ସମଲିଙ୍ଗୀ ସଂପର୍କ: ଦଳମାନେ ଚୁପ୍‌ କାହିଁକି?

ନୂଆଦିଲ୍ଲୀ: ସମଲିଙ୍ଗୀ ସଂପର୍କ ନେଇ ସୁପ୍ରିମ କୋର୍ଟଙ୍କ ରାୟ ଉପରେ ଅଧିକାଂଶ ରାଜନୈତିକ ଦଳମାନେ ନିରବତା ଅବଲମ୍ବନ କରିଥିବା ବେଳେ କେବଳ କେତେକ ନେତା ଟୁଇଟ୍‌ କରି ପ୍ରତିକ୍ରିୟା ଜଣାଇଛନ୍ତି। ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନଥିବା ବେଳେ କଂଗ୍ରେସ କେବଳ ଟୁଇଟ୍‌ କରି ଏହାକୁ ସ୍ୱାଗତ କରିଛି। ତେବେ ନେତାମାନେ ଖୋଲାଖୋଲି ଭାବେ କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି। ଅନ୍ୟପକ୍ଷରେ ଆରଏସଏସ୍‌ ସତର୍କ ହୋଇ ପ୍ରତିକ୍ରିୟା ଦେଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ସୁପ୍ରିମ କୋର୍ଟ ରାୟ ସହିତ ଏହା ଏକମତ। ତେବେ ଏଭଳି କାର୍ଯ୍ୟକଳାପକୁ ନାପସନ୍ଦ କରି କହିଛି ଯେ ଏହା ପ୍ରକୃତି ଓ ସାମାଜିକ ଆସ୍ଥା ବିରୋଧୀ। ଅନେକ ମୁସଲିମ ସଂଗଠନ ମଧ୍ୟ ସମଲିଙ୍ଗୀ ସଂପର୍କକୁ ନାପସନ୍ଦ କରିଛନ୍ତି। କିନ୍ତୁ ରାୟ ଉପରେ ପ୍ରତିକ୍ରୟା ଦେଇ ନାହାନ୍ତି। ସୂଚନାଯୋଗ୍ୟ ଯେ ବିଶ୍ୱର ୨୫ଟି ରାଷ୍ଟ୍ରରେ ସମଲିଙ୍ଗୀ ସଂପର୍କକୁ ଅପରାଧ ତାଲିକାରୁ ବାଦ୍‌ ଦେଇଥିବା ବେଳେ ୭୨ଟି ଦେଶରେ ଏବେ ବି ଏହାକୁ ଅପରାଧ ବୋଲି ବିବେଚନା କରାଯାଉଛି।

ଦେଶରେ ଏଚ୍‌ଆଇଭି ମାମଲା ବଢ଼ିବ: ସ୍ୱାମୀ
ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ଆଜି ସମଲିଙ୍ଗୀ ସଂପର୍କକୁ ଅପରାଧ ଶ୍ରେଣୀରୁ ମୁକ୍ତ ରଖିଥିବାରୁ ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ନିରାଶା ବ୍ୟକ୍ତ କରିଛନ୍ତି। ସମଲିଙ୍ଗୀ ସଂପର୍କ ଏକ ଆନୁବଂଶିକ ବିକାର ଏବଂ ଏଭଳି ରାୟ ଦ୍ୱାରା ଦେଶରେ ଏଚ୍‌୍‌ଆଇଭି ମାମଲା ବଢ଼ିବ ବୋଲି ସେ କହିଛନ୍ତି। ଦେଶରେ ସମଲିଙ୍ଗୀ ବାର୍‌ ଖୋଲିବ ଏବଂ ସାମାଜିକ ବିକୃତି ବଢ଼ିଯିବ ବୋଲି ସେ କହିଛନ୍ତି। ପରିସ୍ଥିତି ଜଟିଳ ହେଲେ ଆଗକୁ ସୁପ୍ରିମ୍‌ କୋର୍ଟଙ୍କ ୭ ଜଣିଆ ବେଞ୍ଚ ବର୍ତ୍ତମାନର ୫ ଜଣିଆ ଖଣ୍ଡପୀଠର ଆଦେଶକୁ ଖାରଜ କରିବେ ବୋଲି ସ୍ୱାମୀ କହିଛନ୍ତି।

ଖୁସି ଜାହିର କଲେ କରନ୍‌ ଜୋହର
ମୁମ୍ବାଇ: ସମଲିଙ୍ଗୀ ସଂପର୍କ ବାବଦରେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟକୁ ବଲିଉଡ୍‌ ଶିଳ୍ପ ମଧ୍ୟ ସ୍ୱାଗତ କରିଛି। ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କରନ୍‌ ଜୋହର ନିଜ ଖୁସି ଜାହିର କରି କହିଛନ୍ତି, ସୁପ୍ରିମ୍‌କୋର୍ଟଙ୍କର ଏହା ଐତିହାସିକ ରାୟ ଏବଂ ଏହାକୁ ନେଇ ମୁଁ ଗର୍ବିତ। ସମଲିଙ୍ଗୀ ସଂପର୍କକୁ ଅପରାଧମୁକ୍ତ କରାଯିବା ଦ୍ୱାରା ମଣିଷପଣିଆର ବିଜୟ ହୋଇଛି। ଏହି ଦେଶକୁ ପୁଣିଥରେ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସୁଯୋଗ ମିଳିଛି ବୋଲି କରନ୍‌ ଜୋହର କହିଛନ୍ତି।

ସମ୍ବନ୍ଧିତ ଖବର