ନୂଆଦିଲ୍ଲୀ: ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତିକୁ ନେଇ ଦିଲ୍ଲୀ ସରକାର ଓ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ସୁପ୍ରିମ୍ କୋର୍ଟ ଶୁକ୍ରବାର ଉଭୟ ପକ୍ଷଙ୍କୁ ବୈଠକ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ପ୍ରଦାନ କରାଯାଇଥିବା ପ୍ରାର୍ଥୀଙ୍କ ସଂକ୍ଷିପ୍ତ ତାଲିକା ଉପରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆମ୍ ଆଦମୀ ପାର୍ଟି (ଆପ୍) ନିୟନ୍ତ୍ରଣାଧୀନ ଦିଲ୍ଲୀ ସରକାର ଚଳିତ ମାସରେ ଅବସର ନେଉଥିବା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳ ବଢ଼ାଇବା କିମ୍ବା ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦେବା ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ବିବାଦୀୟ ଅଧ୍ୟାଦେଶ ଅନୁଯାୟୀ ଅମଲାମାନଙ୍କ ନିଯୁକ୍ତି ଉପରେ କେନ୍ଦ୍ର ସରକାରଙ୍କୁ ନିୟନ୍ତ୍ରଣ ଦିଆଯାଇଥିବା ପରିପ୍ରେକ୍ଷୀରେ ଏହି ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା ଏବଂ ଦିଲ୍ଲୀ ସରକାର ଯୁକ୍ତି ବାଢ଼ିଥିଲେ ଯେ ପରାମର୍ଶ ବିନା ଏଭଳି ନିଯୁକ୍ତି ହୋଇପାରିବ ନାହିଁ।
ଆଜିର ଶୁଣାଣିରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି କହଥିଲେ ଯେ ‘ସବୁବେଳେ ମୁଖ୍ୟ ସଚିବଙ୍କୁ ଦିଲ୍ଲୀ ସରକାର ନିଯୁକ୍ତି ଦେଉଥିଲେ। ଏବେ ଏକ ସାଧାରଣ ଅଧ୍ୟାଦେଶ ଆସିଛି... ଯାହାକୁ ମୁଁ ବିରୋଧ କରୁଛି; ତାହା ହେଉଛି ଏ ପ୍ରସଙ୍ଗରେ ଉପରାଜ୍ୟପାଳଙ୍କ ଏକତରଫା ନିଷ୍ପତ୍ତି।’
ଏହାର ଜବାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ବାସ୍ତବରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦିଲ୍ଲୀ ସେବା ବିଲ୍କୁ ଉଲ୍ଲେଖ କରି ଏହି ନିଯୁକ୍ତି ଦେଇଥିଲା। ତେବେ ମନ୍ତ୍ରୀ ପରିଷଦର ପରାମର୍ଶ ଆଧାରରେ ମନ୍ତ୍ରାଳୟ କେବଳ ନିଯୁକ୍ତି ଦେବ ବୋଲି ସିଂଘଭି ଯୁକ୍ତି ବାଢ଼ିଥିଲେ।
ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲର ଶୁଣାଣି କଲାପରେ କହିଛନ୍ତି, ଉପରାଜ୍ୟପାଳ (ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା) ଏବଂ ମୁଖ୍ୟମନ୍ତ୍ରୀ (ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ) କାହିଁକି ସାକ୍ଷାତ କରୁନାହାଁନ୍ତି? (କିନ୍ତୁ) ଗତଥର ଆମେ କହିଥିଲୁ ଯେ, ଡିଇଆରସି (ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗ) ଅଧ୍ୟକ୍ଷ ନିଯୁକ୍ତି ପାଇଁ ସେମାନେ କେବେ ରାଜି ହୋଇ ନଥିଲେ... ତେବେ ଏଲଜି ଓ କେନ୍ଦ୍ର ସରକାର କାହିଁକି ନାମ ପ୍ୟାନେଲ ପ୍ରସ୍ତାବ ଦେଉନାହାନ୍ତି? ଚୂଡ଼ାନ୍ତ ଚୟନ ଆପଣଙ୍କ ଦ୍ୱାରା ଦିଆଯାଇଥିବା ପ୍ୟାନେଲରୁ ହେବ। ଆପଣ ଏକ ପ୍ୟାନେଲ ପ୍ରସ୍ତାବ ଦିଅନ୍ତୁ। ତା’ପରେ ସେମାନେ (ଦିଲ୍ଲୀ ସରକାର) ସେଥିମଧ୍ୟରୁ ଗୋଟିଏ ନାମ ଚୟନ କରିବେ ବୋଲି ପ୍ରଧାନ ବିଚାରପତି ପ୍ରସ୍ତାବ ଦେଇଛନ୍ତି।