‘ଜ୍ୟାକଲିନଙ୍କୁ କାହିଁକି ଗିରଫ କରୁ ନାହଁ’? ଇଡିକୁ ପଚାରିଲେ ଅଦାଲତ

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ମାମଲାରେ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ପ୍ରକ୍ରିୟା ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିବା ସତ୍ତ୍ୱେ ଜାତୀୟ ତଦନ୍ତକାରୀ ଏଜେନ୍‌ସି ଇଡି କାହିଁକି ଏଯାବତ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଗିରଫ କରିନାହିଁ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ସ୍ୱତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲ୍ଲିକ, ଫର୍ଣ୍ଣାଣ୍ଡିଜ୍‌ ଓ ଇଡି ପକ୍ଷରୁ ହାଜର ହୋଇଥିବା ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅଭିନେତ୍ରୀଙ୍କ ଜାମିନ ଆବେଦନ ଉପରେ ନିଜର ରାୟକୁ ଶୁକ୍ରବାର ପାଇଁ ସଂରକ୍ଷିତ ରଖିଥିଲେ।

ତେବେ, ଇଡିର ଦାଖଲ ଉପରେ ଅଦାଲତ ଆଜି ପ୍ରଶ୍ନ କରିଛନ୍ତି ଯେ ଅଭିନେତ୍ରୀଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ? ତଦନ୍ତକାରୀ ଏଜେନ୍‌ସି ଇଡି ଅଦାଲତଙ୍କୁ କହିଛି ଯେ ଅଭିନେତ୍ରୀଙ୍କୁ ଦେଶ ଛାଡିବା ପଳାୟନ କରିବାରୁ ରୋକିବା ପାଇଁ ବିମାନବନ୍ଦରରେ ଏକ ଲୁକଆଉଟ୍‌ ସର୍କୁଲାର (ଏଲଓସି) ଜାରି କରାଯାଇଛି। ଏହା ଶୁଣିବା ପରେ ଅଦାଲତ ଇଡିକୁ ପଚାରିଛନ୍ତି ଯେ ଏଲଓସି ଜାରି କରିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଜ୍ୟାକଲିନଙ୍କୁ କାହିଁକି ଗିରଫ କରାଯାଇ ନାହିଁ? ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ଏବେ ଜେଲରେ ଥିବା ବେଳେ ଏପରି ‘ବାଛ ବିଚାର ନୀତି’ କାହିଁକି ଗ୍ରହଣ କରାଯାଉଛି ବୋଲି ଅଦାଲତ ତଦନ୍ତକାରୀ ଏଜେନ୍‌ସି ଇଡିକୁ ପଚାରିଥିଲେ।

ଅଦାଲତ କହିଥିଲେ ଯେ ଅଭିଯୁକ୍ତ ଜାମିନ ମାଗିଛନ୍ତି। ତଦନ୍ତ ଶେଷ ହୋଇସାରି ଥିବାରୁ ଏବଂ ଚାର୍ଜସିଟ୍‌ ଦାଖଲ ହୋଇଥିବାରୁ ତାଙ୍କର ହେପାଜତ ବା ରିମାଣ୍ଡର ଆଉ କୌଣସି ଆବଶ୍ୟକତା ନାହିଁ।

ସେପ୍ଟେମ୍ବର ୨୬ରେ ଅଦାଲତ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଜ୍ୟାକଲିନ୍‌ଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଅଗଷ୍ଟ ୩୧ରେ ଅଦାଲତ ଇଡି ଦ୍ୱାରା ଦାଖଲ ହୋଇଥିବା ଏକ ସପ୍ଲିମେଣ୍ଟାରି ଚାର୍ଜସିଟ୍‌କୁ ଅନୁଧ୍ୟାନ କରିଥିଲେ ଏବଂ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ। ଏହି ମାମଲାରେ ଇଡି ଦ୍ୱାରା ଅନେକ ଥର ଡକାଯାଇଥିବା ଫର୍ଣ୍ଣାଣ୍ଡିଜ୍‌ଙ୍କୁ ସପ୍ଲିମେଣ୍ଟାରି ଚାର୍ଜସିଟ୍‌ରେ ପ୍ରଥମ ଥର ପାଇଁ ଅଭିଯୁକ୍ତ ଭାବରେ ନାମିତ କରିଛି ଇଡି।

ସମ୍ବନ୍ଧିତ ଖବର