଆଦିବାସୀ ଲୋକମାନେ ପାରମ୍ପରିକଭାବେ କଂଗ୍ରେସ ସମର୍ଥକ। ସେମାନଙ୍କ ଧାରଣା କଂଗ୍ରେସ ଦେଶକୁ ସ୍ବାଧୀନ କରିଛି, ତେ‌ଣୁ କଂଗ୍ରେସକୁ ହିଁ ଭୋଟ ଦେବା ଉଚିତ।
୨୦୧୭ରୁ ବିଜେପି ଆଦିବାସୀ-ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିଆସୁଛି। ୨୦୧୭ରେ କଂଗ୍ରେସ ୧୫ଟି ଆଦିବାସୀ ଆସନରେ ଜିତିଥିବା ବେଳେ ବିଜେପି ୮ଟିରେ ଜିତିଛି। ୨୦୨୨ ଡିସେମ୍ବରରେ ହେବାକୁ ଥିବା ନିର୍ବାଚନରେ ବି ବିଜେପି କିଛି ଅଧିକ ଆଦିବାସୀ ଆସନ ପାଇବ ବୋଲି ଆଶା ରଖିଛି। ଏଥର ନିର୍ବାଚନୀ ରଣାଙ୍ଗନରେ ଆପ୍‌ର ଆବିର୍ଭାବ କଂଗ୍ରେସ ଭୋଟରେ ବିଭାଜନ ଆଣି କେତେକ ଆଦିବାସୀ ଆସନରେ ବିଜେପିକୁ ଜିତାଇବାରେ ସାହାଯ୍ୟ କରିପାରେ।

ସମ୍ବନ୍ଧିତ ଖବର