ମୋଦୀ ‘ଜୟ ଶ୍ରୀରାମ’ ବଦଳରେ ‘ଜୟ ସିୟାରାମ’ କହିଲେ କାହିଁକି?

ଲକ୍ଷ୍ନୌ: ଅଯୋଧ୍ୟାରେ ଗତକାଲି ଶ୍ରାରାମମନ୍ଦିରର ଶିଳାନ୍ୟାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜୟଗାନ କରିବା ଲାଗି ଲୋକପ୍ରିୟ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବା ବଦଳରେ ‘ଜୟ ସିୟାରାମ’ ବୋଲି ଉଚ୍ଚାରଣ କରିଥିଲେ। ତେବେ ମୋଦୀଙ୍କ ଜୟଧ୍ବନିରେ ଏପରି ପରିବର୍ତ୍ତନ ପାଇଁ ବିଭିନ୍ନ ମହଲରେ ଉତ୍ସୁକତା ତଥା କୌତୂହଲ ଭରିଯାଇଛି। ମୋଦୀ ତାଙ୍କ ଅଭିଭାଷଣରେ କହିଥିଲେ, ‘ଆମେ ପ୍ରଥମେ ପ୍ରଭୁ ରାମ ଓ ମାତା ଜାନକୀଙ୍କୁ ମନେ ପକାଇବା-ସିୟାବର ରାମଚନ୍ଦ୍ର କୀ ଜୟ-ଜୟ ସିୟାରାମ।’ ଯଦିଓ ୧୯୮୪ ମସିହାରେ ରାମମନ୍ଦିର ଆନ୍ଦୋଳନ ଆରମ୍ଭ ବେଳରୁ ଗୈରିକ ତତ୍ତ୍ବ ମଧ୍ୟରେ ପାରସ୍ପରିକ ସମ୍ବୋଧନ ପାଇଁ ଉଚ୍ଚାରିତ ‘ଜୟ ଶ୍ରୀରାମ’ ଧ୍ବନି ଏକ ଉଦ୍ଦାମ ପ୍ରେରଣା ଯୋଗାଇ ଆସିଛି।

ତେବେ ଏଥିରେ ହିତୈଷୀ ଭାବ ଅପେକ୍ଷା ବେଶୀ ସମରସୁଲଭ ଆବେଗ ପରିପ୍ରକାଶ ହେବା ସହ ମାତା ଜାନକୀଙ୍କ ଭୂମିକାକୁ ଅଣଦେଖା କରାଯାଉଛି ବୋଲି ଅନେକ ଅନୁଭବ କରନ୍ତି। ଅପରପକ୍ଷେ, ‘ଜୟ ସିୟାରାମ’ ଉଚ୍ଚାରଣ ହିଁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ମର୍ଯ୍ୟାଦା ପୁରୁଷୋତ୍ତମ ଚରିତ୍ରକୁ ପ୍ରତିପାଦନ କରିବା ସହ ହିନ୍ଦୀଭାଷୀ ଅଞ୍ଚଳରେ ଶ୍ରଦ୍ଧାଳୁମାନଙ୍କର କୋମଳତା ତଥା ବିନମ୍ରତାକୁ ମଧ୍ୟ ଆକର୍ଷିତ କରିପାରିବ। ତିଵାରୀ ମନ୍ଦିରର ମହନ୍ତ ଗିରିପ୍ରସାଦ ତ୍ରିପାଠୀଙ୍କ ମତରେ, ଯଦିଓ ଉଭୟ ଉଚ୍ଚାରଣରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜୟଗାନ ହିଁ ମୁଖ୍ୟ ଉଦ୍ଦେଶ୍ୟ, ତେବେ ‘ଜୟ ଶ୍ରୀରାମ’ ଧ୍ବନି ନିର୍ଭୀକତାକୁ ସୂଚାଉଥିବା ବେଳେ ‘ଜୟ ସିୟାରାମ’ରେ ଅନ୍ୟମାନଙ୍କ ପ୍ରତି ସମ୍ମାନବୋଧ ଭରି ରହିଛି।

ଅପରପକ୍ଷେ, ଅଯୋଧ୍ୟାର ଅବଧ ବିଶ୍ବବିଦ୍ୟାଳୟର ପ୍ରଫେସର ମନୋଜ ଦୀକ୍ଷିତଙ୍କ କହିବା କଥା, ପ୍ରଧାନମନ୍ତ୍ରୀଙ୍କର ଏପରି ଧ୍ବନି ଚୟନ ହିଁ ବହୁ ପ୍ରତୀକ୍ଷିତ ଲକ୍ଷ୍ୟ ସାଧନକୁ ବୁଝାଉଛି। ୧୯୮୪ ପୂର୍ବରୁ ଏହି ଦୁଇଟି ଧ୍ବନି ମଧ୍ୟରେ ସେଭଳି କିଛି ତଫାତ୍‌ ନଥିଲା। ମାତ୍ର ପରେ ପରେ ‘ଜୟ ଶ୍ରୀରାମ’ ହିଁ ମନ୍ଦିର ଆନ୍ଦୋଳନର ପ୍ରତିଶବ୍ଦ ଭାବେ ବିବେଚିତ ହୋଇଥିଲା। ତେବେ ଏବେ ସେ ଲକ୍ଷ୍ୟ ପୂରଣ ହୋଇସାରିଛି। ସୁତରାଂ ମୋଦୀ ସେପରି ଧ୍ବନିକୁ କୋମଳ ତଥା ପ୍ରୀତିପଦ କରିବାକୁ ଚାହିଛନ୍ତି ବୋଲି ପ୍ରଫେସର ଦୀକ୍ଷିତ ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧିତ ଖବର