ନୂଆଦିଲ୍ଲୀ: ବିଜେପି ଦୀର୍ଘ ଦିନ ଧରି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ଦାବି କରି ଆସୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଆହ୍ଵାନକୁ ସମର୍ଥନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି।

Advertisment

ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହୋଇପାରିବ କି ନାହିଁ ତାହା ଜାଣିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ ୮ ଜଣିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବିବରଣୀ ସରକାର ପ୍ରକାଶ କରିବାର ଗୋଟିଏ ଦିନ ପରେ ମନ୍ତ୍ରୀ ଶ୍ରୀ ଠାକୁର ଏହି ମନ୍ତବ୍ୟ ଦେଇଛନ୍ତି।

‘ଏକକାଳୀନ ନିର୍ବାଚନ କରାଇବାରେ କ’ଣ ଅସୁବିଧା? ଯଦି ଏକାସାଙ୍ଗରେ ନିର୍ବାଚନ ହୁଏ, ତେବେ ଏହା ସମୟ, ଅର୍ଥ ସଞ୍ଚୟ କରିବ ଏବଂ ସରକାର ସଞ୍ଚୟ ହୋଇଥିବା ସମୟ ଓ ଅର୍ଥକୁ ଗରିବଙ୍କ ପାଇଁ, ଦେଶର ବିକାଶ ପାଇଁ ବ୍ୟବହାର କରିପାରିବେ’ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁର ଜାତୀୟସ୍ତରର ଚ୍ୟାନେଲ ଏନଡିଟିଭିକୁ କହିଛନ୍ତି।

ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ନେଇ ବିରୋଧୀଙ୍କ ସମାଲୋଚନାକୁ ଖଣ୍ଡନ କରି ଶ୍ରୀ ଠାକୁର କହିଛନ୍ତି ଯେ ଏଭଳି ଅଧିବେଶନ ଡାକିବାର ସରକାରଙ୍କ ସମ୍ପୂର୍ଣ୍ଣ ଅଧିକାର ରହିଛି।

ବାସ୍ତବରେ ସରକାର ସଂସଦ ଅଧିବେଶନ ଡାକିଥିବାରୁ ସେମାନେ ଖୁସି ହେବା ଉଚିତ। ଏହା ଏକ ଗଣତାନ୍ତ୍ରିକ ଅଭ୍ୟାସ ବୋଲି ଶ୍ରୀ ଠାକୁର କହିଛନ୍ତି। ସେ କହିଛନ୍ତି ଯେ ‘ଏକ ଦେଶ, ଏକ ନିର୍ବାଚନ’ କମିଟିରେ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ଅଛନ୍ତି, ଯାହାଦ୍ୱାରା ସେମାନେ ନିଜର ମତାମତ ଦେଇପାରିବେ। କିନ୍ତୁ ସେମାନେ ଚାଲିଯାଇଛନ୍ତି। ସେମାନେ ଆଲୋଚନାରେ ବିଶ୍ୱାସ କରନ୍ତି ନାହିଁ। ସେମାନେ କେବଳ ରାସ୍ତାରେ ପାଟି କରନ୍ତି, କେବଳ ଅଭିଯୋଗ କରନ୍ତି ଏବଂ ପଳାଇ ଯାଆନ୍ତି। ମନେ ଅଛି ମୌସୁମୀ ଅଧିବେଶନର (ସଂସଦର) କେତେ ଦିନ ସେମାନେ ନଷ୍ଟ କରିଛନ୍ତି?’ ଶ୍ରୀ ଠାକୁର କହିଛନ୍ତି।

ସେ କହିଛନ୍ତି ଯେ ଯେତେବେଳେ ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ବ୍ୟବସ୍ଥା, ସମାନ ପ୍ରକାରର ଗୋଟିଏ ଦେଶ, ଗୋଟିଏ ଟିକସ ଆଣିବା ପାଇଁ କାର୍ଯ୍ୟ କରୁଥିଲେ ସେତେବେଳେ ବିରୋଧୀ ସମାନ ଅଭିଯୋଗ ଆଣିଥିଲେ।

ତେବେ, ପୂର୍ବରୁ ୯୦ ହଜାର କୋଟି ଟଙ୍କାର ଟିକସ ଆଦାୟ କରିବା ଏକ କଷ୍ଟକର କାମ ଥିଲା। ଆଜି ଆମେ ୧.୬୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରୁଛୁ। ଏହି ଅର୍ଥ ଭିତ୍ତିଭୂମି ବିକାଶ, ଗରିବଙ୍କ ପାଇଁ ଘର ଓ ଶୌଚାଳୟ ନିର୍ମାଣ, ମାଗଣା ଟିକା, ନୂଆ ବିମାନବନ୍ଦର, ନୂତନ ମେଡିକାଲ କଲେଜ, ଅଧିକ ଏମ୍‌ସରେ ବ୍ୟବହୃତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।