ବିରୋଧୀଙ୍କ ବଡ଼ ପ୍ରଶ୍ନ: ସାମ୍ପ୍ରଦାୟିକ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଚୁପ୍ କାହିଁକି?

ନୂଆଦିଲ୍ଲୀ: ଦେଶରେ ହିଜାବ, ଗୋମାଂସ ଓ ମସଜିଦରେ ଲାଉଡସ୍ପିକରରେ ଆଜାନ ପଢ଼ାଯିବାକୁ ନେଇ ବିବାଦକୁ ଚାଲିଥିବା ବେଳେ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ ଅନେକ ବିଷୟକୁ ନେଇ ସାମ୍ପ୍ରଦାୟିକ ବିବାଦ ଦେଖାଦେଇଥିଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପର୍ଯ୍ୟନ୍ତ କୌଣସି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇନାହାନ୍ତି। ଏତେ ସବୁ ହେବା ପରେ ବି ପ୍ରଧାନମନ୍ତ୍ରୀ ମୋଦୀ ଚୁପ୍ କାହିଁକି? ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ୧୩ ବିରୋଧୀ ଦଳ ମିଳିତ ବିବୃତି ମାଧ୍ୟମରେ ଶାସକ ଦଳକୁ ଟାର୍ଗେଟ କରି ଏହି ପ୍ରଶ୍ନ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ଏହି ବିବୃତିରେ ଦସ୍ତଖତ କରିଛନ୍ତି। ମିଳିତ ବିବୃତିରେ ଗତ କିଛି ଦିନ ମଧ୍ୟରେ ଦେଶରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ କଡ଼ା ଭାବରେ ନିନ୍ଦା କରାଯାଇଛି। ଏହା ସହ ଦେଶରେ ଶାନ୍ତି ବଜାୟ ରଖିବାକୁ କୁହାଯିବା ସହ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିବ‌ା ଲୋକଙ୍କ ଉଦ୍ୟମକୁ ବିଫଳ କରିବାକୁ କୁହାଯାଇଛି।

ndtv

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀରବତାକୁ ସମାଲୋଚନା କରି ବିରୋଧୀ ଦଳ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଛୁ। ସେ ଦେଶରେ ହିଂସା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କହିବାରେ ବିଫଳ ହୋଇଛନ୍ତି। ତାଙ୍କଠାରୁ ଏହା ଆଶା କରାଯାଉନଥିଲା।

ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ହେଲାଣି କର୍ଣ୍ଣାଟକରେ ହିଜାବ ବିବାଦ ଆରମ୍ଭ ହୋଇଥିବା ବେଳେ ଏବେ ମସଜିଦରେ ଲାଇଡସ୍ପିକର ଲଗାଯାଇ ଆଜାନ ପଢ଼ାଯିବାକୁ ବିରୋଧ କରାଯାଉଛି। ଏନେଇ ବିଭିନ୍ନ ଦଳ ନିଜ ନିଜର ମତ ରଖୁଥିବା ବେଳେ ପ୍ରଧାନମନ୍ତ୍ରୀ କୌଣସି ବିଷୟରେ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ରଖିନଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର