ପୁଞ୍ଚ : ଦୁଇ ସପ୍ତାହ ହେଲାଣି ଭାରତ-ପାକ୍ ମଧ୍ୟରେ ଅଶାନ୍ତି ଲାଗି ରହିଛି । ଫେବୃଆରି ୧୪ରେ ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ଜଣ ଯବାନ ସହିଦ୍ ହୋଇଥିଲେ । ଏହା ପରେ ଭାରତ-ପାକ୍ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିଲା । ଭାରତୀୟ ବାୟୁସେନା ୪୦ଜଣ ଯବାନଙ୍କ ମୃତ୍ୟୁର ଜବାବ ଏୟାର ଷ୍ଟ୍ରାଇକ୍ କରି ଦେବା ସହ ୩୦୦ଆତଙ୍କବାଦୀଙ୍କୁ ନିହତ କରିଥିଲା । ଏହି ଘଟଣା ପରେ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଯିବା ସହ ଭାରତ-ପାକ୍ ସୀମାରେ ପାକ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରା ଯାଉଥିବା ଦେଖାଯାଇଛି ।
ଦୁଇ ଦେଶ ମଧ୍ୟରେ ଗୁଳି ବିନିମୟ ଚାଲି ଥିବା ବେଳେ ଏହାର ପ୍ରଭାବ ନିୟନ୍ତ୍ରଣ ରେଖା ପାଖରେ ରହୁଥିବା ଲୋକମାନଙ୍କ ଉପରେ ପଡ଼ୁଥିବା ଦେଖା ଯାଇଛି । ପୁଞ୍ଚରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଗୋଟେ ପରିବାରର ୩ଜଣ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ରଖ୍ମତ୍ ବିବି ନାମକ ଜଣେ ବୃଦ୍ଧା ନିଜ ବୋହୂ ଏବଂ ନାତି ନାତୁଣୀଙ୍କୁ ହରାଇ ଏବେ ମୃତ୍ୟୁର ଭିକ୍ଷା ମାଗିବା ଆରମ୍ଭ କରିଛନ୍ତି ।
ସୂଚନା ମୁତାବକ, ଭାରତ-ପାକ୍ ମଧ୍ୟରେ ଗୁଳିବର୍ଷା ଆରମ୍ଭ ହୋଇଥିବା ବେଳେ ନିୟନ୍ତ୍ରଣ ରେଖା ପାଖରେ ରହୁଥିବା ରଖ୍ମତ୍ଙ୍କ ପରିବାର ଉପରେ ଏହାର ଗଭୀର ପଡ଼ିଛି । ଶୁକ୍ରବାର ନିୟନ୍ତ୍ରଣ ରେଖାରେ ଗୁଳି ବର୍ଷା ଅଧିକ ବଢ଼ିଯିବା ସହ ବୋମା ବିସ୍ଫୋରଣ ମଧ୍ୟ ହୋଇଥିଲା । ଏହି ସମୟରେ ଗୋଟିଏ ବୋମା ଆସି ରଖ୍ମତ୍ଙ୍କ ଘର ଉପରେ ପଡ଼ିବା ପରେ ବିସ୍ଫୋରଣରେ ତାଙ୍କ ବୋହୂ, ନାତି ଏବଂ ନାତୁଣୀ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ରଖ୍ମତ୍ଙ୍କ ପୁଅକୁ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ସେ ଏବେ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣା ପଡ଼ିଛି । ଏତେ ସବୁ ହେବା ପରେ ମଧ୍ୟ ରଖ୍ମତ୍ ନିଜ ଭଙ୍ଗା ଘରକୁ ଛାଡ଼ି ଯିବାକୁ ରାଜି ନାହାନ୍ତି । ସେ ନିଜ ଘରେ ହିଁ ମରିବାକୁ ଚାହାନ୍ତି ବୋଲି କହିଛନ୍ତି । ପ୍ରତିଦିନ ଡ଼ରାଇ ଡ଼ରାଇ ମାରିବା ଅପେକ୍ଷା ଏକା ଥରକେ ଆମକୁ କ’ଣ ପାଇଁ ମାରି ଦେଉ ନାହାନ୍ତି ବୋଲି କହିଛନ୍ତି ରଖ୍ମତ୍ ।