କୁର୍ଦ୍ଦିସ୍ତାନ ଉପରେ କାହିଁକି ଆକ୍ରମଣ କରୁଛି ଇରାନ ସେନା ?

ତେହେରାନ :   ମଧ୍ୟପ୍ରାଚ୍ୟରେ ଆଉ ଏକ ଅଂଚଳରେ ଆଶାନ୍ତି ଦେଖାଦେଇଛି । ଇରାକ ଅଧିନସ୍ଥ କୁର୍ଦ୍ଦିସ୍ତାନ ଉପରେ ଇରାନର ରିଭୋଲ୍ୟୁସନାରି ଗାର୍ଡସମାନେ ଡ୍ରୋନ ଓ ବିମାନରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ଇରାନରେ ଚାଲିଥିବା ଆନ୍ଦୋଳନକୁ କୁର୍ଦ୍ଦ ବିଦ୍ରୋହୀମାନେ ସହାୟତା ଦେଉଥିବା ଇରାନ ଅଭିଯୋଗ କରୁଛି । ଏହି କାରଣରୁ କୁର୍ଦ୍ଦିସ୍ତାନ ଉପରେ ଆକ୍ରମଣ କରୁଛି ବୋଲି କୁହାଯାଉଛି ।

ଇରାନର ଯୁବତୀମାନେ ଇରାନର ପଶ୍ଚିମରେ ଥିବା କୁର୍ଦ୍ଦିସ୍ତାନ ବିଦ୍ରୋହୀମାନଙ୍କ ସହ ହାତ ମିଳାଇ ଅସ୍ତ୍ରଶସ୍ତ୍ର ତାଲିମ ନେଉଛନ୍ତି ବୋଲି ଇରାନ ଅଭିଯୋଗ କରିଛି । ଚଳିତ ମାସ ଆରମ୍ଭରେ କେତେକ ଯୁବତୀ ବୋମା ବିସ୍ଫୋରଣ କରିବା ପରେ ଇରାନ ସରକାରଙ୍କ ଚିନ୍ତା ବଢିଯାଇଥିଲା । କୁର୍ଦ୍ଦ ବିଦ୍ରୋହୀମାନେ ହିଁ ଏହି ଯୁବତୀମାନଙ୍କୁ ବିସ୍ଫୋରକ ତାଲିମ ଦେଇଥିବା ଇରାନ ଦାବି କରିଛି ।

ଅନ୍ୟପକ୍ଷରେ ଇରାନରେ ଚାଲିଥିବା ଆନ୍ଦୋଳନ ଏବେ ବି ଜାରି ରହିଛି । ଏହି ଆନ୍ଦୋଳନ ଇତି ମଧ୍ୟରେ ୪୦ ଦିନରେ ପ୍ରବେଶ କରିଛି । ଇରାନ ସରକାର ଆନ୍ଦୋଳନକାରୀଙ୍କୁ କଠୋର ହସ୍ତରେ ଦମନ କରୁଥିଲେ ବି ଆନ୍ଦୋଳନ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ମାସ ୨ୟ ସପ୍ତାହରେ ଇରାନର ରାଜଧାନୀ ତେହେରାନ ବୁଲିବାକୁ ଆସିଥିବା ମାସା ଅମିନି ନାମକ ଜଣେ ୨୨ ବର୍ଷୀୟା ଯୁବତୀ ଠିକଭାବେ ହିଜାବ ପିନ୍ଧିନଥିବାରୁ ମୋରାଲ ପୁଲିସ ( ଧାର୍ମିକ ବ୍ୟାପାର ସଂପର୍କିତ ପୁଲିସ) ଗିରଫ କରିଥିଲା । ହାଜତରେ ତାଙ୍କୁ ପ୍ରବଳ ମାଡ଼ ମରାଯିବା ପରେ ସେପ୍ଟେମ୍ବର ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । କୁହାଯାଉଛି ଯେ ଅମିନି ଜଣେ କୁର୍ଦ୍ଦ ଥିଲେ ।

ସମ୍ବନ୍ଧିତ ଖବର