ସରକାରଙ୍କୁ ଘେରିଲେ ବିରୋଧୀ: ଭାରତ କାହିଁକି କ୍ଷମା‌ ମାଗିବ, ବିଜେପି ମାଗୁ

ନୂପୁର ଶର୍ମାଙ୍କୁ ସମନ୍‌ କରିବ ମୁମ୍ବାଇ ପୁଲିସ

ନୂଆଦିଲ୍ଲୀ: ବିଜେପି ନେତା ନୂପୁର ଶର୍ମା ଏବଂ ଏହାର ଦିଲ୍ଲୀ ଗଣମାଧ୍ୟମ ମୁଖ୍ୟ ନବୀନ ଜିନ୍ଦଲ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ବିଜେପିକୁ କଡ଼ା ସମାଲୋଚନା ଏବଂ ବିରୋଧର ଶିକାର ହେବାକୁ ପଡ଼ିଛି। ଉଭୟ ଦେଶ ଭିତରେ ଏବଂ ଦେଶ ବାହାରେ ପ୍ରଫେଟ୍‌ଙ୍କ ବିରୋଧରେ ଟିପ୍ପଣୀକୁ କଡ଼ା ନିନ୍ଦା କରାଯାଇଛି। ଉପସାଗରୀୟ ରାଷ୍ଟ୍ରମାନେ ଉକ୍ତ ପ୍ରସଙ୍ଗରେ ଭାରତଠାରୁ କ୍ଷମା ଚାହିଥି‌ବାବେଳେ ବିରୋଧୀ ଦଳ ନେତାମାନେ ଏହି ପ୍ରସଙ୍ଗରେ ବିଜେପିକୁ ଘେରିଛନ୍ତି। ବିଜେପି ‌ନେତାଙ୍କ ଟିପ୍ପଣୀ ପାଇଁ ଭାରତ କାହିଁକି କ୍ଷମା ମାଗିବ। ବିଜେପି କ୍ଷମା ମାଗୁ ବୋଲି ବିରୋଧୀ ଦଳ ନେତାମା‌ନେ ଦାବି କରିଛନ୍ତି। ଟିଆରଏସ୍‌ (ତେଲେଙ୍ଗାନା ରାଷ୍ଟ୍ର ସମିତି) ନେତା କେଟି ରାମ ରାଓ କହିଛନ୍ତି, ଏହି ପ୍ରସଙ୍ଗରେ ଭାରତ ନୁହେଁ କେବଳ ବିଜେପି କ୍ଷମା ମାଗିବା ଉଚିତ୍‌। ଅନ୍ତର୍ଜାତୀୟ ସ୍ତରରେ ବିଜେପି ଉକ୍ତ ପ୍ରସଙ୍ଗକୁ ଯେଭଳି ମୁକାବିଲା କରୁଛି ଅନ୍ୟ ବିରୋଧୀ ଦଳ ନେତାମାନେ ବି ଏହାର ବିରୋଧ କରିଛନ୍ତି। ପ୍ରଫେଟଙ୍କ ବିରୋଧରେ ଟିପ୍ପଣୀ ପାଇଁ କଂଗ୍ରେସ ବିଜେପି କାର୍ଯ୍ୟକର୍ତ୍ତା ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ଗିରଫ ଦାବି କରିଛି। ଆପ୍‌ ନେତା ଏବଂ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ବିଜେପି ଏଭଳି ଭାବେ ନେତୃତ୍ବ ନେ‌ଉଛି ଯେ କ୍ଷୁଦ୍ର ରାଷ୍ଟ୍ରମାନେ ବି ଭାରତକୁ ଚ୍ୟାଲେଂଜ କରିବା ଆରମ୍ଭ କଲେଣି।

ନୂପୁର ଶର୍ମାଙ୍କୁ ସମନ୍‌ କରିବ ମୁମ୍ବାଇ ପୁଲିସ
ନୂଆଦିଲ୍ଲୀ : ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ୍‌ଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ତାଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ସେ ପୁଲିସରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁ କରିଛି। ଉଲ୍ଲେଖଯୋଗ୍ୟ ଗତକାଲି ଦିଲ୍ଳୀ ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ହତ୍ୟା ଧମକ ‌ମିଳିଥିବା ନେଇ ସେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ ନୂପୁର ଶର୍ମା କହିଛନ୍ତି, ସେ ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ନେଇ ଚିନ୍ତାରେ ଅଛନ୍ତି। ତାଙ୍କ ଠିକଣାକୁ ସାର୍ବଜନୀନ ନକରିବା ପାଇଁ ସେ ଅନୁରୋଧ କରିଛନ୍ତି। ତେବେ ବିଜେପି ଗତକାଲି ନୂପୁରଙ୍କୁ ପଠାଇଥିବା ଚିଠିରେ ତାଙ୍କ ଠିକଣା ରହିଛି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତେଣୁ ନୂପୁର ଶର୍ମା ଭୟରେ ଅଛନ୍ତି। ନୂପୁର ଶର୍ମା ତାଙ୍କ ଟିପ୍ପଣୀ ପାଇଁ ଗତକାଲିଠାରୁ କ୍ଷମା ମାଗି ସାରିଛନ୍ତି। ଅନ୍ୟପକ୍ଷେ ପ୍ରଫେଟ୍‌ଙ୍କ ବିରୋଧରେ ଟିପ୍ପଣୀ ପାଇଁ ମୁମ୍ବାଇ ପୁଲିସ ଖୁବ୍‌ଶୀଘ୍ର ନୂପୁର ଶର୍ମାଙ୍କୁ ସମନ୍‌ କରିବ।

ସମ୍ବନ୍ଧିତ ଖବର