ଚେନ୍ନାଇ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ । ଏଥର ହିନ୍ଦୀ ଭାଷାକୁ ନେଇ ଜୋମାଟୋ ଓ ଜଣେ ଗ୍ରାହକଙ୍କ ଭିତରେ ବିବାଦ ଦେଖିବାକୁ ମିଳିଛି। ସ୍ଥିତି ଏମିତି ହୋଇଛି ଯେ ଜୋମାଟୋକୁ ସୋସିଆଲ୍ ମିଡିଆରେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଛି ।
ସୂଚନା ଅନୁସାରେ, ଚେନ୍ନାଇର ଜଣେ ଗ୍ରାହକ ଜୋମାଟୋ ଉପରେ ଅଭିଯୋଗ ଆଣିଛନ୍ତି। ତାଙ୍କ ଅନୁସାରେ ଜୋମାଟୋ କମ୍ପାନୀର ଜଣେ କର୍ମଚାରୀ ତାଙ୍କ ସହିତ ଭାଷାକୁ ନେଇ ଯୁକ୍ତି କରିଥିଲେ । ଯାହାର ସ୍କ୍ରିନ୍ ସଟ୍ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ବିକାଶ ଜୋମାଟୋରେ ଖାଦ୍ୟ ଅର୍ଡର କରିବା ପରେ ଏହା ତାଙ୍କ ପାଖକୁ ଆସିନଥିଲା । ଏହାପରେ ସେ ଏନେଇ ଜୋମାଟୋ କମ୍ପାନୀ ସହ ସମ୍ପର୍କ କରିଥିଲେ । ହେଲେ ଏହି ସମୟରେ କମ୍ପାନୀର ପ୍ରତିନିଧି ବିକାଶଙ୍କ ସହିତ ହିନ୍ଦୀରେ କଥା ହେବାକୁ କହିଥିଲେ । ହେଲେ ବିକାଶ ତାଙ୍କୁ ତାମିଲରେ କଥା ହେବାକୁ କହିଥିଲେ । ଯାହାକୁ ନେଇ ଦୁହିଁଙ୍କ ଭିତରେ କିଛି କଥା କଟାକଟି ହୋଇଥିଲା ।
Vanakkam Vikash, we apologise for our customer care agent's behaviour. Here's our official statement on this incident. We hope you give us a chance to serve you better next time.
Pls don't #Reject_Zomato ♥️ https://t.co/P350GN7zUlpic.twitter.com/4Pv3Uvv32u
— zomato (@zomato) October 19, 2021
ଏହି ସମୟରେ ଜୋମାଟୋର କମ୍ପାନୀର ପ୍ରତିନିଧି କହିଥିଲେ, ହିନ୍ଦୀ ଆମର ଜାତୀୟ ଭାଷା, ତେଣୁ ସମସ୍ତେ ଏହି ଭାଷାକୁ କିଛି କିିଛି ଶିଖିବା ଉଚିତ୍ । ତା ସହିତ ତାଙ୍କ ଟଙ୍କା ମଧ୍ୟ ତାଙ୍କୁ ରି-ଫଣ୍ଡ କରାଯାଇନଥିଲା । ଯେହେତୁ ସେ ହିନ୍ଦୀ ଜାଣିନଥିଲେ । ହେଲେ ଏହି କଥାକୁ ବିକାଶ ନିଜର ଟୁଇଟରେ ପୋଷ୍ଟ କରିବା ସହିତ କମ୍ପାନୀ ଉପରେ ଅଭିଯୋଗ ଆଣିଥିଲେ । ଖାଲି ସେତିକି ନୁହେଁ, ହିନ୍ଦୀ ଆମର ଜାତୀୟ ଭାଷା ନୁହେଁ ବୋଲି ସେ କହିଥିଲେ । ଯାହାକି କିଛି ସମୟ ଭିତରେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଥିଲା।
ସ୍ଥିତି ଏମିତି ହୋଇଗଲା ଯେ, ଶେଷକୁ ଜୋମାଟୋ ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ୍ କରି କ୍ଷମା ପ୍ରାର୍ଥନା କରିଛି । ଏଥିସହିତ ଜୋମାଟୋ କଷ୍ଟମର କେୟାର ଏଜେଣ୍ଟଙ୍କ ଏପରି ବ୍ୟବହାର ପାଇଁ ମଧ୍ୟ ଜୋମାଟୋ କ୍ଷମା ମାଗିଛି । ତେବେ ଆଗାମୀ ଥର ଜୋମାଟୋ ତାଙ୍କୁ ଆହୁରି ଭଲ ସେବା ଦେବାକୁ ଚେଷ୍ଟା କରିବ ବୋଲି ନିଜ ବୟାନରେ କହିଛି। ଏହି ଘଟଣା ଦେଶରେ ଏତେ ଚର୍ଚ୍ଚିତ ହୋଇଯାଇଥିଲା ଯେ, ଡିଏମକେର ଜଣେ ସାଂସଦ ବିକାଶଙ୍କ ଟୁଇଟକୁ ରି-ଟୁଇଟ୍ କରି ଜୋମାଟୋକୁ ଉତ୍ତର ମାଗିଥିଲେ । ସେ କହିଥିଲେ, ହିନ୍ଦୀ କେବେଠୁ ଜାତୀୟ ଭାଷା ହୋଇଗଲାଣି? ତାମିଲନାଡୁରେ ଗ୍ରାହକଙ୍କୁ କାହିଁକି ହିନ୍ଦୀ ଜାଣିବା ଦରକାର । କେଉଁ ଆଧାରରେ ତାଙ୍କୁ ଅତି କମରେ ହିନ୍ଦୀ ଜାଣିବା ଦରକାର ବୋଲି ସେ ପ୍ରଶ୍ନ କରିଥିଲେ ?