ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଫୋଲଅର୍ସଙ୍କ ମଧ୍ୟରୁ କମିଗଲେ ୩ ଲକ୍ଷ; ଜାଣନ୍ତୁ କେମିତି ଓ କାହିଁକି?

ନୂଆଦିଲ୍ଲୀ: ଦେଶ ତଥା ବିଦେଶରେ ଜଣେ ସୋସିଆଲ ମିଡିଆ ପ୍ରଧାନମନ୍ତ୍ରୀ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଟୁଇଟର ଫୋଲଅର୍ସଙ୍କ ମଧ୍ୟରୁ ଇତିମଧ୍ୟରେ ୩ ଲକ୍ଷ କମି ଯାଇଥିବା ଜାଣିବାକୁ ମିଳିଛି। ତେବେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଫୋଲଅର୍ସମାନେ ନିଜେ ନିଜେ ମୋଦିଙ୍କ ଟୁଇଟର ଆକାଉଣ୍ଟରୁ ନିଜକୁ ଦୂରେଇ ନେଇ ନାହାନ୍ତି; ବରଂ ନିଜେ ଟୁଇଟର ଏହି ୩ ଲକ୍ଷ ଫୋଲଅର୍ସଙ୍କୁ ମୋଦିଙ୍କ ଟୁଇଟର ଆକାଉଣ୍ଟରୁ ବାଦ୍‌ ଦେଇଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ନିଜର ମିଥ୍ୟା ବା ଜାଲ ପ୍ରୋଫାଇଲ ବଳରେ ଟୁଇଟର ଆକାଉଣ୍ଟ ଖୋଲିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ଆକାଉଣ୍ଟ ଅଚଳ କରିବା ପ୍ରକ୍ରିୟା ଟୁଇଟର ଗତ ବର୍ଷ ଅପ୍ରେଲରୁ ଆରମ୍ଭ କରିଥିଲା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଟୁଇଟର ଆକାଉଣ୍ଟରୁ ୩ ଲକ୍ଷ ଫୋଲଅର୍ସ ବାଦ ପଡ଼ିଥିବା ଜାଣିବାକୁ ମିଳିଛି।

ତେବେ, ଏଥିରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେ କ୍ଷତିଗ୍ରସ୍ତ ହୋଇଛନ୍ତି ତା’ନୁହେଁ; କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ରାହୁଲଙ୍କ ଟୁଇଟର ଫୋଲଅର୍ସ ସଂଖ୍ୟାରେ ୧୭ ହଜାର ହ୍ରାସ ଘଟିଛି। ସେହିପରି ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ କିରଣ ରିଜ୍ଜୁ, ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭୂପିନ୍ଦର ଯାଦବ ଓ ପ୍ରଯୁକ୍ତି ବିଦ୍ୟା ସଂସଦୀୟ କମିଟି ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କ ଟୁଇଟର ଫୋଲଅର୍ସ ସଂଖ୍ୟାରେ ହ୍ରାସ ଘଟିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର