ମାନସିକ ରୋଗର ଚିକିତ୍ସା ଖର୍ଚ୍ଚକୁ କାହିଁକି ସ୍ୱାସ୍ଥ୍ୟବୀମା ପ୍ରଦାନ କରୁଥିବା କମ୍ପାନି ବହନ କରିବ ନାହିଁ? ଆଇଆରଡିଏକୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସାଂପ୍ରତିକ ପରିସ୍ଥିତିରେ ମାନସିକ ଅବସାଦ ସଂଖ୍ୟାଧିକ ଭାରତୀୟଙ୍କ ପାଇଁ ମାନସିକ ରୋଗର କାରଣ ପାଲଟିଛି। ଏ ପରିସ୍ଥିତିରେ ଦେଶବାସୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ଉଦ୍ଦେଶ୍ୟରେ ବୀମା ପଲିସି ବିକ୍ରୟ କରୁଥିବା ବୀମା କମ୍ପାନିଗୁଡ଼ିକ ମାନସିକ ରୋଗର ଚିକିତ୍ସା ଖର୍ଚ୍ଚକୁ ନିଜର ପଲିସିର ଅନ୍ତର୍ଭୁକ୍ତ କରି ନଥିବାରୁ ଏଥିନେଇ ନିଜର ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ। ଏସଂପର୍କରେ ଆଗତ ଏକ ଆବେଦନ ଉପରେ କରି ସୁପ୍ରିମ କୋର୍ଟଙ୍କ ଏକ ଖଣ୍ଡପୀଠ ଆଜି ଶୁଣାଣି କରି କାରଣ ଦର୍ଶାଇବାକୁ ଉଭୟ କେନ୍ଦ୍ର ସରକାର ଏବଂ ବୀମା କ୍ଷେତ୍ରର ନିୟାମକ ସଂସ୍ଥା (ଆଇଆରଡିଏ)କୁ ନୋଟିସ ଜାରି କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ୨୦୧୮ରେ ବୀମା କ୍ଷେତ୍ରର ନିୟାମକ ସଂସ୍ଥା ବା ଇନସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଆଇଆରଡିଏଆଇ) ବୀମା କମ୍ପାନିମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ବୀମା ପଲିସିରେ ମାନସିକ ରୋଗକୁ ମଧ୍ୟ ଅନ୍ତର୍ଭୁୁକ୍ତ କରିବା ସହ ଏହାର ଚିକିତ୍ସା ବ୍ୟବସ୍ଥା ପାଇଁ ପ୍ରାବଧାନ ରଖିିବାକୁ ନିର୍ଦ୍ଦେଶ ଦେଇଥିଲେ। ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଅଧିନିୟମ, ୨୦୧୭କୁ ଦର୍ଶାଇ ନିୟାମକ କହିଥିଲେ ଯେ ପ୍ରତ୍ୟେକ ବୀମାକାରୀ ସଂସ୍ଥା ମାନସିକ ରୋଗର ଚିକିତ୍ସା ପାଇଁ ଚିକିତ୍ସା ବୀମା ପାଇଁ ବ୍ୟବସ୍ଥା କରିବେ ଯେପରି ଅନ୍ୟ ଶାରୀରିକ ରୋଗର ଚିକିତ୍ସା ପାଇଁ ଉପଲବ୍ଧ ଅଛି। ଏବଂ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଅଧିନିୟମ, ୨୦୧୭ ଅନୁଯାୟୀ, ମାନସିକ ରୋଗରେ ଆକ୍ରାନ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଣରେ ଅନ୍ୟ ଶାରୀରିକ ଅସୁସ୍ଥତା ଥିବା ବ୍ୟକ୍ତିଙ୍କ ପରି ସମାନ ବ୍ୟବହାର କରାଯିବ।

ତେବେ, ଏହା ଯାବତ୍‌ କାର୍ଯ୍ୟକାରୀ ହୋଇପାରି ନଥିବାରୁ ଆଜି ଏଥିନେଇ ନିଜର ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମ୍‌ କୋର୍ଟ। ସଂପ୍ରତି ବିଶେଷ କରି କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ମାନସିକ ଅବସାଦ ସଂଖ୍ୟାଧିକ ଭାରତୀୟଙ୍କ ପାଇଁ ମାନସିକ ରୋଗର କାରଣ ପାଲଟିଛି। ଏପରସ୍ଥିତିରେ ଉଭୟ କେନ୍ଦ୍ର ସରକାର ଏବଂ ବୀମା କ୍ଷେତ୍ରର ନିୟାମକ ସଂସ୍ଥା (ଆଇଆରଡିଏ)କୁ ନୋଟିସ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣିକୁ ଦୁଇ ସପ୍ତାହ ପରକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର