ମିଗ୍-୨୧ ବିମାନକୁ କାହିଁକି କୁହାଯାଏ ‘ଉଡ଼ନ୍ତା କଫିନ’ ?

ନୂଆଦିଲ୍ଲୀ : ଗୁରୁବାରଦିନ ରାଜସ୍ଥାନରେ ବାରମେରରେ ହୋଇଥିବା ମିଗ-୨୧ ବିସନ୍ ବିମାନ ଦୁର୍ଘଟଣା ପୁଣି ଏହି ବିମାନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମିଗ୍-୨୧ ବିମାନକୁ ଭାରତୀୟ ବାୟୁସେନାର ଉଡ଼ନ୍ତା କଫିନ ବୋଲି କୁହାଯାଏ । ଗୁରୁବାରର ଦୁର୍ଘଟଣା ପୁଣି ଏହି ନାମକୁ ସାର୍ଥକ କରିଛି । ଏହି ଦୁର୍ଘଟଣାରେ ୨ ବାୟୁସେନା ପାଇଲଟ ମୃତ୍ୟୁବରଣ କରିଛନ୍ତି ।

ତଥ୍ୟ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ ୨୧ଟି ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୋଭିଏତ ଯୁଗର ଏହି ପୁରୁଣା ଲଢୁଆ ବିମାନ ୧୯୬୩ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ସେବେଠାରୁ ଏପର୍ଯ୍ୟନ୍ତ ବାୟୁସେନାରେ ମୋଟ ୮୭୪ଟି ମିଗ୍ ବିମାନ ସାମିଲ ହୋଇଛି । ଏହି ବର୍ଷରେ ମୋଟ ୪୦୦ଟି ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଓ ୨୦୦ ପାଇଲଟ ମୃତ୍ୟୁବରଣ କରିଛନ୍ତି ।

ସେହିପରି ସରକାରୀ ତଥ୍ୟ ଅନୁସାରେ ଗତ ୧୦ ବର୍ଷରେ ଭାରତୀୟ ସାମରିକ ବାହିନୀରେ ମୋଟ ୧୦୮ଟି ବିମାନ ଓ ହେଲିକପ୍ଟର ଦୁର୍ଘଟଣା ହୋଇଛି ।

ତେବେ ମିଗ ବିମାନ କାହିଁକି ଏତେ ଦୁର୍ଘଟଣାଗ୍ରସ୍ତ ହେଉଛି ?

ଏ ସମ୍ପର୍କରେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେ. ଭାଦୁରିଆ କହିଛନ୍ତି ଯେ ପୁରୁଣା ହୋଇଯାଇଥିବାରୁ ଏଗୁଡ଼ିକ ଅଧିକ ଦୁର୍ଘଟଣାଗ୍ରସ୍ତ ହେଉଛି । ତେବେ ଭାରତୀୟ ବାୟୁସେନା ଧୀରେ ଧୀରେ ଏଗୁଡ଼ିକୁ ବଦଳାଇ ନୂଆ ତଥା ଅତ୍ୟାଧୁନିକ ବିମାନ (ରାଫେଲ, ଏଲସିଏ ଆଦି) ସାମିଲ କରୁଛି ।

ସମ୍ବନ୍ଧିତ ଖବର