ନୂଆଦିଲ୍ଲୀ: କାହିଁକି ମୁନୀରଙ୍କୁ ନିମନ୍ତ୍ରଣ କଲେ ଟ୍ରମ୍ପ୍ ? ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଟ୍ରମ୍ପଙ୍କ ନିମନ୍ତ୍ରଣ । ପାକିସ୍ତାନ ଫିଲଡ ମାର୍ଶଲ ଅସୀମ ମୁନୀରଙ୍କୁ କାହିଁକି ମଧ୍ୟାହ୍ନ ଭୋଜନ ପାଇଁ ଡାକିଲେ ଆମେରିକା ରାଷ୍ଟ୍ରପତି ? କାହିଁକି କୌଣସି ଗଣମାଧ୍ୟମକୁ ନିମନ୍ତ୍ରଣ ଦିଆଗଲାନି ? କାହିଁକି ବୈଠକର ଫଟୋ କିମ୍ବା ଭିଡିଓ ଜାରି କରାଗଲାନି ? ଏନେଇ ଅନେକ ପ୍ରଶ୍ନ ଉଠିଲାଣି । 

Advertisment

ସେପଟେ ଟ୍ରମ୍ପ କହିଛନ୍ତି ଭାରତ-ପାକିସ୍ତାନ ଯୁଦ୍ଧ ବିରାମ ପାଇଁ ପାକିସ୍ତାନ ତାଙ୍କୁ ଧନ୍ୟବାଦ ଜଣାଇଛି ଓ ତେଣୁ ଅସୀମଙ୍କୁ ହ୍ବାଇଟହାଉସକୁ ନିମନ୍ତ୍ରଣ କରିଥିଲେ । ହ୍ବାଇଟହାଉସରେ ପାକିସ୍ତାନ ଫିଲ୍ଡ ମାର୍ଶଲ ପହଞ୍ଚିବା ଘଟଣା ବେଶ ଚର୍ଚ୍ଚା ସାଉଁଟିଥିଲା । ଅସୀମ ମୁନୀରଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ଖବରର ଦିନକ ପୂର୍ବରୁ ଖଣ୍ଡନ କରୁଥିବା ଟ୍ରମ୍ପ  ଠିକ ପରଦିନ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଥିଲେ । ଏହି ଘଟଣା ଯେତିକି ଆଶ୍ଚର୍ଯ୍ୟଜନକ ଥିଲା ସେତିକି ପ୍ରଶ୍ନ ମଧ୍ୟ ଛିଡା କରିଛି । ତେବେ ନଜର ପକାନ୍ତୁ ମୁନୀରଙ୍କୁ ନିମନ୍ତ୍ରଣ ପଛର କାରଣ କଣ ? 

ଭାରତର ଶତ୍ରୁ ଦେଶର ସେନାମୁଖ୍ୟଙ୍କୁ ନିମନ୍ତ୍ରଣ କରି କ’ଣ ପ୍ରମାଣ କରୁଛି ଆମେରିକା ? ଜଣେ ରାଷ୍ଟ୍ରର ମୁଖ୍ୟ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ବୈଠକ ଓ ଭୋଜନ କରିବା ସ୍ବାଭାବିକ । କିନ୍ତୁ ପ୍ରଧାନମନ୍ତ୍ରୀ ଶେହେବାଜଙ୍କ ବଦଳରେ ଅସୀମ ହ୍ବାଇଟ୍ ହାଉସର ଅତିଥି କଣ ପାଇଁ ? ଏହା ଭିତରେ ଗୋଟିଏ କଥା କୁହାଯାଇପାରେ ପାକିସ୍ତାନ ଯେତେ ପରମାଣୁ ଧମକ ଦେଲେ ବି ଆର୍ଥିକ ଓ କୂଟନୀତି ଦୃଷ୍ଟିରେ ବେଶ ଦୁର୍ବଳ । ଆତଙ୍କବାଦ ପାଇଁ ବିଶ୍ବବ୍ୟାପୀ ନିନ୍ଦା ଅପବାଦ ସହୁଥିବା ପାକିସ୍ତାନ ନିକଟରେ କେବଳ କିଛି ଇସଲାମିକ ରାଷ୍ଟ୍ରଙ୍କ ସମର୍ଥନ ରହିଛି । ଏହା ଭିତରେ ଆମେରିକାକୁ ପ୍ରଶଂସା କରି, ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ପ୍ରସ୍ତାବ ଦେଇ ପାକିସ୍ତାନ ସାହାଯ୍ୟ ଚାହୁଛି । 

ସେପଟେ ଆମେରିକା ମଧ୍ୟ ମୌକାର ଫାଇଦା ଉଠାଇବାକୁ ନୂଆ ମାଇଣ୍ଡ ଖେଳାଉ ଥାଇପାରେ । ଆଗାମୀ ଦିନରେ ପାକିସ୍ତାନକୁ ସାହାଯ୍ୟ ବଦଳରେ ବଡ ଡିଲ କରିପାରେ ଆମେରିକା । ପାକ ଏୟାରବେସକୁ ବ୍ୟବହାର କରି ଶତ୍ରୁ ରାଷ୍ଟ୍ର ଚୀନକୁ ଟାର୍ଗେଟ କରିବା ସମ୍ଭାବନା ମଧ୍ୟ ରହିଛି । ଏଭଳି ସ୍ଥଳରେ ଲଞ୍ଚ ଡିପ୍ଲୋମେସି ଏକ ମାଧ୍ୟମ ମାତ୍ର ହୋଇପାରେ । ଏହି ଘଟଣା ଆମେରିକାର ଦୋମୁହାଁନୀତି ପୁଣି ପଦାରେ ପକାଇଛି । ଏହି ଆତିଥ୍ୟ ପଛର କାରଣ କେବଳ ଏକ ପ୍ରଶଂସା ନା ନୋବେଲ ଡିଲ ନା ଆଉ କିଛି ସେକଥା ଏବେବି ସ୍ପଷ୍ଟ ହୋଇନି । କିନ୍ତୁ ଏକଥା ମାନିବାକୁ ପଡିବ ଯେଉଁଠି ମିଛ ଦାବି କରି ପ୍ରଶଂସା ପାଇବାକୁ ଚାହୁଛି ସେଠି ଭାରତର ଶତ୍ରୁ ଦେଶକୁ ବିନା ଫାଇଦାରେ ନା କେବେ ସାହାଯ୍ୟ କରିବ ନା ହ୍ବାଇଟହାଉସକୁ ନିମନ୍ତ୍ରଣ କରିବ ଆମେରିକା ।