ନୂଆଦିଲ୍ଲୀ: ସୋମବାର ଦିନ ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା। ଅଧିବେଶନ ଶେଷ ହେବା ପରେ ଆଗାମୀ ଅଧିବେଶନକୁ ସାଂସଦ ଅପେକ୍ଷା କରିଥିବା ବେଳେ ଆସିଥିଲା ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର। ତାହା ଥିଲା ଜଗଦୀପ ଧନଖଡ଼ଙ୍କ ଇସ୍ତଫା। ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଜଗଦୀପ ଧନଖଡ଼ ଲେଖିଥିଲେ ଯେ, ଡାକ୍ତରଙ୍କ ପରାମର୍ଶ ଏବଂ ସ୍ବାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେଇ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ଧନଖଡ଼ଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ ହେବାକୁ ଥିଲା। ପ୍ରାୟ ୨ବର୍ଷ ପୂର୍ବରୁ ସେ ତାଙ୍କ ପଦରୁ ହଠାତ୍ କାହିଁକି ଇସ୍ତଫା ଦେଲେ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।
କେହି ଭାବି ନଥିଲେ ଧନଖଡ଼ ଏଭଳି ଏକ ନିଷ୍ପତ୍ତି ନେବେ। କାରଣ ୧୧ଦିନ ପୂର୍ବରୁ ସେ ସ୍ପଷ୍ଟ କରିଥିଲେ ଯେ, ୨୦୨୭ରେ ହିଁ ସେ ଅବସର ନେବେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା ସ୍ପଷ୍ଟ କରିଥିଲେ। ହେଲେ ୧୧ଦିନ ପରେ ଏଭଳି କ’ଣ ଘଟିଲା, ଯାହା ତାଙ୍କୁ ଏତେ ବଡ଼ ନିଷ୍ପତ୍ତି ନେବାକୁ ବାଧ୍ୟ କଲା, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ସ୍ବାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେବାର କାରଣ ସେ ଦେଇଥିଲେ ବି ଏହାକୁ ବିଶ୍ବାସ କରିବା ଅନେକଙ୍କ ପାଇଁ କଷ୍ଟ। ଏବେ କାହାକୁ ଦେଶର ଉପରାଷ୍ଟ୍ରପତି କରାଯିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଉଲ୍ଲେଖଯୋଗ୍ୟ, ୨୦୨୨ ମସିହା ଅଗଷ୍ଟ ୧୧ରୁ ଧନଖଡ଼ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଆସୁଥିଲେ। ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ ଲୋକସଭାର ସଦସ୍ୟ ଥିଲେ। ୧୯୯୦ରୁ ୧୯୯୧ ମଧ୍ୟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ରାଜସ୍ଥାନ ବିଧାନସଭାରେ ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୭୯ରେ ଆଇନଜୀବୀ ଭାବେ ସେ ରାଜସ୍ଥାନରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।