ଭାରତ କାହିଁକି ଭୂମିତଳ ଗୁମ୍ଫାରେ ତେଲ ଗଚ୍ଛିତ କରି ରଖୁଛି ?

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ଗତ କାଲି ଆଉ ୬.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଭୂତଳ ତୈଳ ଭଣ୍ଡାର ନିର୍ମାଣ ପାଇଁ ମଂଜୁରୀ ଦେଇଛି । ଏହା ମଧ୍ୟରୁ ବୃହତ୍ତମ ଜରୁରୀକାଳୀନ ତୈଳ ଭଣ୍ଡାରଟି ଓଡ଼ିଶାର ଚଣ୍ଡିଖୋଲଠାରେ ହେବ । ପୂର୍ବରୁ ମଧ୍ୟ ଭାରତର ୩ଟି ଭୂତଳ ତୈଳ ଭଣ୍ଡାର ରହିଛି । ସେଗୁଡ଼ିକର ମୋଟ କ୍ଷମତା ୫.୩ ନିୟୁଟ ଟନ ରହିଛି । ନୂଆ ଦୁଇଟି ଭୂତଳ ତୈଳଭଣ୍ଡାର କାର୍ଯ୍ୟକ୍ଷମ ହେଲେ ଦେଶର ମୋଟ ଜରୁରୀକାଳୀନ ତୈଳ ଭଣ୍ଡାର କ୍ଷମତା ୧୧.୮ ନିୟୁତ ଟନ ହେବ । ଏହା ଦେଶର ତୈଳ ଚାହିଦା ୨୨ ଦିନକୁ ବୃଦ୍ଧି ପାଇବ । ତେବେ ଭାରତ ଏସବୁ ଭୂମିତଳ ଗୁମ୍ଫାରେ ତେଲ ଲୁଚାଇ ରଖୁଛି କାହିଁକି ?

ଏହାର କାରଣ ହେଉଛି ଗତ ୧୯୯୦ରେ ହୋଇଥିବା ଉପସାଗରୀୟ ଯୁଦ୍ଧ ସମୟର ଭାରତ ଏକ ଶିକ୍ଷା ଲାଭ କରିଥିଲା । ଉପସାଗରୀୟ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଭାରତକୁ ତେଲ ଯୋଗାଣ ବନ୍ଦ ହୋଇଯାଇଥିଲା । ଫଳରେ ଭାରତ ପାଖରେ ମାତ୍ର ୩ ଦିନ ପାଇଁ ତେଲ ଥିଲା । ପୁଣି ବିଶ୍ୱ ବଜାରରେ ତେଲ ଦର ଦ୍ରୁତ ଗତିଲେ ବୃଦ୍ଧି ପାଇଚାଲିଥିଲା । କିନ୍ତୁ ଭାରତ ପାଖରେ ସେତେବେଳେ ମାତ୍ର ୧.୨ ବିଲିୟନ ଡଲାରର ବୈଦେଶିକ ମୁଦ୍ରା ଥିଲା । ଯଦି ଯୁଦ୍ଧ ବନ୍ଦ ହୋଇନଥାନ୍ତା ତେବେ ଭାରତରେ ହାହାକାର ସୃଷ୍ଟି ହୋଇଯାଇଥାନ୍ତା । ଦେଶରେ ତେଲ ସଂକଟ ଦେଖାଯାଇଥାନ୍ତା । ଆଗକୁ ଏପରି ସଂକଟ ନ ହେବା ପାଇଁ ଭାରତ ଭୂମି ତଳେ ଗୁମ୍ଫା ନିର୍ମାଣ କରି ତେଲ ଗଚ୍ଛିତ କରି ରଖୁଛି । ଜରୁରୀକାଳୀନ ତୈଳ ଭଣ୍ଡାର ଗୋଟିଏ ଦେଶର ଜରୁରୀକାଳୀନ ତୈଳ ଆବଶ୍ୟକତା ପୂରଣ କରେ । ଯୁଦ୍ଧ କିମ୍ବା ପ୍ରାକୃତିକ ଦୁର୍ବିପାକ ପରିସ୍ଥିତିରେ ଭାରତକୁ ତେଲ ଆସିନପାରିଲେ ଏହି ତୈଳ ଭଣ୍ଡାରକୁ ବ୍ୟବହାର କରାଯାଏ । ମଧ୍ୟପୂର୍ବ ଦେଶଗୁଡ଼ିକରେ ବାରମ୍ବାର ଅସ୍ଥିରତା ଲାଗି ରହୁଥିବାରୁ ଏବଂ ଭାରତ ପ୍ରତି ପାକିସ୍ତାନ ଓ ଚୀନ ପଟୁ ବିପଦ ରହୁଥିବାରୁ ଭାରତ ନିଜର ଜରୁରୀକାଳୀନ ତୈଳ ଭଣ୍ଡାର ବଢାଇଚାଲିଛି ।

ସମ୍ବନ୍ଧିତ ଖବର