ଗୌହ୍ବାଟୀ: ବର୍ଷାଦିନ ଆସିଲେ ସବୁବେଳେ ଗଣମାଧ୍ୟମରେ ଆସାମର ଚିତ୍ର ପ୍ରଥମେ ଆସେ । କାହିଁକି ନା ପ୍ରତିବର୍ଷ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅନେକ ଧନ ଜୀବନ ନଷ୍ଟ ହେବା ସହ ସରକାର ଚିନ୍ତାରେ ପଡ଼ିଥାନ୍ତି । ଜୁନ, ଜୁଲାଇ ମାସରେ ପ୍ରାୟତଃ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଥାଏ ଆସାମ । ଫସଲ ନଷ୍ଟ ହେବା ସହ କୋଟି କୋଟି ଟଙ୍କା କ୍ଷତି ସହିଥାଏ ରାଜ୍ୟ । ତେବେ ଅନ୍ୟ ରାଜ୍ୟ ତୁଳନାରେ ଆସାମରେ କାହିଁକି ବନ୍ୟା ପରିସ୍ଥିତି ଏତେ ଭୟଙ୍କର ହୋଇଥାଏ? ଆସନ୍ତୁ ଜାଣିବା କାରଣ।
ଦେଶର ପ୍ରମୁଖ ଉତ୍ତର-ପୂର୍ବ ରାଜ୍ୟ ଆସାମ । ଏହି ରାଜ୍ୟ ଦେଇ ବ୍ରହ୍ମପୂତ୍ର ନଦୀ ପ୍ରବାହିତ ହୋଇଛି । ଏହା ଦେଶର ଦ୍ୱିତୀୟ ବୃହତ୍ତମ ନଦୀ, ଯାହାର ଲମ୍ବ ପ୍ରାୟ ୩ ହଜାର କିଲୋମିଟର । ନଦୀର ଦୀର୍ଘତା ସେଠାରେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ଉପୁଜୁଥିବାର ଏକ ମୁଖ୍ୟ କାରଣ ହୋଇଥାଏ । ବ୍ରହ୍ମପୁତ୍ର ନଦୀ ତିବ୍ବତର ମାନସରୋବର ନିକଟରେ ଉତ୍ପନ୍ନ ହୋଇଛି । ଏହା ତିବ୍ବତରୁ ଆସି ଅରୁଣାଚଳ ପ୍ରଦେଶରୁ ଭାରତରେ ପ୍ରବେଶ କରିଛି । ତେବେ ତିବ୍ବତରୁ ବାହାରୁଥିବା ଏବଂ ଅରୁଣାଚଳ ପ୍ରଦେଶରେ ପହଞ୍ଚିବା ରାସ୍ତା ସମ୍ପୂର୍ଣ୍ଣ ପାହାଡ଼ିଆ । ଏଣୁ ବ୍ରହ୍ମପୁତ୍ର ନଦୀର ସ୍ରୋତ ଦ୍ରୁତ ଗତିରେ ପ୍ରବାହିତ ହୁଏ ନାହିଁ । ତେବେ ଅରୁଣାଚଳ ପ୍ରଦେଶରୁ ଆସାମରେ ପହଞ୍ଚିବା ପରେ ଭୂମି ସମତଳ ହୋଇଥିବା କାରଣରୁ ଜଳର ଗତି ବଢ଼ିଯାଇଥାଏ । ଏପରିକି ସମତଳ ସ୍ଥାନକୁ ଆସିବା ପରେ କେତେକ ସ୍ଥାନରେ ଏହାର ଓସାର ମଧ୍ୟ ୧୦ କିଲୋମିଟର ହୋଇଯାଏ । ଯଦି ପର୍ବତ ଉପରେ ଅଧିକ ବର୍ଷା ହୁଏ ଏବଂ ପାଣି ବ୍ରହ୍ମପୁତ୍ରରେ ପ୍ରବେଶ କରେ, ଏହାପରେ ଜୁନ୍ ଜୁଲାଇ ମାସରେ ସ୍ଥିତି ଭୟଙ୍କର ହୋଇଥାଏ । ତେବେ ଏହା କେବଳ ବନ୍ୟାର ମୁଖ୍ୟ କାରଣ ନୁହେଁ । ବ୍ରହ୍ମପୁତ୍ରର ଅନେକ ଗୁଡ଼ିଏ ଉପନଦୀ ମଧ୍ୟ ବନ୍ୟାର କାରଣ ସାଜିଥାନ୍ତି । ୩୫ଟି ଛୋଟ ନଦୀ ଏବଂ ବଡ଼ ନଦୀ ଅଛନ୍ତି ଯାହା ଆସାମର ବିଭିନ୍ନ ସ୍ଥାନରେ ବ୍ରହ୍ମପୂତ୍ରରେ ମିଶିବା ପରେ ଅଧିକ ବିପଜ୍ଜନକ ହୋଇଥାଆନ୍ତି।
ସିଆଙ୍ଗ, ଲୋହିତ ଏବଂ ଦିବାଙ୍ଗ ତିନୋଟି ବଡ଼ ନଦୀର ଜଳ ମିଳିତଭାବେ ଆସାମରେ ପ୍ରବାହିତ ହୋଇଥାଏ । ଏଭଳି ଅନେକ ଛୋଟ ନଦୀ ରହିଛନ୍ତି ଯାହାକି ବିଭିନ୍ନ ଜିଲ୍ଲାରୁ ବାହରି ବ୍ରହ୍ମପୁତ୍ର ନଦୀରେ ମିଶିଥାନ୍ତି । ଫଳରେ ବର୍ଷାଜଳ ଆଦି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାଏ ।
ଆସାମ ସରକାରଙ୍କ ଅଫିସିଆଲ ୱେବସାଇଟରେ ପ୍ରକାଶ କରାଯାଇଛି କି, ରାଜ୍ୟର ଭୌଗଳିକ ଅବସ୍ଥିତି ଏପରି ଯେ ପ୍ରାୟ ୭୮.୫୨୩ ଲକ୍ଷ ହେକ୍ଟର ଜମି ମଧ୍ୟରୁ ୩୧.୦୫ ଲକ୍ଷ ହେକ୍ଟର ଜମି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଏହା ହେଉଛି ଜାତୀୟ ବନ୍ୟା ଆୟୋଗର ଆକଳନ । ସମଗ୍ର ଦେଶରେ ଆସୁଥିବା ପ୍ରାୟ ୯.୫ ପ୍ରତିଶତ ବନ୍ୟା କେବଳ ଆସାମରେ ହୋଇଥାଏ । ଆସାମର ବନ୍ୟା ପରିସ୍ଥିତି ସମଗ୍ର ଦେଶ ତୁଳନାରେ ୪ ଗୁଣା ଅଧିକ ।
ପାହାଡ଼ିଆ ଅଞ୍ଚଳରେ ଏବଂ କିଛି ସ୍ଥାନରେ ବ୍ରହ୍ମପୁତ୍ର ଏବଂ ଉପନଦୀ ଉପରେ ବନ୍ଧ କରି ଜଳକୁ ନିୟନ୍ତ୍ରଣ କରାଯାଉଛି । କିନ୍ତୁ ଉପର ମୁଣ୍ଡରୁ ଏତେ ପାଣି ଆସିଥାଏ କି, ଅଟକାଇବା ଅସମ୍ଭବ ହୋଇଥାଏ । ଏଣୁ ପାଣିକୁ ନିସ୍କାଷନ କରିବାକୁ ବାଧ୍ୟ ହୋଇଥାନ୍ତି । ସମତଳ ଭୂମିରେ ପାଣି ମାଡ଼ିବା ସହ ବହୁ କ୍ଷତି ହୋଇଥାଏ । ଲୋକଙ୍କୁ ବାଧ୍ୟ ହୋଇ ଘର ଛାଡ଼ିବାକୁ ମଧ୍ୟ ପଡ଼ିଥାଏ । ସରକାର ବହୁତ ଥର ବଡ଼ ବଡ଼ ପ୍ରକଳ୍ପମାନ ଘୋଷଣା କରିଛନ୍ତି । କିନ୍ତୁ ଅଧିକାଂଶ ପ୍ରକଳ୍ପ ଅଧାରେ ପଡ଼ି ରହିଥିବା ସ୍ଥାନୀୟଲୋକେ ଅଭିଯୋଗ କରନ୍ତି ।
ପ୍ରତିବର୍ଷ ଆସାମରେ କାହିଁକି ବନ୍ୟା ହୁଏ? ଜାଣନ୍ତୁ କ’ଣ ରହିଛି କାରଣ
/sambad/media/post_attachments/wp-content/uploads/2023/07/This-is-The-Reason-For-Flood-in-Asaam-Every-Year_Thumbnail.jpg)