ନିର୍ଭୟା ଦୋଷୀମାନଙ୍କୁ ଏହି କାରଣରୁ ଅଲଗା ଅଲଗା ଫାଶୀରେ ଝୁଲାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇବାକୁ ଥିବା ୪ ଦୋଷୀଙ୍କ ଫାଶୀ ତାରିଖ ବାରମ୍ବାର ଘୁଞ୍ଚିବାରେ ଲାଗିଛି। ଦୋଷୀମାନେ ନିଜର ଫାଶୀ ଘୁଞ୍ଚାଇବା ପାଇଁ ଜଣେ ପରେ ଜଣେ  ପୁନର୍ବିଚାର ପାଇଁ ଆବେଦନ କରି ଚାଳିଛନ୍ତି ବୋଲି ଗଣମାଧ୍ୟମରେ ମତ ରଖିଥିଲେ ପୀଡ଼ିତାଙ୍କ ମାଆ ଆଶା ଦେବୀ। ସେ ଆହୁରି ବି କହିିଥିଲେ କି ‘ସେମାନେ ଆଇନ୍‌ ସହ ଖେଳୁଛନ୍ତି। ସେମାନଙ୍କୁ ଆଇନ୍‌ର ଶକ୍ତି ଦେଖାଯାଉ, ଏକାସଥିରେ ଯଦି ସମସ୍ୟା ଉପୁ ଜୁଛି ତେବେ ଜଣକ ପରେ ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଉ।

କେବଳ ଆଶା ଦେବୀ ନୁହେଁ,  ଅଧିକାଂଶଙ୍କ ଭିତରେ ଏହି ଭାବନା ସୃଷ୍ଟି ହେବା ସ୍ବାଭାବକ ଯେ ଜଣଙ୍କ ପୁନର୍ବିଚାର ଆବେଦନ ହେତୁ ଅନ୍ୟମାନଙ୍କ ଫାଶୀକୁ କାହିଁକି ବାରମ୍ବାର ଘୁଞ୍ଚାଯାଉଛି? ଯାହାର ମାମଲା ବିଚାରାଧୀନ ରହିଛି ତାକୁ ଛାଡ଼ି ଦେଇ ଅନ୍ୟମାନଙ୍କୁ କାହିଁକି ଫାଶୀ ଖୁୁଣ୍ଟରେ ଝୁଲାଯାଉ ନାହିଁ?

The Quint

ମାତ୍ର ଆପଣ ଜାଣିରଖନ୍ତୁ ଯେ, ଗୋଟାଏ ଦୋଷ ପାଇଁ ଫାଶୀ ଘୋଷଣା କରାଯାଇଥିବା ଦୋଷୀମାନଙ୍କୁ  ଭିନ୍ନ ଦିନରେ ଫାଶୀରେ ଝୁଲାଇବା ପାଇଁ ଆଇନ୍‌ ସହମତି ଦେଉନାହିଁ। ଆମ ନ୍ୟାୟିକ ବ୍ୟବସ୍ଥାରେ ଏପରି ପ୍ରାବଧାନ ନାହିଁ। ପୂର୍ବରୁ ମଧ୍ୟ ଏହାର ଉଦାହରଣ ରହିଛି। ୧୯୮୨ ମସିହାରେ ଏପରି ଏକ ମାମଲା  ହୋଇଥିଲା। ହରବଂଶ ସିଂହ ବନାମ୍ ଉତ୍ତରପ୍ରଦେଶ ମାମଲାରେ ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ କି ଗୋଟିଏ ଅପରାଧରେ ଦୋଷୀସାବ୍ୟସ୍ତ ସମସ୍ତ ଦୋଷୀଙ୍କୁ ଏକାବେଳକେ ଫାଶୀ ଦିଆଯିବ । ଉତ୍ତରପ୍ରଦେଶର ୪ ଜଣ ବ୍ୟକ୍ତିଙ୍କୁ  ହତ୍ୟା କରିଥିବା ୪ ଦୋଷୀଙ୍କ ମଧ୍ୟରୁ ଜଣେ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ପ୍ରାଣ ହରାଇଥିଲା। ଅନ୍ୟ ୩ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଯାଇଥିଲା। ୩ ଜଣ ଯାକ ଦୋଷୀ ପୃଥକ ଭାବେ ପୁନର୍ବିଚାର ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଅଦାଲତ କଶ୍ମୀରା ସିଂହଙ୍କ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡକୁ ବଦଳାଇ ଦେଇଥିଲେ। ଜିତା ସିଂହ ଓ ହରବଂଶ ସିଂହଙ୍କ ଆବେଦନ ଖାରଜ ହୋଇଥିଲା। ଜିତା ସିଂହ ଓ ହରବଂଶ ସିଂହ ଏକା ଦିନରେ ଫାଶୀ ପାଇଥାନ୍ତେ। ହରବଂଶ ସିଂହ ରାଜକ୍ଷମା ପାଇଁ ଆବେଦନ କଲେ ଓ ତାହା ରାଷ୍ଟ୍ରପତିଙ୍କ ନିକଟରୁ ନ ଫେରିବା ହେତୁ  ଜିତା ସିଂହଙ୍କୁ ନିର୍ଦ୍ଧାରିତ  ଦିନରେ ଫାଶୀ ଦିଆଯାଇଥିଲା। ପରେ ହରବଂଶ ସିଂହଙ୍କ ରାଜକ୍ଷମା ଖାରଜ ହେବା ପରେ ସେ ସମାନ ଅପରାଧ ପାଇଁ ଦୋଷୀମାନଙ୍କୁ ଭିନ୍ନ ଦଣ୍ଡ କିପରି ଦିଆଯାଉଛି ବୋଲି ଯୁକ୍ତି ଆଣି ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । କୋର୍ଟ  ଏହା ବାସ୍ତବରେ ଭୁଲ ହୋଇଛି ବୋଲି ଅନୁଭବ କରିବା ପରେ ନିୟମ ବଦଳାଇଥିଲେ। ସେହିଦିନଠାରୁ ସମାନ ଭୁଲ୍‌ ପାଇଁ ଦୋଷୀମାନଙ୍କୁ ସମାନ ଦଣ୍ଡ ଦିଆଯିବାର ନିୟମ ରହିଛି।

ଉଲ୍ଲେଖଯୋଗ୍ୟ, ତିହାର ଜେଲରେ ନିଜ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ୨୦୧୨ ମସିହାର ଲୋମଟଙ୍କୁରା ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀ | ପ୍ରଥମେ ଜାନୁୟାରି ୨୨(ଆଜି) ତାରିଖ ସକାଳ ୭ଟାରେ ଫାଶୀ ଦେବାକୁ ଡେଥ୍  ୱାରେଣ୍ଟ ବା ମୃତ୍ୟୁ ପରୱାନା ଜାରି କରାଯାଇଥିଲା | କିନ୍ତୁ ପରେ ଦିଲ୍ଲୀର ଏକ କୋର୍ଟ ଦୋଷୀଙ୍କ ଫାଶୀ ଦଣ୍ଡକୁ ଘୁଞ୍ଚାଇଦେଇଥିଲେ | ଏହା ପରେ ଫେବ୍ରୁଆରି ୧ ତାରିଖ ଦିନ ଫାଶୀ ଦିଆଯିବା ନେଇ ତାରିଖ ସ୍ଥିର କରାଯାଇଛି  | ଅନ୍ୟତମ ଦୋଷୀ ପୱନ୍ ଗୁପ୍ତାର ସ୍ବତନ୍ତ୍ର ଲିଭ ପିଟିସନ୍ ସୁପ୍ରିମକୋର୍ଟ ଖାରଜ କରିବା ପରେ ଓ ଦୋଷୀ ମୁକେଶ କୁମାରର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ନାକଚ କରିବା ପରେ ଫେବ୍ରୁଆରି ପହିଲାରେ ଫାଶୀ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର