ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତ କାହିଁକି ରୁଷକୁ ନିନ୍ଦା କରୁନାହିଁ ବୋଲି ପାଶ୍ଚାତ୍ୟ ଦେଶମାନେ ସମାଲୋଚନା କରୁଥିବାବେଳେ ତାହାର ଜବାବ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ଅଷ୍ଟ୍ରିଆ ଗସ୍ତରେ ଥିବାବେଳେ ସେଠାକାର ସରକାରୀ ଟିଭି ଚ୍ୟାନେଲକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଯେତେବେଳେ ଭାରତକୁ ନୈତିକତା ଓ ନ୍ୟାୟର ପାଠ ପଢାଯାଉଛି, ୟୁରୋପୀୟ ଦେଶମାନେ ଆତଙ୍କବାଦର କେନ୍ଦ୍ରସ୍ଥଳୀ ପାକିସ୍ତାନକୁ ନିନ୍ଦା କରିବାକୁ କିପରି ଭୁଲିଯାଉଛନ୍ତି, ଯେଉଁଠାରେ ଆତଙ୍କବାଦ ଗତ କିଛି ଦଶନ୍ଧି ଧରି ଜାରି ରହିଛି ?
ସେ କହିଛନ୍ତି ଯେ ପାକିସ୍ତାନକୁ ଆତଙ୍କବାର କେନ୍ଦ୍ର କହିବା ଏକ କୂଟନୈତିକ ଶବ୍ବ । ଏହାଠାରୁ ଅଧିକ କଠୋର ଶବ୍ଦ କୁହାଯାଇପାରେ ।
ପାକିସ୍ତାନୀ ଆତଙ୍କବାଦୀମାନେ ଭାରତର ସଂସଦ ଉପରେ ଆକ୍ରମଣ କରିଥିଲେ, ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ, ପ୍ରାୟ ପ୍ରତିଦିନ ସୀମା ପାର କରି ଆତଙ୍କବାଦୀ ପଠାଉଛନ୍ତି । ପାକିସ୍ତାନୀ ସହର ଗୁଡ଼ିକରେ ଦିନ ଦ୍ବିହିପହରରେ ଆତଙ୍କୀ କ୍ୟାମ୍ପ ଚାଲୁଛି, ଯୁବକମାନଙ୍କ ନିଯୁକ୍ତି ହେଉଛି ଓ ସେଗୁଡ଼ିକୁ ଅର୍ଥ ଯୋଗାଣ ହେଉଛି । ଆପଣମାନେ କଣ କହିପାରିବେ କି, ପାକିସ୍ତାନୀ ସରକାରଙ୍କ ଅଜ୍ଞାତରେ ଏସବୁ ଘଟୁଛି, ଯେବେକି ଆତଙ୍କବାଦୀମାନେ ସାମରିକ ସ୍ତରର ତାଲିମ ପାଉଛନ୍ତି ?
ବିଶ୍ବ ସମୁଦାୟ ଆତଙ୍କବାଦକୁ ନେଇ ଚିନ୍ତିତ ହେବା ଉଚିତ । କାରଣ ଆତଙ୍କବାଦ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ହୋଇ ରହିପାରିବ ନାହିଁ ।