ସୈନ୍ୟ ପ୍ରତ୍ୟାହାର ପାଇଁ କାହିଁକି ରାଜି ହେଲା ଚୀନ ?

ନୂଆଦିଲ୍ଲୀ : ଭାରତ ଓ ଚୀନ ସେନା ଲଦାଖର ଗୋଗ୍ରା-ହଟସ୍ପ୍ରିଙ୍ଗ ପରି କେତେକ ବିବାଦୀୟ ଇଲାକାରୁ ପଛକୁ ଘୁଞ୍ଚିବାକୁ ସହମତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ୧୬ତମ କୋର କମାଣ୍ଡରସ୍ତରୀୟ ଆଲୋଚନାରେ ଏହି ନିଷ୍ପତ୍ତି ହୋଇଥିବା କୁହାଯାଉଛି । ତେବେ ଗତ ଦୁଇ ବର୍ଷ ହେଲେ ଏତେ ଥର ଆଲୋଚନା ସତ୍ତ୍ବେ ଅଚଳାବସ୍ଥା ଲାଗି ରହିଥିଲା, କିନ୍ତୁ ଏଥର କିପରି ହଠାତ ସହମତି ସୃଷ୍ଟି ହୋଇଗଲା ?

ଏ ସଂପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ ଚୀନର ଯେ ହଠାତ ହୃଦୟ ପରିବର୍ତ୍ତନ ହେଲା ତାହା ଭାବିବା ବୋକାମୀ ହେବ । ପ୍ରକୃତ କଥା ହେଉଛି, ଆସନ୍ତା ସାଂଘାଇ ସହଯୋଗ ସଂଗଠନ ବୈଠକରେ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହେବାର ସମ୍ଭାବନା ରହିଛି । ଏହି ସାକ୍ଷାତ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ଏହି ସୈନ୍ୟ ପ୍ରତ୍ୟାହାର ପାଇଁ ଚୀନ ରାଜି ହୋଇଛନ୍ତି । ଏଣୁ ବିପଦ ଟଳିଗଲା ବୋଲି ଭାବିବା ଉଚିତ ନୁହେଁ । ଏଣୁ ଭାରତକୁ ସତର୍କ ରହିବାକୁ ହେବ ।

ସୂଚନାଯୋଗ୍ୟ ଯେ, ଚଳିତ ମାସ ସେପ୍ଟେମ୍ବର ୧୫-୧୬ ତାରିଖରେ ଉଜବେକିସ୍ତାନର ସମରକନ୍ଦ ଠାରେ ହେବ ସାଂଘାଇ ସହଯୋଗ ସଂଗଠନ (ଏସସିଓ)  ସମ୍ମିଳନୀ । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବି ସାକ୍ଷାତ କରିବାର ସମ୍ଭାବନା ରହିଛି ।

 

 

ସମ୍ବନ୍ଧିତ ଖବର