ଲକ୍ଷ୍ନୌ: ଆମ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ପ୍ରମୁଖ ହେମନ୍ତ ସୋରେନଙ୍କ ଗିରଫଦାରୀର କାରଣ ସମ୍ପର୍କରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ବିଜେପି ଲୋକସଭା ନିର୍ବାଚନର ସମ୍ଭାବ୍ୟ ପରିଣାମ ନେଇ ଭୟଭୀତ ହୋଇଛି। ତେଣୁ ବିଜେପି ଭୁଲ୍ ପଦକ୍ଷେପ ଗ୍ରହଣ କରିଛି।
ଇଣ୍ଡିଆ ମେଣ୍ଟକୁ ସମର୍ଥନ ଦୁଇ ରାଜନୈତିକ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଜେଲ୍ ପଠାଇଛି। ଏପରି କାର୍ଯ୍ୟ କରି ବିଜେପି ନିଜର ଡରକୁ ପ୍ରକାଶ କରିଛି।
ଅଖିଳେଶ ବିଜେପି ଉଦ୍ଦେଶ୍ୟରେ କହିଛନ୍ତି ଯେଉଁ ଲୋକେ ୪୦୦ ପାର୍ ସ୍ଲୋଗାନ ଦେଉଛନ୍ତି ସେମାନେ ବୋଧେ ଜାଣି ନାହାନ୍ତି ଉତ୍ତର ପ୍ରଦେଶରେ ସେମାନେ ପରାଜିତ ହେବେ। ସେମାନଙ୍କର ମନରେ ଭୟ ରହିଛି ସେମାନେ ବହୁ ଆସନ ହରାଇବେ। ତେଣୁ ଶାସକ ଦଳ କେଜ୍ରିୱାଲ ଏବଂ ହେମନ୍ତଙ୍କୁ ଜେଲ୍ ପଠାଇଛି। ଯଦି ଶାସକ ଦଳ ୪୦୦ ପାର୍ କରିବାକୁ ନିଶ୍ଚିତ ତେବେ ଯେକୌଣସି ଦଳର ଯେ କୌଣସି ନେତାଙ୍କୁ କାହିଁକି ସହଜରେ ଗ୍ରହଣ କରି ନିଜ ଦଳରେ ସାମିଲ କରୁଛି।
ବିଜେପି ବରେଲିରୁ ଜଣେ ମାଫିଆଙ୍କୁ ଦଳରେ ସାମିଲ କରିଛି। ବିଜେପିକୁ କଡ଼ା ସମାଲୋଚନା କରୁଥିବା ଲୋକଙ୍କୁ ଶାସକ ଦଳ ନିଜ ଶିବିରରେ ସାମିଲ କରାଇଛି। ଉତ୍ତରପ୍ରଦେଶ ଯେଉଁ ଦଳ ବିଜେପିକୁ କଡ଼ା ସମାଲୋଚନା କରୁଥିଲେ ସେମାନଙ୍କ ସହ ଶାସକ ଦଳ ମେଣ୍ଟ କରି ସେମାନଙ୍କ ମୁହଁ ଚୁପ୍ କରିବାର ପ୍ରୟାସ କରିଛି।
ବିଜେପି ପକ୍ଷରୁ ଅଣାଯାଇଥିବା ନିର୍ବାଚନୀ ବଣ୍ଡ୍ ଯୋଜନା ଯୋଗୁ ଦେଶରେ ଦରଦାମ୍ ବୃଦ୍ଧି ହୋଇଛି। ବିଜେପି ଯେବେଠାରୁ କ୍ଷମତାକୁ ଆସିଛି ସେବେଠାରୁ ଦେଶରେ ପେଟ୍ରୋଲ, ଡିଜେଲ୍ ଦର ଲଗାତାର ବଢ଼ିବାରେ ଲାଗିଛି। ଦରଦାମ୍ ବୃଦ୍ଧି ରୋକିବା ବଦଳରେ ବିଜେପି କେବଳ ଧନ ଠୁଳ କରିବାରେ ଲାଗିପଡ଼ିଛି। ଦେଶରେ ବିଜେପି ଯୋଗୁ ଦୁର୍ନୀତି ବଢ଼ିବାରେ ଲାଗିଛି।
କ୍ଷତିରେ ଚାଲିଥିବା କମ୍ପାନୀଙ୍କଠାରୁ ବିଜେପି ଚାନ୍ଦା ଆଦାୟ କରିଛି। ବିମୁଦ୍ରୀକରଣ ଏବଂ ନିର୍ବାଚନୀ ବଣ୍ଡ ଦ୍ବାରା ବିଜେପି ନିଜର କଳା ଧନକୁ ଧଳା କରିବାରେ ଲାଗିଛି ବୋଲି ସେ ଅଭିଯୋଗ କରିଛନ୍ତି।