ମାନଚିତ୍ର ବିବାଦ: ଭାରତର ପ୍ରସ୍ତାବକୁ ନେପାଳ ପ୍ରତ୍ୟାଖ୍ୟାନ କଲା କାହିଁକି?

ନୂଆଦିଲ୍ଲୀ: କୌଣସି ଐତିହାସିକ ତଥ୍ୟ ପ୍ରମାଣ ନଥାଇ ନେପାଳ ମନକୁ ମନ ଭାରତର ଅଂଚଳକୁ କୃତ୍ରିମ ସଂପ୍ରସାରଣ ଦ୍ବାରା ଏକ ମାନଚିତ୍ରରେ ଦର୍ଶାଇବା ଏବଂ ଏହାକୁ ସଂସଦରେ ଗୃହୀତ କରାଇବା ଘଟଣା ଏବେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତାର ବାଟ ବନ୍ଦ କରିଦେଇଛି। ନେପାଳର ଏଭଳି ଅଜବ ଆଚରଣ ପଛରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ହିଁ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।

ନେପାଳ ବିବାଦୀୟ ମାନଚିତ୍ର ଜାରି କରିବା ପରଠାରୁ ଭାରତ ଏ ବାବଦରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ନେପାଳ ଏହାକୁ ଗ୍ରହଣ କରିନଥିଲା। ଭାରତର ବିଦେଶ ମନ୍ତ୍ରାଳୟ ଏ ବାବଦରେ ନେପାଳ ଦୂତାବାସ ସହିତ ଲଗାତାର ସଂପର୍କ ସ୍ଥାପନ କରିଥିଲେ ମଧ୍ୟ ଆଲୋଚନା ପ୍ରସ୍ତାବକୁ ନେପାଳ ଏଡ଼ାଇ ଯାଇଥିଲା‌। ବିବାଦୀୟ ମାନଚିତ୍ରକୁ ନେଇ ନେପାଳ ପାଖରେ କୌଣସି ତଥ୍ୟ ପ୍ରମାଣ ନଥିବାରୁ ଭାରତ ସହ ଏହା ଆଲୋଚନାର ସମ୍ମୁଖୀନ ହୋଇପାରିବ ନାହିଁ ବୋଲି ଜାଣି ନେପାଳ ତରବରିଆ ଭାବେ ଭିନ୍ନ ନୀତି ଗ୍ରହଣ କରିଥିଲା। ବିବାଦୀୟ ମାନଚିତ୍ରକୁ ନିଜ ସଂସଦରେ ଗୃହୀତ କରାଇ ଆଲୋଚନାର ବାଟ ବନ୍ଦ କରିଦେବାକୁ ପ୍ରଧାନମନ୍ତ୍ରୀ ଓଲି ନିଷ୍ପତ୍ତି ନେଇଥିଲେ ଏବଂ ଏହାକୁ କାର୍ଯ୍ୟକାରୀ କରିଥିଲେ। ଓଲିଙ୍କର ଏହି ନିଷ୍ପତ୍ତି ଭାରତ ସହ ସଂପର୍କକୁ ଅତି ଜଟିଳ କରିଦେଇଥିଲେ ମଧ୍ୟ ସେ ନିଜ ସପକ୍ଷରେ ଏକ ବାତାବରଣ ସୃଷ୍ଟି କରି ଲୋକଙ୍କ ସମର୍ଥନ ଆଶା ରଖିଛନ୍ତି। ଏଭଳି ପଦକ୍ଷେପ ପଛରେ ଚୀନ୍‌ର ଭିତିରିଆ ସମର୍ଥନ ରହିଥିବା ମଧ୍ୟ କୁହାଯାଉଛି। ନିକଟରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଓବିଓଆର୍‌ ପ୍ରକଳ୍ପ ପାଇଁ ନେପାଳର ସମର୍ଥନକୁ ପ୍ରଶଂସା କରିଥିଲେ। ତେବେ ନେପାଳ ରାଜନୀତିରେ ନିଜ ଚୌକି ସୁରକ୍ଷିତ ରଖିବା ପାଇଁ ଓଲିଙ୍କର ଏଭଳି କାର୍ଯ୍ୟକୁ ନେଇ ଜୋର୍‌ଦାର ବିରୋଧ ମଧ୍ୟ ଆରମ୍ଭ ହେଲାଣି। ଅନେକ ସାଂସଦ ଓଲିଙ୍କର ନିଷ୍ପତ୍ତିକୁ ବିରୋଧ କରି ଆଜି ସାମ୍ନାକୁ ଆସିଛନ୍ତି ଏବଂ ଭାରତ ସହ ଶତ୍ରୁତା ମହଙ୍ଗା ପଡ଼ିବ ବୋଲି କୂଟନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର