କାହିଁକି ହାରିଲା ବିଜେପି?

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଉପନିର୍ବାଚନରେ ବିଜେପିର ବିପର୍ଯ୍ୟୟ ପରେ ଉତ୍ତରପ୍ରଦେଶରେ ବଡ଼ ଝଟ୍‌୍‌କା ବିଜେପିର ୨୦୧୯ ସ୍ୱପ୍ନକୁ ଚୁର୍‌ମାର କରିଦେବା ଆଶଙ୍କା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଜନାବଦ୍ଧ ପ୍ରଚାର ସତ୍ତ୍ୱେ ତାଙ୍କର ନିଜ ଗଡ଼ ଗୋରଖପୁର ଓ ଫୁଲପୁର ଲୋକସଭା ଆସନ ବିଜେପି ହାତରୁ ଖସିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଅଚ୍ଛେଦିନ’ ପ୍ରତିଶ୍ରୁତି କିମ୍ବା ଯୋଗୀଙ୍କ ସୁଶାସନ ସ୍ଲୋଗାନ ଭୋଟର୍‌ଙ୍କ ମନକୁ ଆଦୌ ଛୁଇଁଲା ନାହିଁ ଏବଂ ବିଜେପିକୁ ହରାଇବା ପାଇଁ ଭୋଟର୍‌ ଘରୁ ବାହାରିଥିଲେ। ଗୋରଖପୁର ଆସନରେ ସବୁବେଳେ ମଠ ମହନ୍ତଙ୍କ ପତିଆରା ରହିଥିବା ବେଳେ ଚଳିତଥର ଜଣେ ବାହାର ପ୍ରାର୍ଥୀଙ୍କୁ ବିଜେପି ଛିଡ଼ା କରାଇଥିଲା। ଏହାଛଡ଼ା ମାତ୍ର ୪୩ ପ୍ରତିଶତ ମତଦାନ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହେଲା। ଏହି ଆସନରେ ଦଳର କ୍ରମାଗତ ବିଜୟ ହୋଇଆସୁଥିବାରୁ ବିଜେପି ପ୍ରାର୍ଥୀ ଅତ୍ୟନ୍ତ ବେପରୁଆ ଢଙ୍ଗରେ ପ୍ରଚାର ଚଳାଇଥିଲେ ଏବଂ ବିଜୟ ନେଇ ମାତ୍ରାଧିକ ଆଶ୍ୱସ୍ତ ହୋଇପଡ଼ିଥିଲେ ବୋଲି ଖୋଦ୍‌ ବିଜେପି ସ୍ୱୀକାର କରିଛି। ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ପାଇଁ ଯୋଗୀ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଯୁବ ଭୋଟର୍‌ ସରକାରଙ୍କ ପ୍ରତି ବିମୁଖ ରହିଛନ୍ତି। ଆଉ ଏକ ବଡ଼ କାରଣ ହେଲା ସହରାଞ୍ଚଳ ଭୋଟର୍‌ଙ୍କ ସମର୍ଥନ ବିଜେପି ପ୍ରତି ଅଧିକ ଥିବା ବେଳେ ଏଥର ଅଧିକାଂଶ ଭୋଟର୍‌ ଭୋଟ୍‌ ଦେବାକୁ ଘରୁ ବାହାରିଲେ ନାହିଁ। ଏହା ବିଜେପି ପାଇଁ କାଳ ହେଲା। ସେପଟେ ରାଜ୍ୟ ରାଜନୀତିରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବହୁଜନ ସମାଜବାଦୀ ପାର୍ଟି ନିଜର ପୁନରୁଦ୍ଧାର ଉଦ୍ୟମରେ ସଫଳ ହୋଇଛି। ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ରଣନୀତି ଆଗରେ ବିଜେପି ହାର୍‌ ମାନିବାକୁ ବାଧ୍ୟ ହୋଇଛି। ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିର ମେଣ୍ଟକୁ ନେଇ ହୋଇଥିବା ସମୀକରଣ ବିଜେପିର ସବୁ ଗଣିତକୁ ଓଲଟପାଲଟ କରିଦେଇଛି। ଗ୍ରାମୀଣ ଅଞ୍ଚଳରେ କୃଷକଙ୍କ ଦୟନୀୟ ସ୍ଥିତି ଏବଂ ନିରାଶା ଯୋଗୁଁ ମଧ୍ୟ ଭୋଟର୍‌ମାନେ ବିଜେପି ବିରୋଧରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧିତ ଖବର