ବିନ‌ା ହେଲମେଟ୍ ଓ ମାସ୍କରେ ଗାଡ଼ି ଚଳାଇ ତଣ୍ଡ ଗଣିଲେ ବଲିଉଡ୍ ଅଭିନେତା ବିବେକ ଓବରଏ

ମୁମ୍ବାଇ: ବଲିଉଡ ଅଭିନେତା ବିବେକ ଓବରଏଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ତାଙ୍କର ପତ୍ନୀଙ୍କୁ ଏକ ଦାମି ବାଇକରେ ବସାଇ ମୁମ୍ବାଇ ରାସ୍ତାରେ ଯାଉଛନ୍ତି । ହେଲେ ଗାଡ଼ି ଚଳାଉଥିବା ବେଳେ ବିବେକ ଓ ତାଙ୍କ ପତ୍ନୀଙ୍କ ମୁଣ୍ଡରେ ନା ରହିଛି ହେଲମେଟ୍ ନା ମୁହଁରେ ମାସ୍କ ।

ଏହି ଭିଡିଓ ଭାଇରାଲ ହେବାପରେ ସାମାଜିକ କାର୍ଯ୍ୟକତ୍ତା ମୀନୁ ଭର୍ଗିସ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ରାଜ୍ୟ ପୁଲିସକୁ ଟ୍ରାଫିକ ନିୟମର ଉଲ୍ଲଂଘନ କରିଥିବା ହେତୁ ବିବେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଏହି ଅଭିଯୋଗ ପାଇବା ପରେ ମୁମ୍ବାଇ ପୁଲିସ ବିନା ହେଲମେଟରେ ଗାଡ଼ି ଚଳାଇବା ଅପରାଧରେ ବିବେକଙ୍କ ନାମରେ ଏକ ଇ-ଚାଲାଣ ପଠାଇଛନ୍ତି । ଏହାସହ ସାଣ୍ଟାକ୍ଲଜ ଟ୍ରାଫିକ୍ ପୁଲିସ ପକ୍ଷରୁ ବିବେକଙ୍କ ଉପରେ ଜରିମାନା ଲଗାଯାଇଛି ।

ସୂଚନା ମୁତାବକ, ବିବେକ ଓବରଏ ଫେବ୍ରୁଆରି ୧୪ ତଥା ଭାଲେଣ୍ଟାଇନ ଡେ’ ଦିନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ କି ସେ ତାଙ୍କ ପତ୍ନୀଙ୍କ ସହିତ ଫିଲ୍ମ ‘ସାଥିଆ’ ଷ୍ଟାଇଲରେ ମୁମ୍ବାଇ ରାସ୍ତାରେ ବାଇକ୍ ଚଳାଇ ମଜା ନେଉଥିଲେ । ଏହି ଭିଡିଓ ପୋଷ୍ଟ କରି କ୍ୟାପସନରେ ବିବେକ ଲେଖିଥିଲେ କି ମେଁ, ମେରୀ ପତ୍ନୀ ଔର ୱୋ ସହିତ ଏହି ସୁନ୍ଦର ଭାଲେଣ୍ଟାଇନ୍ ଦିନର ଆରମ୍ଭ । ଭାଲେଣ୍ଟାଇନ୍ ଡେ’କୁ ସ୍ପେଶାଲ କରିବା ପାଇଁ ବିବେକ ପତ୍ନୀଙ୍କୁ ବାଇକରେ ବୁଲାଇଥି‌ବା ବେଳେ ଏହାର ଭିଡିଓ ସେୟାର କରିବା ବିବେକଙ୍କ ପାଇଁ କାଳ ହୋଇଗଲା । ଏହି ଭିଡିଓକୁ ସମାଜିକ କର୍ମୀ ମୀନୁ ଭର୍ଗିସ ଦେଖିବା ପରେ ଅଭିଯୋଗ କରି ପୋଷ୍ଟଟିକୁ ମୁମ୍ବାଇ ପୁଲିସକୁ ଟ୍ୟାଗ କରିଥିଲେ । ଟ୍ରାଫିକ ନିୟମ ଭଙ୍ଗ କରିଥିବାରୁ ବିବେକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଥିଲେ । ଏହାପରେ ମୁମ୍ବାଇ ପୁଲିସ ବିବେକଙ୍କ ନାମରେ ଇ-ଚାଲାଣ ପଠାଇବା ସହ ସାଣ୍ଟାକ୍ଲଜ ଟ୍ରାଫିକ୍ ପକ୍ଷରୁ ବିବେକଙ୍କୁ ଜରିମାନା ଦେବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର