ନୂଆଦିଲ୍ଲୀ: ସହରାଞ୍ଚଳ ଭାରତରେ ଋତୁସ୍ରାବକୁ ନେଇ ପରିଷ୍କାର ପରିଚ୍ଛନ୍ନତା ବୃଦ୍ଧି ପାଉଥିବା ବେଳେ ଏବେ ବି ପଛରେ ପଡ଼ିଛନ୍ତି ଗ୍ରାମାଞ୍ଚଳରେ ମହିଳାମାନେ। ବିଶେଷଜ୍ଞମାନଙ୍କ ମତରେ ଗ୍ରାମାଞ୍ଚଳର ଏହି ସମସ୍ୟାକୁ ତୁରନ୍ତ ଦୂର କରିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ମହିଳାମାନଙ୍କ ନିକଟରେ ପ୍ରଜ୍ୟାପ୍ତ ପରିମାଣର ପରିଷ୍କାର ଉତ୍ପାଦଗୁଡ଼ିକର ଅଭାବ ରହୁଥିବାରୁ ସ୍ବାସ୍ଥ୍ୟ ସମସ୍ୟା, ଶ୍ରମଶକ୍ତିରେ ଅଂଶଗ୍ରହଣର ଅଭାବ ଏବଂ ଛାତ୍ରୀମାନେ ସ୍କୁଲ୍ ନଯିବା ପରି ସମସ୍ୟା ଦେଖିବାକୁ ମିଳୁଛି।
ଆମେ ଆଜି କଥା ହେବା ବିହାରର ୪୦ ବର୍ଷୀୟା ମହିଳା ଲଳିତାଙ୍କ ବିଷୟରେ। ସେ ସାଧାରଣ ସୁରକ୍ଷିତ ବିକଳ୍ପ ବିଷୟରେ ଅଜ୍ଞ। ଏବେ ବି ତାଙ୍କ ଋତୁସ୍ରାବ ସମୟରେ ସେ ଚିରା କପଡ଼ା ବ୍ୟବହାର କରନ୍ତି। ତାଙ୍କ କାହାଣୀ ବିରଳ କିମ୍ବା ନୂତନ ନୁହେଁ। ଗ୍ରାମୀଣ ଭାରତରେ ଲକ୍ଷ ଲକ୍ଷ ମହିଳା ଏବେ ବି ସ୍ୱାସ୍ଥ୍ୟକର ଉତ୍ପାଦ ବିନା ଋତୁସ୍ରାବରେ ଗତି କରନ୍ତି। ଏନେଇ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଭାରତ ମଧ୍ୟରେ ଯଥେଷ୍ଟ ଅସମାନତା ରହିଛି।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ - ୫ରୁ ତଥ୍ୟ ବିଶ୍ଳେଷଣ କରି ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ କେବଳ ୪୨% କିଶୋରୀ ମହିଳା ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛ ପଦ୍ଧତି ବ୍ୟବହାର କରନ୍ତି।
୨୦୧୧ ମସିହାର ଭାରତୀୟ ଜନଗଣନା ଅନୁଯାୟୀ, ବିହାରରେ ୮୮% ରୁ ଅଧିକ ଜନସଂଖ୍ୟା ଗ୍ରାମାଞ୍ଚଳରେ ବାସ କରନ୍ତି। ତେବେ ସେଠାକାର ପ୍ରାୟ ୫୬% ଗ୍ରାମାଞ୍ଚଳ ମହିଳା ସ୍ୱଚ୍ଛ ପଦ୍ଧତି ବ୍ୟବହାର କରନ୍ତି। ଯାହାକି ସହରାଞ୍ଚଳରେ ୭୪.୭% ଅଟେ। ଏହି ଅସମାନତା ବିଭିନ୍ନ ସ୍ୱାସ୍ଥ୍ୟ ବିପଦ ପ୍ରତି ଦୁର୍ବଳତାକୁ ବୃଦ୍ଧି କରେ।
"ଗ୍ରାମାଞ୍ଚଳ ପରିବାରରେ ଗଭୀର ଆର୍ଥିକ ସମସ୍ୟା ଯୋଗୁ ଋତୁସ୍ରାବ ସମୟରେ ସ୍ୱଚ୍ଛ ଉତ୍ପାଦ ବ୍ୟବହାରରେ ସହରାଞ୍ଚଳ-ଗ୍ରାମାଞ୍ଚଳ ପାର୍ଥକ୍ୟ ଜାରି ରହିଛି," ବୋଲି ପଞ୍ଜାବର ପ୍ଲକ୍ଷ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର କରଣ ବବର କହିଛନ୍ତି।
ତେବେ ୨୦୨୩ର ଏକ ଅଧ୍ୟୟନ ଅନୁଯାୟୀ, ଆମ ରାଜ୍ୟର କେଉଁଝର ଏବଂ ଅନୁଗୁଳ ଜିଲ୍ଲାରେ ବାସ କରୁଥିବା ଜୁଆଙ୍ଗ୍ସ ଜାତିର ଏକ ଗୋଷ୍ଠୀର ୮୫ ପ୍ରତିଶତ ମହିଳା ଏବେ ବି ଋତୁସ୍ରାବ ସମୟରେ ପୁରୁଣା କପଡ଼ା ଉପରେ ନିର୍ଭର କରନ୍ତି, କାରଣ ବଜାରରୁ ଦୂରତା, ସଚେତନତାର ଅଭାବ ଏବଂ ଉଚ୍ଚ ମୂଲ୍ୟ ସେମାନଙ୍କ ପାଇଁ ପ୍ରତିବନ୍ଧକ ସାଜିଛି। ୭୧% ମହିଳା ମାସିକ ଋତୁସ୍ରାବକୁ ନେଇ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ସତ୍ତ୍ୱେ, କେବଳ ଏକ ତୃତୀୟାଂଶ ଚିକିତ୍ସା କରାଇ ଥାଆନ୍ତି।
ମୁମ୍ବାଇ-ଭିତ୍ତିକ ସ୍ବେଚ୍ଛାସେବୀ ସଂଗଠନ ଦସ୍ରାର ଗବେଷଣା ଅନୁଯାୟୀ, ଭାରତରେ ୨୩% ଝିଅ ଋତୁସ୍ରାବ ଆରମ୍ଭ ହେବା ପରେ ସ୍କୁଲ ଛାଡ଼ନ୍ତି। ଏହାର କାରଣ ପ୍ରାୟତଃ ଶୌଚାଳୟ ଏବଂ ସାନିଟାରୀ ଉତ୍ପାଦର ଅଭାବ। ଏନଜିଓର ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଯଦିଓ ସରକାର ସାରା ଭାରତରେ ସ୍କୁଲଗୁଡ଼ିକରେ ୪,00,000 ରୁ ଅଧିକ ଶୌଚାଳୟ ନିର୍ମାଣର ଲକ୍ଷ୍ୟ ପୂରଣ କରିଛନ୍ତି, ମାତ୍ର ଏହା ସମ୍ପୂର୍ଣ୍ଣ ସମାଧାନ ପ୍ରଦାନ କରିନାହିଁ।