କାହିଁକି ବିଫଳ ହୋଇଥିଲା ଇସ୍ରୋର ପିଏସଏଲଭି ସି-୩୯, ଜାଣନ୍ତୁ

ବାଙ୍ଗାଲୋର: ଗତ ବର୍ଷ ଅଗଷ୍ଟ ୩୧ ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ମହାକାଶକୁ ପ୍ରେରଣ କରାଯାଇଥିବା ପିଏସଏଲଭି ସି-୩୯ ବିଫଳ ହୋଇଥିଲା । ଏହି ବିଫଳତାରୁ ଶିକ୍ଷା ନେଇ ଇସ୍ରୋ ଗତ ଜାନୁୟାରୀ ୧୨ ତାରିଖରେ ପିଏସଏଲଭି ସି-୪୦ର ସଫଳ ଉତକ୍ଷେପଣ କରିଥିଲା । ପୂର୍ବ ବିଫଳତାର ବ୍ୟାପକ ଅଧ୍ୟୟନ ପରେ ହିଁ ଏଥରର ଉତକ୍ଷେପଣ ବେଳ ଯେପରି ପୂର୍ବ ତ୍ରୁଟି ନ ରହେ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଗତ ବର୍ଷର ବିଫଳତାର ଅନୁସନ୍ଧାନ କରିବାକୁ ଇସ୍ରୋ ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା । ଏହି କମିଟି ରିପୋର୍ଟରୁ ହିଁ ବିଫଳତାର କାରଣ ଧରାପଡ଼ିଛି । ତେବେ କଣ ଥିଲା ବିଫଳତାର କାରଣ ?

ପିଏସଏଲଭି ସି-୩୯ ଥିଲା ୪୧ତମ ମହାକାଶ ଯାତ୍ରା ଯେଉଁଥିରେ ୧୪୨୫ କିଲୋଗ୍ରାମ ଓଜନର (IRNSS-1H) କ୍ଷେତ୍ରୀୟ ନାଭିଗେସନାଲ ଉପଗ୍ରହକୁ ଖଞ୍ଜା ଯାଇଥିଲା । ତେବେ ଏହା ଏହାର ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିପାରିନଥିଲା । ଏହାର ପ୍ରମୁଖ କାରଣ ଥିଲା ଯେ ରକେଟର ପେଲୋଡ଼ ଫେୟାରିଂ (ଯାହାକି ହିଟ୍ ସିଲ୍ଡ ଭାବେ ନାମିତ) ମୂଳ ଯାନଠାରୁ ପୃଥକ୍ ହୋଇପାରିନଥିଲା । ଏହା ରକେଟର ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରାବେଳେ ଘଟିଥିଲା । ଏହା ପୂର୍ବରୁ ସାକାର ହୋଇଥିବା ଯାତ୍ରା ତଥା ଭୂପୃଷ୍ଠ ପରୀକ୍ଷଣ ଡ଼ାଟାକୁ ବିଶ୍ଲେଷଣ କରାଯିବା ବେଳେ ଜଣାପଡ଼ିଥିଲା । ପେଲୋଡ଼ ଫେୟାରିଂର ସଫଳ ପୃଥକୀକରଣ ସକାଶେ ଜେଟିସନିଂ ସିଷ୍ଟମର ଭୂଲମ୍ବ ଏବଂ ଭୂସମାନ୍ତର କାର୍ଯ୍ୟକାରୀତା ଏକାନ୍ତ ଜରୁରି । ଫ୍ଲାଇଟ୍ ଡ଼ାଟା ଆଧାରରେ, ରକେଟରେ ଜେଟିସନିଂ ସିଷ୍ଟମ୍କୁ ଭୂଲମ୍ବ ଏବଂ ଭୂସମାନ୍ତର ଭାବେ ଖଞ୍ଜା ଯାଇଥିଲା । ତେବେ ଭୂସମାନ୍ତର ବ୍ୟବସ୍ଥା ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିବା ବେଳେ ଭୂଲମ୍ବ ଜେଟିସନିଂ ବ୍ୟବସ୍ଥାରେ ତ୍ରୁଟି ଦେଖା ଯାଇଥିଲା । ତେଣୁ ପେଲୋଡ଼୍ ଫେୟାରିଂ ସଫଳତାର ସହ ପୃଥକ୍ ହୋଇପାରିନଥିଲା । ଏହି ତ୍ରୁଟି ଆଧାରରେ ମହାକାଶ ବିଭାଗ ପକ୍ଷରୁ ଏରୋସ୍ପେସ୍ ପ୍ରଯୁକ୍ତିକୁ ନିରବଚ୍ଛିନ୍ନ ଭାବେ ଉନ୍ନତିକରଣ ସକାଶେ ସ୍ଥିର କରାଯାଇଛି ବୋଲି ଗୃହକୁ ଅବଗତ କରାଇ ମନ୍ତ୍ରୀ ଡ଼କ୍ଟର ସିଂହ କହିଲେ ଯେ ଏଥି ସକାଶେ ବିଭିନ୍ନ ପ୍ରକାର ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ଜାରି ରହିଛି ।

ସମ୍ବନ୍ଧିତ ଖବର