ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେଉଁ ଦଳକୁ କିଭଳି ସଫଳତା ମିଳିବ ଏବଂ କେନ୍ଦ୍ରରେ କିଏ ସରକାର ଗଢ଼ିବ ସେନେଇ ଆକଳନ ଜାରି ରହିଛି। ‌ତେବେ ଏକ୍ଷେତ୍ରରେ ଦିଲ୍ଲୀରେ ଲୋକସଭା ନିର୍ବାଚନ ମଧ୍ୟ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଦିଲ୍ଲୀର ସମସ୍ତ ୭ଟି ଆସନରେ ଯିଏ ଜିତିବ ସିଏ ହିଁ କେନ୍ଦ୍ରରେ ସରକାର ଗଠନ କରିବ। ଏକଥା ଇତିହାସ କହୁଛି। ୧୭ଟି ଲୋକସଭା ନିର୍ବାଚନ ମଧ୍ୟରୁ କେବଳ ୩ଟି ନିର୍ବାଚନକୁ ଛାଡ଼ିଦେଲେ ବାକି ସବୁ ନିର୍ବାଚନରେ ଦିଲ୍ଲୀରେ ସମସ୍ତ ଆସନରେ ଜିତିଥିବା ଦଳ କେନ୍ଦ୍ରରେ ସରକାର ଗଢ଼ିଛି। ୧୯୫୨ରେ ଦିଲ୍ଲୀରେ ମାତ୍ର ୩ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଥିଲା। କଂଗ୍ରେସ ଉକ୍ତ ୩ଟି ଆସନରେ ଜିତିଥିଲା ଏବଂ ପ୍ରଥମ କେନ୍ଦ୍ର ସରକାର ଗଢ଼ିଥିଲା। ୧୯୫୭ରେ ଦ୍ବିତୀୟ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଆସନ ସଂଖ୍ୟା ୪କୁ ବୃଦ୍ଧି ପାଇଲା। ୧୯୫୭ରେ ମଧ୍ୟ କଂଗ୍ରେସ ସମସ୍ତ ୪ ଆସନରେ ଜିତିଥିଲା। ୧୯୬୨ ‌ବେଳକୁ ଦିଲ୍ଲୀ‌ରେ ଲୋକସଭା ଆସନ ସଂଖ୍ୟା ୫କୁ ବୃଦ୍ଧି ପାଇଲା ଏବଂ କଂଗ୍ରେସ ସମସ୍ତ ୫ ଆସନରେ ଜିତିଲା। ଉଭୟ ୧୯୫୭ ଏବଂ ୧୯୬୨ରେ କଂଗ୍ରେସ ସରକାର ଗଠନ କଲା ଏବଂ ଜବାହରଲାଲ ନେହରୁ ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କଲେ।
୧୯୬୭ ପରେ ଦିଲ୍ଲୀରେ ଆସନ ସଂଖ୍ୟା ୭କୁ ବୃଦ୍ଧି ପାଇଲା ଏବଂ ଭାରତୀୟ ଜନ ସଂଘ ୬ ଆସନ‌ରେ ଜିତିଲା। କଂଗ୍ରେସ କେବଳ ଗୋଟିଏ ଆସନରେ ଜିତିଥିଲା। ଯଦିଓ କଂଗ୍ରେସ କେନ୍ଦ୍ରରେ ସରକାର ଗଠନ କଲା ତେବେ ପ୍ରଥମ ଥର ପାଇଁ ଏହା ସଂସଦରେ ବିରୋଧ ସାମ୍ନା କଲା।

Advertisment

୧୯୬୭ରେ ଭାରତୀୟ ରାଜନୀତିରେ କଂଗ୍ରେସର ଦବ୍‌ଦବା ଦୋହଲି ଯାଇଥିଲା। ୧୯୭୧ରେ କଂଗ୍ରେସ ଦିଲ୍ଲୀରେ ପୁଣିଥରେ ସମସ୍ତ ୭ ଆସନରେ ଜିତିଲା ଏବଂ କେନ୍ଦ୍ରରେ ସରକାର ଗଠନ କଲା। ତେବେ ୧୯୭୭ରେ ସରକାର ବିରୋଧୀ ହାୱା ପାଇଁ କଂଗ୍ରେସ ସମସ୍ତ ୭ ଆସନରେ ଭାରତୀୟ ଲୋକ ଦଳ ଠାରୁ ହାରି ଯାଇଥିଲା। ପ୍ରଥମ ଥର ପାଇଁ କେନ୍ଦ୍ରରେ ମୋରାରଜୀ ଦେସାଇଙ୍କ ଦ୍ବାରା ଅଣ -କଂଗ୍ରେସ ସରକାର ଗଠନ ହେଲା। ୧୯୮୦ରେ କଂଗ୍ରେସ ୭ ଆସନରୁ ୬ଟିରେ ଜିତି କେନ୍ଦ୍ରରେ ସରକାର ଗଠନ କଲା। ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ କଂଗ୍ରେସ ଦଳ ପ୍ରତି ଲୋକଙ୍କର ଅନୁକମ୍ପା ପାଇଁ ଦଳ ସମସ୍ତ ୭ ଆସନରେ ପୁଣି ଜିତିଲା ଏବଂ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ। କିନ୍ତୁ ବୋଫର୍ସ ଦୁର୍ନୀତି ପରେ ବିଜେପି ୧୯୮୯ରେ ୪ଟି ଆସନରେ ଜିତିଲା । କଂଗ୍ରେସ ୨ଟି ଆସନରେ ଜିତିଲା। ୧୯୮୯ରେ ବିଜେପି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହେଲା। ବିଜେପି ଏବଂ ବାମ ଦଳର ବାହ୍ୟ ସମର୍ଥନରେ କେନ୍ଦ୍ରରେ ଭିପି ସିଂହଙ୍କ ନେତୃତ୍ବରେ ଏକ ଅଣ କଂଗ୍ରେସ ସରକାର ଗଠନ ହେଲା। ୧୯୯୧ରେ କଂଗ୍ରେସ କେବଳ ଦିଲ୍ଲୀରେ ୨ଟି ଆସନରେ ଜିତିଲା। ଅନ୍ୟପକ୍ଷେ ବିଜେପି ୫ଟି ଆସନ‌ରେ ଜିତିଲା। କିନ୍ତୁ କଂଗ୍ରେସର ନରସିଂହ ରାଓ ସଂଖ୍ୟାଲଘୁ ସରକାର ଗଠନ କଲେ। ୧୯୯୬ରେ ମଧ୍ୟ କଂଗ୍ରେସ ସ୍ଥିତିରେ କୌଣସି ଉନ୍ନତି ହୋଇନଥିଲା।

ଲଗାତାର ୩ ଥର ପାଇଁ କଂଗ୍ରେସ ଦିଲ୍ଲୀରେ ୨ଟି ଆସନରେ ଜିତିଲା। ଅନ୍ୟପକ୍ଷେ ବିଜେପି ଦିଲ୍ଲୀରେ ୭ ଆସନରୁ ୫ଟି ଆସନରେ ଜିତିଲା ଏବଂ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବ‌ରେ ଦଳ କେନ୍ଦ୍ରରେ ସରକାର ଗଠନ କଲା। କିନ୍ତୁ ମାତ୍ର ୧୩ ଦିନ ପରେ ‌ସେ ଇସ୍ତଫା ଦେଇଥିଲେ ଏବଂ ଜନତା ଦଳର ଦେବଗୌଡ଼ା ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ମିଳିତ ସାମ୍ମୁଖ୍ୟ ମେଣ୍ଟ ସରକାର ଗଠନ ହେଲା। ୨୦୦୪,୨୦୦୯ରେ କଂଗ୍ରେସ ସମସ୍ତ ୭ ଆସନରେ ଜିତିଲା ଏବଂ କେନ୍ଦ୍ରରେ ସରକାର ମଧ୍ୟ ଗଠନ କଲା। କିନ୍ତୁ ୨୦୧୪, ୨୦୧୯ରେ ବିଜେପି ସମସ୍ତ ୭ ଲୋକସଭା ଆସନରେ ଜିତିଲା ଏବଂ କେନ୍ଦ୍ରରେ ସରକାର ଗଠନ କଲା। ୧୯୭୧, ୧୯୮୪ ଏବଂ ୨୦୦୯ରେ କଂଗ୍ରେସ ୩ ଥର ଦିଲ୍ଲୀରେ ସମସ୍ତ ୭ ଆସନରେ ଜିତିଛି। ଅନ୍ୟପକ୍ଷେ ବିଜେପି ୧୯୯୯, ୨୦୧୪ ଏବଂ ୨୦୧୯‌ରେ ଦିଲ୍ଲୀ‌ରେ ସମସ୍ତ ୭ ଆସନରେ ଜିତିଥିଲା ଏବଂ ୧୯୮୯, ୧୯୯୧ , ୧୯୯୬ ଏବଂ ୧୯୯୮ରେ ଏହା ଦିଲ୍ଲୀରେ ଏକକ ବୃହତ୍ତମ ଦଳ ହୋଇଥିଲା। ୧୯୮୯ରେ ଦିଲ୍ଲୀ ୩ଟି ରାଜନୈତିକ ଦଳରୁ ସାଂସଦଙ୍କୁ ନିର୍ବାଚିତ କରିଥିଲା। ୧୯୯୮ପରଠାରୁ ଦିଲ୍ଲୀ କେବେ ବି ବିଜୟ ଲାଭ କରୁଥିବା ଦଳକୁ ୬ରୁ କମ୍‌ ଆସନ ଦେଇନାହିଁ। ବିଜେପି ମଧ୍ୟ ଏହାର ସଂଖ୍ୟା ବଢ଼ାଇଛି। ୧୯୯୧ରେ ବିଜେପିର ଆସନ ସଂଖ୍ୟା ଦିଲ୍ଲୀରେ ୫ ଥିବାବେଳେ ୨୦୧୪ ଓ ୨୦୧୯ରେ ଏହା ୭କୁ ବୃଦ୍ଧି ପାଇଥିଲା।