କାହିଁକି ବଦଳିଲା ଔରଙ୍ଗାବାଦ ଓ ଓସମାନାବାଦର ନାଁ

କାହିଁକି ଔରଙ୍ଗାବାଦ ହେଲା ସମ୍ଭାଜୀନଗର । ଓସମାନାବାଦ ହେଲା ଧାରାଶିବ, ଏବଂ ନଭି ମୁମ୍ବାଇ ଏୟାରପୋର୍ଟ ହେଲା ଡିବି ପାଟିଲ ଏରାୟପୋର୍ଟ । କାହିଁକି ମହାରାଷ୍ଟ୍ରର ଦୁଇ ପ୍ରମୁଖ ସହର ଏବଂ ଏକ ଏୟାରପୋର୍ଟର ନାଁ ବଦଳିଲା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କେଇ ଘଂଟା ଆଗରୁ ଏହି ନାଁ ପରିବର୍ତନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।..
ମହାରାଷ୍ଟ୍ରର କିଛି ସହରର ନାଁ ପରିବର୍ତନ କରିବା ପାଇଁ ଅନେକ ବର୍ଷ ଧରି ଦାବି ହୋଇଆସୁଥିଲା । ବିଶେଷ କରି ଔରଙ୍ଗାବାଦ ସହର ଏବଂ ଔରଙ୍ଗାବାଦ ଜିଲ୍ଲାର ନାଁ ବଦଳାଇବାକୁ ହେଉଥିଲା ଦାବି । ଔରଙ୍ଗାବାଦ ଜିଲ୍ଲାର ଲୋକସଂଖ୍ୟାର ସର୍ବାଧିକ ହେଉଛନ୍ତି ହିନ୍ଦୁ । ସାତବାହାନ ମାନଙ୍କର ସାମ୍ରାଜ୍ୟ ସମୟରେ ସମ୍ଭାଜୀନଗର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ରହିଥିଲା । ପରବର୍ତୀ ସମୟରେ ହାଇଦ୍ରାବାଦ ନିଜାମଙ୍କ ସେନାପତି ମଲ୍ଲିକ ଅମ୍ବର ଏହି ସହରର ନାଁ ଫତେହନଗର କରିଥିଲେ । ମୋଗଲ ବାଦଶାହା ଶାହଜାହାନ ୧୬୩୬ରେ ଔରଙ୍ଗଜେବକୁ ଏଠାକାର ସୁବେଦାର ନିଯୁକ୍ତ କରିଥିଲେ । ସେହି ସମୟରେ ଫତେହନଗରର ନାଁ ବଦଳି ହୋଇଥିଲା ଖୁଜୁସ୍ତାବୁନିୟାଦ । ୧୬୫୭ରେ ଖୁଜୁସ୍ତାବୁନିୟାଦର ନାଁ ହୋଇଥିଲେ ଔରଙ୍ଗାବାଦ । ସୁବେଦାର ନିଯୁକ୍ତ ହେବା ପରେ ଔରଙ୍ଗଜେବ ପ୍ରଥମେ ଦୌଲତାବାଦରେ ରହୁଥିଲେ, କିନ୍ତୁ ପରେ ସେ ଔରଙ୍ଗାବାଦ ଚାଲିଆସିଥିଲେ। ଏହି ସ୍ଥାନ ଔରଙ୍ଗଜେବଙ୍କୁ ଖୁବ୍ ପସନ୍ଦ ଆସିଥିଲା, ତେଣୁ ଏଠାରେ ସେ ଅନେକ କଲୋନି ବସାଇଥିଲେ। ପରବର୍ତ୍ତୀ ସମୟରେ ଏହାକୁ ସେ ରାଜଧାନୀ କରିଥିଲେ। ୧୬୮୧ରୁ ଔରଙ୍ଗଜେବ ଏଠାରେ ସବୁଦିନ ପାଇଁ ରହିଯାଇଥିଲେ।

ସେହିପରି ଓସମାନାବାଦର ପୂର୍ବ ନାଁ ଥିଲା ଧାରାଶିବ। ଯଦିଓ ସରକାରୀ କାଗଜପତ୍ରରେ ଏହି ଜିଲ୍ଲାର ନାଁ ଥିଲା ଓସମାନାବାଦ, ହେଲେ ଏଠାକାର ଲୋକେ ଏହାକୁ ଧାରାଶିବ କହୁଥିଲେ । ମହାରାଷ୍ଟ୍ରର ମରାଠାୱାଡା ଅଂଚଳ ଯେତେବେଳେ ହାଇଦ୍ରାବାଦ ଅଧୀନରେ ରହିଥିଲା ସେତେବେଳେ ନିଜାମ ଅନେକ ସହରର ନାଁ ବଦଳାଇଦେଇଥିଲେ । ନିଜାମଙ୍କ ଶାସନ ସମୟରେ ହିଁ ଧାରାଶିବ ହୋଇଥିଲା ଓସମାନାବାଦ। ଓସମାନ ଅଲ୍ଲିଖାନ ୧୯ଶହ ମସିହାରେ ଧାରାଶିବର ନାଁ ବଦଳାଇ ଓସମାନାବାଦ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଆଗରୁ ଉଦ୍ଧବଙ୍କ କ୍ୟାବିନେଟ୍ ପୁଣିଥରେ ଓସମାନାବାଦର ନାଁ ବଦଳାଇ ଧାରାଶିବ କରିବାକୁ ମଞ୍ଜୁରି ଦେଇଥିଲେ। ସେହିପରି ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ନାଁ ବିଶିଷ୍ଟ ଶ୍ରମିକ ନେତା ଡି.ବି. ପାଟିଲଙ୍କ ନାଁରେ ପରିବର୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର