ବିହାର ଜଳୁଥିବାବେଳେ ନୀତୀଶ ଚୁପ କାହିଁକି ?

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ସେନାରେ ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । କିନ୍ତୁ ସବୁଠାରୁ ଅଧିକ ବିରୋଧ ବିହାରରେ ଦେଖିବାକୁ ମିଳିଛି । ଏହି ରାଜ୍ୟରେ ଉଗ୍ର ଯୁବକମାନେ ଟ୍ରେନ, ଟ୍ରେନ ଷ୍ଟେସନ ଜାଳିବା ସହ ଲୁଟପାଟ ମଧ୍ୟ କରୁଛନ୍ତି । ଏପରିକି ସେମାନେ ବିଜେପି ନେତାମାନଙ୍କ ଘର ଉପରେ ଆକ୍ରମଣ ଓ ପୋଡ଼ାଜଳା କରିଛନ୍ତି ।

ବିହାର ଜଳୁଥିବାବେଳେ କିନ୍ତୁ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ମୌନବ୍ରତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେ ଏପର୍ଯ୍ୟନ୍ତ ଏହି ହିଂସାକୁ ନିନ୍ଦା କରି ନାହାନ୍ତି । ଏପରିକି ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ରେଣୁ ଦେବୀଙ୍କ ଘର ଉପରେ ଆକ୍ରମଣକୁ ମଧ୍ୟ ସେ ନିନ୍ଦା କରିନାହାନ୍ତି କିମ୍ବା ହିଂସା ପରିତ୍ୟାଗ ପାଇଁ ଯୁବକମାନଙ୍କୁ ନିବେଦନ କରିନାହାନ୍ତି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ନିତିଶ ଖୋଲାଖୋଲି ନ କହିଲେ ବି ସେ ଅଗ୍ନିପଥ ସ୍କିମକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ସେ ଭାବୁଛନ୍ତି ଯେ ଏହି ସ୍କିମ ଦ୍ବାରା ଉତ୍ତରଭାରତର ଯୁବକମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି । ବିହାରରେ ଘରୋଇ ଉଦ୍ୟୋଗର ଅଭାବରୁ ଯୁବପୀଢି ସରକାରୀ ଚାକିରି ଉପରେ ଅଧିକ ଫୋକସ କରିଥାନ୍ତି । କିନ୍ତୁ ଏହି ସ୍କିମ ଦ୍ବାରା ସେମାନଙ୍କର ସ୍ବପ୍ନ ଭାଙ୍ଗିଯାଇଛି ।

କେନ୍ଦ୍ର ସରକାରଙ୍କ ଏହି ସ୍କିମ ନିତିଶଙ୍କୁ ଧର୍ମସଂକଟରେ ପକାଇଦେଇଛି । କାରଣ ବିହାରର ଯୁବପୀଢି ଏହାର ବିରୋଧରେ ଅଛନ୍ତି । ଗୋଟିଏ ପଟେ ସହଯୋଗୀ ବିଜେପି ଥିବାବେଳେ ଅନ୍ୟପଟେ ବିହାର ଜନତା ଅଛନ୍ତି । ଏଣୁ ସେ ଖୋଲାଖୋଲି ଏହାକୁ ନିନ୍ଦା କରିପାରିବେ ନାହିଁ କିମ୍ବା ଏହାକୁ ସମର୍ଥନ କରିପାରିବେ ନାହିଁ । ଏଣୁ ଚୁପ ରହିଛନ୍ତି ।

 

ସମ୍ବନ୍ଧିତ ଖବର