‘ଅଗ୍ନିପଥ’କୁ ନେଇ ମୁହଁ ଖୋଲିଲେ କେଜ୍ରିଓ୍ଵାଲ: ସ୍ୱପ୍ନକୁ ୪ ବର୍ଷ ମଧ୍ୟରେ ସୀମିତ ରଖା ନଯାଉ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷିତ ‘ଅଗ୍ନିପଥ’ ଯୋଜନାକୁ ନେଇ ଅନେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ଏ ପରିସ୍ଥିତିରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର କେନ୍ଦ୍ର ସରକାରଙ୍କୁ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ସେବା ଅବଧିକୁ ମାତ୍ର ଚାରି ବର୍ଷ ମଧ୍ୟରେ ସୀମିତ ନରଖିବାକୁ ଅନୁରୋଧ କରିଛନ୍ତି।

ଅରବିନ୍ଦ କେଜ୍ରିୱାଲ ଏହି ଯୋଜନାକୁ ବିରୋଧ କରୁଥିବା ସେନା ଆଶାୟୀମାନଙ୍କୁ ସମର୍ଥନ ଜଣାଇଛନ୍ତି। ଏବଂ ଏଥିସହ ଶ୍ରୀ କେଜ୍ରିୱାଲ ବର୍ତ୍ତମାନ ଏହି ଯୋଜନାକୁ ନିନ୍ଦା କରିଥିବା ରାଜନେତାଙ୍କ ବଢୁଥିବା ତାଲିକା ମଧ୍ୟରେ ନିଜକୁ ସାମିଲ କରିଛନ୍ତି। ଯାହା ଅଧୀନରେ ସୈନିକମାନଙ୍କୁ ଚାରି ବର୍ଷ ପାଇଁ ଚୁକ୍ତି ଭିତ୍ତିରେ ’ଅଗ୍ନିବୀର’ ଭାବରେ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯିବ ଏବଂ ଏହା ପରେ ଗ୍ରାଚ୍ୟୁଇଟି ଏବଂ ପେନସନ ସୁବିଧା ବିନା ଅଧିକାଂଶଙ୍କୁ ବାଧ୍ୟତାମୂଳକ ଅବସର ଦିିଆଯିବ।

ଏହା ପୂର୍ବରୁ ସମାଜବାଦୀ ପାର୍ଟି (ସପା) ସଭାପତି ଅଖିଳେଶ ଯାଦବ ଗୁରୁବାର ସକାଳେ ସରକାରଙ୍କର ଏହି ପଦକ୍ଷେପକୁ ‘ଅବହେଳା’ ଏବଂ ଦେଶର ଭବିଷ୍ୟତ ପାଇଁ ସମ୍ଭାବ୍ୟ ‘ସାଂଘାତିକ’ ବୋଲି କହିଛନ୍ତି। ଦେଶର ସୁରକ୍ଷା ଏକ ସ୍ୱଳ୍ପକାଳୀନ କିମ୍ବା ଅନୌପଚାରିକ ପ୍ରସଙ୍ଗ ନୁହେଁ; ଏହା ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଦୀର୍ଘକାଳୀନ ନୀତିର ବିଷୟ। ସାମରିକ ନିଯୁକ୍ତି ସମ୍ବନ୍ଧରେ ଗ୍ରହଣ କରା ଯାଉଥିବା ଦାୟିତ୍ୱହୀନ ମନୋଭାବ ଦେଶର ଭବିଷ୍ୟତ ଏବଂ ଦେଶର ଯୁବକମାନଙ୍କ ସୁରକ୍ଷା ପାଇଁ ସାଂଘାତିକ ପ୍ରମାଣିତ ହେବ। ‘ଅଗ୍ନିପଥ’ରୁ ରାସ୍ତାରେ ନିଆଁ ଲାଗିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ମନି ଲଣ୍ଡରିଂ ମାମଲାରେ ତଦନ୍ତର ସାମନା କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କୌଣସି ପାହ୍ୟା ନାହିଁ, କୌଣସି ପେନସନ୍‌ ନାହିଁ, କୌଣସି ସିଧାସଳଖ ନିଯୁକ୍ତି ନାହିଁ, ୪ ବର୍ଷ ପରେ କୌଣସି ସ୍ଥିର ଭବିଷ୍ୟତ ନାହିଁ ଏ କି ଯୋଜନା? ସରକାର ଦେଶର ବେକାର ଯୁବକମାନଙ୍କୁ ଅଗ୍ନିପଥରେ ଚଳାଇ ସେମାନଙ୍କ ସଂଯମତାର ‘ଅଗ୍ନି ପରୀକ୍ଷା’ କରନ୍ତୁ ନାହିଁ।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ, ବିହାର, ହରିୟାଣା ଏବଂ ଅନ୍ୟ କେତେକ ରାଜ୍ୟରେ ପ୍ରତିରକ୍ଷା ଆଶାୟୀମାନେ ଆଜି ସଶସ୍ତ୍ର ସେବାରେ ନିଯୁକ୍ତି ଦେବା ପାଇଁ ସରକାରଙ୍କର ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର