ପହଲଗାମ: ଦକ୍ଷିଣ କାଶ୍ମୀରର ପହଲଗାମରେ ମଙ୍ଗଳବାର ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଆତଙ୍କ ଖେଳିଯାଇଛି, ଯେଉଁଥିରେ ଅତି କମ୍‌ରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। କିନ୍ତୁ ଆତଙ୍କବାଦୀମାନେ ଭାରତୀୟ ଅଞ୍ଚଳରେ ସବୁଠାରୁ ଭୟଙ୍କର ଆକ୍ରମଣ କରିବା ପାଇଁ ପହଲଗାମର ବୈସାରଣ ଉପତ୍ୟକାକୁ କାହିଁକି ବାଛିଲେ? ବୋଧହୁଏ, ଏହାର ଉତ୍ତର ହେଉଛି: ଏହା ହେଉଛି ଏକ ଟେରେନ୍ (ଭଲ ରାସ୍ତା ନ ଥିବା ଅସମତଳ ଉଚ୍ଚଭୂମି)। ଅଂଚଳର ଦୁର୍ଗମ ଓ ମାଟି ରାସ୍ତା ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡିଥିଲା। ଖରାପ ରାସ୍ତା ଯୋଗୁଁ ଆହତମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସେନାର ବିଳମ୍ବ ହୋଇଥିଲା। ଦୁର୍ଗମ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇଥିଲେ ହେଁ ଆହତମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ହେଲିକପ୍ଟର ଓ ସ୍ଥାନୀୟ ଘୋଡ଼ାଗାଡ଼ିକୁ ତୁରନ୍ତ ନିୟୋଜିତ କରାଯାଇଥିଲା। ଏହି ଅଞ୍ଚଳରେ ସେନା, ସିଆରପିଏଫ୍ ଏବଂ ଜମ୍ମୁ-କାଶ୍ମୀର ପୁଲିସର ମିଳିତ କମ୍ବିଂ ଅପରେସନ୍ ଜାରି ରହିଛି। ପହଲଗାମରେ ଆକ୍ରମଣ ସ୍ଥଳରୁ ଏହି ଅପରେସନ ୫ କିଲୋମିଟର ବ୍ୟାସାର୍ଦ୍ଧକୁ ବିସ୍ତାରିତ ହୋଇଥିବା ଜଣାପଡିଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସ୍ପେସାଲ ଫୋର୍ସ, ସନ୍ଧାନୀ କୁକୁର ଓ ଅନ୍ୟାନ୍ୟ ବୈଷୟିକ ଗୁଇନ୍ଦା ବ୍ୟବସ୍ଥା ନିୟୋଜିତ କରାଯାଇଛି।

Advertisment

ଧର୍ମ ପଚାରିଲେ, କଲମା ପଢ଼ିବାକୁ କହିଲେ...

ନୂଆଦିଲ୍ଲୀ: ୨୮ ବର୍ଷୀୟ କାନପୁର ବାସିନ୍ଦା ଶୁଭମ ଦ୍ବିବେଦୀ ଏବଂ ତାଙ୍କ ପତ୍ନୀ କାଶ୍ମୀର ବୁଲିବାକୁ ଯାଇଥିଲେ।  ପହଲଗାମ ଆତଙ୍କବାଦୀ ଆକ୍ରମଣର ଶୁଭମଙ୍କ  ମୃତ୍ୟୁ ହୋଇଯାଇଛି।  ଶୁଭମଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ଭାଇ ଏବଂ ଭାଉଜ ଜଳଖିଆ ଖାଉଥିବା ବେଳେ ୨ ଜଣ ଆତଙ୍କବାଦୀ ୟୁନିଫର୍ମ‌ରେ ଆସି ‌ସେମାନେ ମୁସଲମାନ କି ହିନ୍ଦୁ ବୋଲି ପଚାରିଲେ।  ସେମାନେ ମୁସଲମାନ୍‌ ବୋଲି କହିବାରୁ ସେମାନଙ୍କୁ ଆତଙ୍କବାଦୀ କଲମା ପଢ଼ିବାକୁ କହିଲେ।  କଲମା ପଢ଼ି ନପାରିବାରୁ ଆତଙ୍କବାଦୀମାନେ ଶୁଭମଙ୍କୁ ମୁଣ୍ଡକୁ ଗୁଳି କରିଦେଲେ।  ଏହାପରେ ଶୁଭମଙ୍କ ପତ୍ନୀଙ୍କ ଉପରକୁ ବନ୍ଧୁକ ଉଠାଇଥିଲେ। ଶୁଭମଙ୍କ ପତ୍ନୀ ତାଙ୍କୁ ମଧ୍ୟ ମାରିବାପାଇଁ ଅନୁରୋଧ କରିଥିଲେ। କିନ୍ତୁ ଆତଙ୍କବାଦୀମାନେ ତାଙ୍କୁ ନମାରି କହିଥିଲେ, ‘ ଆମେ ଯାହା କଲୁ ଯାଇ ତୁମ ସରକାରଙ୍କୁ କୁହ’।  ଶୁଭମ ଗତ ୨ ମାସ ହେବ ବିବାହ କରିଥିଲେ।  ତାଙ୍କ ବାପା ସଂଜୟ ଦ୍ବିବେଦୀ ଜଣେ ସିମେଣ୍ଟ ବ୍ୟବସାୟୀ। ଶୁଭମ ତାଙ୍କ ପତ୍ନୀ ଏବଂ ପରିବାରର ମୋଟ୍‌ ୯ ଜଣ ସଦସ୍ୟଙ୍କ ସହ କାଶ୍ମୀରରେ ସପ୍ତାହେ ଧରି ଛୁଟି କାଟିବାକୁ ଯାଇଥିଲେ। ସେମାନେ ପହଲଗାମରେ ପହଞ୍ଚିବା ପୂର୍ବରୁ ସୋନମର୍ଗ ଏବଂ ଗୁଲ୍‌ମାର୍ଗ ବୁଲି ସାରିଥିଲେ।  ସେହିପରି ପୁଣେ ବ୍ୟବସାୟୀ ସନ୍ତୋଷ ଜଗଦଲେଙ୍କ ଝିଅ ଆସାବରୀ ଜଗଦଲେ ମଧ୍ୟ ସମାନ ଦାବି କରିଛନ୍ତି। ତାଙ୍କ ବାପାଙ୍କୁ ମଧ୍ୟ ଆତଙ୍କବାଦୀମାନେ କଲମା ପଢ଼ିବାକୁ କହିଥିଲେ ଏବଂ ସେ ନପାରିବାରୁ ତାଙ୍କ ଉପରକୁ ୩ ରାଉଣ୍ଡ୍‌ ଗୁଳି ଚଳାଇ ମାରିଦେଇଥିଲେ।

ପହଲଗାମ ଆକ୍ରମଣକୁ ନେଇ ସମବେଦନା ଜଣାଇଲା ପାକ୍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ଣରେ ୩-୪ ଜଣ ଆତଙ୍କବାଦୀ ୨୬ ଜଣଙ୍କୁ ହତ୍ୟା କରିବାର ଦିନକ ପରେ ପାକିସ୍ତାନ ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଆକ୍ରମଣ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ କହିଛି ଯେ ପର୍ଯ୍ୟଟକଙ୍କ ଜୀବନ ହାନିକୁ ନେଇ ସେମାନେ ଚିନ୍ତିତ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ କହିଛି।  ଅନ୍ୟପକ୍ଷରେ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହି ଆକ୍ରମଣ ପଛରେ ପାକିସ୍ତାନର କୌଣସି ଭୂମିକା ନାହିଁ। ଗତ କିଛି ବର୍ଷ ମଧ୍ୟରେ କଶ୍ମୀରରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ମଙ୍ଗଳବାର ପହଲଗାମର ବୈସାରଣ ଘାଟିରେ ଅତି କମ୍‌ରେ ୨୬ ଜଣ (ଅଧିକାଂଶ ପର୍ଯ୍ୟଟକ) ପ୍ରାଣ ହରାଇଛନ୍ତି।