ପୁଣି ବିବାଦରେ ମୁଖ୍ୟମନ୍ତ୍ରୀ ତୀରଥ! ‘ଯଦି ଅଧିକା ରାସନ ପାଇଁ ଇଚ୍ଛା, ତେବେ ଅଧିକ ପିଲା ଜନ୍ମ କଲନାହିଁ କାହିଁକି?’…

ନୈନିତାଲ: ‘ମହିଳାଙ୍କ ଚିରା ଜିନ୍‌ସ ପରିଧାନ’ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଦେଇଛନ୍ତି ଆଉ ଏକ ବିବାଦୀୟ ବୟାନ । ପରିବାରର ସଦସ୍ୟ ସଂଖ୍ୟା କମ୍ ‌ଥିବା କାରଣରୁ ଯେଉଁମାନେ କମ ପରିମାଣର ରାସନ ପାଉଛନ୍ତି, ସେମାନଙ୍କୁ କଟାକ୍ଷ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ରାଓ୍ଵତ୍‌ କହିଛନ୍ତି, ‘ଯଦି ଅଧିକା ରାସନ ପାଇବାକୁ ଇଚ୍ଛା, ତେବେ ଅଧିକ ପିଲା ଜନ୍ମ କଲନାହିଁ କାହିଁକି?’

ନୈନିତାଲର ରାମନଗରଠାରେ ରବିବାର ଏକ ଜନସମାବେଶକୁ ସମ୍ବୋଧିତ କରିବା ବେଳେ ମୁଖ୍ୟମନ୍ତ୍ରୀ ରାଓ୍ଵତ୍‌ କହିଛନ୍ତି ଯେ ଦୁଇଜଣ ସଦସ୍ୟ ଥିବା ପରିବାର ଏବେ ୨୦ ଜଣ ସଦସ୍ୟ ଥିବା ପରିବାର ପ୍ରତି ଈର୍ଷ୍ୟାପରାୟଣ ହୋଇ ପଡ଼ିଛନ୍ତି। କାରଣ, ସରକାରୀ ରାସନ ଯୋଜନାରେ ୨୦ ଜଣିଆ ପରିବାର ଅଧିକ ଲାଭବାନ ହୋଇଛନ୍ତି।

କୋଭିଡ୍‌ ସମୟରେ ସରକାର ନିଶ୍ଚିତ କରିଥିଲେ ଯେ ପ୍ରତ୍ୟେକ ପରିବାର ସରକାରୀ ରାସନ ପାଇବେ। ଏହି କ୍ରମରେ ପ୍ରତ୍ୟେକ ପରିବାରକୁ ମୁଣ୍ଡପିଛା ୫ କିଲୋଗ୍ରାମ ରାସନ ଯୋଗାଇ ଦିଆଯାଇଥିଲା। ଏଥିରେ ୨ ଜଣିଆ ପରିବାର ୧୦ କିଲୋଗ୍ରାମ ରାସନ ପାଇଥିବା ବେଳେ ଯେଉଁ ପରିବାରରେ ୧୦ ଜଣ ସଦସ୍ୟ ଥିଲେ ସେମାନେ ୫୦ କିଲୋଗ୍ରାମ ପାଇଲେ। ଆଉ ଯେଉଁମାନଙ୍କର ୨୦ ଜଣ ସଦସ୍ୟ ଅଛନ୍ତି ସେମାନେ ୧୦୦ କିଲୋଗ୍ରାମ ପାଇଛନ୍ତି। ଅଧିକ ରାସନ ପାଇଥିବା ବହୁ ପରିବାର ରାସନକୁ ସଂରକ୍ଷଣ କରିଥିଲେ ଏବଂ ଏହାକୁ ବିକ୍ରି ମଧ୍ୟ କରିଥିଲେ। କାରଣ, ଚାଉଳର ମାନ ଅତ୍ୟନ୍ତ ଭଲ ଥିଲା।

ତେବେ, ଏହି ଘଟଣାରେ ଛୋଟ ପରିବାରଗୁଡ଼ିକ ବଡ଼ ପରିବାରମାନଙ୍କୁ ଈର୍ଷ୍ୟା କଲେ ଯେ ମୁଁ କାହିଁକି ୧୦ କିଲୋଗ୍ରାମ ପାଇଲି ଏବଂ ସେମାନଙ୍କୁ ୧୦୦ କିଲୋଗ୍ରାମ ରାସନ କାହିଁକି ମିଳିଲା? ତେବେ, ଏହିଘଟଣାରେ ଛୋଟ ପରିବାରଗୁଡ଼ିକ ବଡ଼ ପରିବାର ପ୍ରତି ଈର୍ଷ୍ୟାତୁର ହେବାର କୌଣସି କାରଣ ନାହିଁ। କାରଣ, ଯଦି ତୁମର ଅଧିକ ରାସନ ଦରକାର ଥିଲା ତେବେ ସମୟ ଥିବାବେଳେ ତୁମେ ଅଧିକା ପିଲା କାହିଁକି କଲ ନାହିଁ ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ ରାଓ୍ଵତ୍‌। ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ରାଓ୍ଵତଙ୍କର ଏଧରଣର ଭାଷଣକୁ ନେଇ ଏବେ ଠିଆ ହୋଇଛି ନୂଆ ଏକ ବିବାଦ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ହରିଦ୍ୱାର ଠାରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ସେ କହିଥିଲେ ଯେ ଆଗାମୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭଗବାନ ରାମ ଏବଂ ଭଗବାନ କୃଷ୍ଣଙ୍କ ପରି ପୂଜା କରାଯିବ। ଏବିବାଦ ନ ଥମୁଣୁ ଡେରାଡୁନ୍‌ ଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ସେ ‘ମହିଳାମାନଙ୍କ ଚିରା ଜିନସ୍‌ ପିନ୍ଧାକୁ’ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିଲା ନୂତନ ଏକ ବିବାଦ।

ସମ୍ବନ୍ଧିତ ଖବର