ନୂଆଦିଲ୍ଲୀ: ବାଲାକୋଟ ସ୍ଥିତ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ସଫଳ ବୋମାମାଡ଼ ପରେ ପ୍ରତିଶୋଧପରାୟଣ ପାକିସ୍ତାନ ଭାରତ ବାୟୁସୀମାରେ ଅନୁପ୍ରବେଶ କରି ଶ୍ରୀନଗର ସାମରିକ ଘାଟି ଉପରେ କରିବାକୁ ଥିବା ସମ୍ଭାବ୍ୟ ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି। ଏଥିରେ ପ୍ରମୁଖ ଭୂମିକା ନିଭାଇଥିବା ବାୟୁସେନାର ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଏକ ପୁରୁଣା ତଥା ସମୟାନୁପଯୋଗୀ ମିଗ୍-୨୧ ବାଇସନ୍ ବିମାନରେ ଗୋଡ଼ାଇ ଶତ୍ରୁପକ୍ଷର ଅତ୍ୟାଧୁନିକ ଏଫ୍-୧୬ ବିମାନକୁ ଗୁଳି କରି ଖସାଇଦେଇ ଅତୁଳନୀୟ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଅବଶ୍ୟ ଭୀଷଣ ପ୍ରତିକୂଳ ପରିସ୍ଥିତିରେ ପାକ୍ ସେନା ପରେ ଅଭିନନ୍ଦନଙ୍କୁ ନିଜ କବଳକୁ ନେବାରେ ସଫଳ ହୋଇଥିଲେ ହେଁ ପ୍ରବଳ କୂଟନୈତିକ ଚାପରେ ମୁଣ୍ଡ ନୁଆଁଇ ଅଭିନନ୍ଦନଙ୍କୁ ଛାଡ଼ିଦେବାକୁ ବାଧ୍ୟ ହୋଇଛି। ମାତ୍ର ସମଗ୍ର ଘଟଣାକ୍ରମକୁ ଅନୁଧ୍ୟାନ କଲେ ଭାରତ ଏବେ ନିଜକୁ ପଚାରିବା ପାଇଁ ଅନେକ ପ୍ରଶ୍ନ ଉଙ୍କି ମାରିଛି।
ଅଭିନନ୍ଦନଙ୍କ ଅଦମ୍ୟ ସାହସ ଏବଂ ବୀରତା ପାଇଁ ଦଳମତ ନିର୍ବିଶେଷରେ ସମଗ୍ର ଦେଶବାସୀ ତାଙ୍କୁ ସ୍ବାଗତ କରିବା ସହ ପାକିସ୍ତାନକୁ ବିଶ୍ବ ସମୁଦାୟ ପାଖରେ ଏକଘରିକିଆ କରିଦେଇଥିବା ବିଜୟୋଲ୍ଲାସରେ ମଜି ଯାଇଛନ୍ତି। ତେବେ ଏକଥା ସ୍ବତଃସିଦ୍ଧ, ଦେଶବ୍ୟାପୀ ଏଭଳି ସମ୍ଭାଷଣ ଓ ସ୍ବାଗତ ପରେ ଅଭିନନ୍ଦନ ଏବଂ ତାଙ୍କ ଭଳି ଅନେକ ଯବାନଙ୍କୁ ଅନୁରୂପ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପଡ଼ିବ। ସେଇ ପୁରୁଣା ବିମାନ ଚଢ଼ି ସେମାନେ ଶତ୍ରୁପକ୍ଷକୁ ସାମନା କରିବାରେ କେତେ ଦୂର ସମର୍ଥ ହେବେ ତାହା ହିଁ ଆକଳନ କରିବାର ବେଳ ଆସିଛି। ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ବି ଡି ଜୟାଲଙ୍କ କହିବା ଅନୁଯାୟୀ, ୧୯୬୨ ମସିହା ଚୀନ ଯୁଦ୍ଧର ତିକ୍ତ ଅନୁଭୂତି ପରେ ଦେଶବାସୀ ସହିଦ ଯବାନଙ୍କ ସ୍ମୃତିରେ ଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ କୋଇଲି କଣ୍ଠୀ ଲତା ମଞ୍ଜେସ୍କର ଗାଇଥିବା ୟେ ମେରେ ଵତନ କେ ଲୋଗୋଁ ଗୀତରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଲୁହ ଝରାଇଥିଲେ। ଯବାନମାନଙ୍କ ମନରେ ଏକ ଧାରଣା ଆସିଥିଲା କି ଏହା ପରେ କୌଣସି ଯୁଦ୍ଧର ସାମନା କରିବା ପାଇଁ ଆଉ ସେମାନଙ୍କୁ ଉପଯୁକ୍ତ ଅସ୍ତ୍ରଶସ୍ତ୍ର ବିନା ଯିବାକୁ ପଡ଼ିବନି। ମାତ୍ର ଏହାର ୩୭ ବର୍ଷ ପରେ ସଂଘଟିତ କାର୍ଗିଲ ଯୁଦ୍ଧ ଯାଏ ମଧ୍ୟ ରଣକ୍ଷେତ୍ରଗାମୀ ଯବାନଙ୍କ ଭିତ୍ତିଭୂମିରେ ସେଭଳି ଉଲ୍ଲେଖନୀୟ ଉନ୍ନତି ହୋଇନଥିଲା।
ଅପରପକ୍ଷେ, ସମ୍ପ୍ରତି ଦେଶବାସୀଙ୍କୁ ଆନ୍ଦୋଳିତ କରିଥିବା ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବୀରତା କାହାଣୀ ଏବଂ ପରାକ୍ରମୀ ମୁହୂର୍ତ୍ତ ଧୀରେ ଧୀରେ ଫିକା ପଡ଼ି ଆସିଲା ପରେ ଦେଶ ନିଜକୁ ଅନ୍ତତଃ ତିନିଟି ପ୍ରଶ୍ନ ପଚାରିବାର ଅଛି। ପ୍ରଥମତଃ ଶତ୍ରୁପକ୍ଷର ଏଫ୍-୧୬ ଭଳି ଅତ୍ୟାଧୁନିକ ବିମାନକୁ ମୁକାବିଲା କରିବା ପାଇଁ ଅଭିନନ୍ଦନଙ୍କୁ କାହିଁକି ମିଗ୍-୨୧ ଭଳି ଏକ ଅତି ପୁରୁଣା ଓ ସମୟାନୁପଯୋଗୀ ବିମାନରେ ଉଡ଼ିବାକୁ ପଡ଼ିଥିଲା। ବାୟୁସେନା କାହିଁକି ଏହାର ସ୍କ୍ବାଡ୍ରନ୍ ବଳକୁ ଆବଶ୍ୟକତା ଠାରୁ ନ୍ୟୂନ କରି ରଖିଛି। ଏପରିକି ଅନେକ ସ୍କ୍ବାଡ୍ରନରେ ପୁରୁଣା ବିମାନ ଓ ଅସ୍ତ୍ରଶସ୍ତ୍ରର ବିନିଯୋଗ ଚାଲିଛି। ତୃତୀୟତଃ ସେନାର ମନୋବଳକୁ ଦୃଢ଼ କରିବା ପାଇଁ ବଜେଟ୍ ପ୍ରସ୍ତୁତି ବେଳେ ଆମେ ରାଜନୀତି ନକରି ଅକୁଣ୍ଠ ସମର୍ଥନ କରୁନାହେଁ କାହିଁକି। ଏ ସବୁକୁ ସମୀକ୍ଷା କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଏ ହେଉଛି ଅନୁକୂଳ ମୁହୂର୍ତ୍ତ ବୋଲି ପ୍ରାକ୍ତନ ଏୟାର ମାର୍ଶାଲ୍ ଜୟାଲ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/113980-mjzxmckyso-1551162202.jpg)
