ୟୁକ୍ରେନ ସଂକଟକୁ ନେଇ ଭାରତ କାହିଁକି ଚିନ୍ତିତ ?

ନୂଆଦିଲ୍ଲୀ : ଋଷିଆ ଓ ୟୁକ୍ରେନ ବିବାଦ ସମଗ୍ର ବିଶ୍ବ ପାଇଁ ଚିନ୍ତା ଉଦ୍ରେକ କରିଛି । ପାଶ୍ଚାତ୍ୟ ଦେଶଙ୍କ ବାରଣ ସତ୍ତ୍ବେ ଋଷିଆ ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ତାହା ଏକ ବଡ଼ ଯୁଦ୍ଧର ରୂପ ନେବ ଓ ସମଗ୍ର ୟୁରୋପରୁ ବ୍ୟାପିବାର ଆଶଙ୍କା ରହିଛି । ଏଣୁ ଏହି ସଂକଟ ଉପରେ ଏବେ ସମଗ୍ର ବିଶ୍ବର ନଜର ରହିଛି । ତେବେ ଏହି ଯୁଦ୍ଧ ହେଲେ ଭାରତ କିପରି ଭାବେ ପ୍ରଭାବିତ ହେବ ?

ସାମରିକ ବିଶେଷଜ୍ଞଙ୍କ ମତରେ ୟୁକ୍ରେନ ସଂକଟ ଭାରତ ପାଇଁ ଏକ ଧର୍ମସଂକଟଠାରୁ କମ ନୁହେଁ । କାରଣ ଭାରତ ପାଇଁ ଗୋଟିଏ ପଟେ କୂଅ ଥିବାବେଳେ ଅନ୍ୟପଟେ ଖାଇ ରହିଛି । ସାମରିକ ସାମଗ୍ରୀ ପାଇଁ ଭାରତ ଋଷ ଉପରେ ସର୍ବାଧିକ ନିର୍ଭରଶୀଳ । ଭାରତୀୟ ସାମରିକ ଯନ୍ତ୍ରପାତିର ପ୍ରାୟ ୬୦ ପ୍ରତିଶତ ଋଷନିର୍ମିତ । ଅନ୍ୟପଟେ କେତେକ ଗୁରୁତ୍ବପୂର୍ଣ୍ଣ ସାମରିକ ଉପକରଣ ( ଯେପରିକି ଡ୍ରୋନ, ଗୁଇନ୍ଦା ବିମାନ, ଶୀତବସ୍ତ୍ର, ଲଢୁଆ ବିମାନ) ପାଇଁ ଭାରତ ଆମେରିକା ଓ ୟୁରୋପୀୟ ଦେଶଙ୍କ ଉପରେ ନିର୍ଭରଶୀଳ । ଏଣୁ ଏହି ଯୁଦ୍ଧରେ ଭାରତ ଗୋଟିଏ ପକ୍ଷଭୁକ୍ତ ହେବା ସହଜ ନୁହେଁ ।

 

 

ପାଶ୍ଚାତ୍ୟ ଦେଶ ଯଦି ଋଷିଆ ଉପରେ କଟକଣା ଲଗାନ୍ତି ତେବେ ତେଲ, ଗ୍ୟାସ ସମେତ ନିଜର ବିଭିନ୍ନ ସାମଗ୍ରୀର ରପ୍ତାନି ପାଇଁ ଋଷିଆ ଚୀନ ଉପରେ ଅଧିକ ନିର୍ଭରଶୀଳ ହୋଇଯିବ । ଚୀନ କଥାରେ ପଡ଼ି ଯଦି ଋଷିଆ ଭାରତକୁ ସାମରିକ ରପ୍ତାନି ଅଟକାଇ ଦିଏ, ତେବେ ଭାରତ ପାଇଁ ପରିସ୍ଥିତି ଜଟିଳ ହୋଇଯିବ ।

ଅନ୍ୟପକ୍ଷରେ ଏହି ଯୁଦ୍ଧ ହେଲେ ଋଷିଆରୁ ୟୁରୋପକୁ ତେଲ ଓ ଗ୍ୟାସ ରପ୍ତାନି ବନ୍ଦ ହୋଇଯିବ । ଏହା ଫଳରେ ବିଶ୍ବରେ ତେଲ ଅଭାବ ଦେଖାଯିବ ଓ ତେଲ ଦର ଆହୁରି ବୃଦ୍ଧି ପାଇବ । ଏହା ଭାରତ ପାଇଁ ପରିସ୍ଥିତିକୁ ଜଟିଳ କରିବ ।

ସମ୍ବନ୍ଧିତ ଖବର