ଦୀର୍ଘ ୪୯୭ ଦିନ ପରେ ବିଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ପ୍ରଥମେ କେଉଁ ଦେଶକୁ ଯିବେ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବର୍ଷ ପରେ ପୁଣି ବିଦେଶ ଯାତ୍ରା କରିବେ । କରୋନା ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଯାତ୍ରା । କରୋନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦୀର୍ଘ ଦିନ ଧରି ବିଦେଶ ଯାତ୍ରା କରିନଥିଲେ। ଏବେ ଦୀର୍ଘ ୪୯୭ ଦିନ ପରେ ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଯାତ୍ରା ଏକ ରାଜନୈତିକ ଅଭିସନ୍ଧି ବୋଲି ଆଲୋଚନା ହେଉଛି । ଏହାରି ମଧ୍ୟରେ କୁହାଯାଇଛି କି ପଶ୍ଚିମବଙ୍ଗ ଓ ଆସାମରେ ଯେଉଁଦିନ ପ୍ରଥମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ ସେଦିନ ପ୍ରଧାନମନ୍ତ୍ରୀ ବାଂଲାଦେଶ ଗସ୍ତରେ ଥିବେ ।

ପ୍ରଧାନମନ୍ତ୍ରୀ ଚଳିତମାସ ୨୬ ଓ ୨୭ ତାରିଖ ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯିବେ । ବାଂଲାଦେଶର ୫୦ ତମ ସ୍ୱାଧୀନତା ଦିବସରେ ମୋଦି ସେଠାରେ ଉପସ୍ଥିତ ରହିବେ । କରୋନା ମହାମାରୀ ବେଳେ ବାଂଲାଦେଶକୁ ଟିକା ଦେଇ ଭାରତ ଓ ବାଂଲାଦେଶ ମଧ୍ୟରେ ସଂପର୍କର ସୁଧାର ଆଣିବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ । କୁହାଯାଉଛି କି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମତୁଆ ସଂପ୍ରଦାୟର ଧର୍ମଗୁରୁ ହରିଶ୍ଚନ୍ଦ୍ର ଠାକୁରଙ୍କ ଜନ୍ମସ୍ଥଳୀ ବି ଗସ୍ତ କରିବେ । ଏହାସହ ସୁଗନ୍ଧା ଶକ୍ତିପୀଠ, ଔରଫଣ୍ଡି ମନ୍ଦିର ଆଦି ଯିବାର କାର୍ଯ୍ୟକ୍ରମ ରହିଛି ।

କହିରଖୁ କି ବାଂଲାଦେଶ ସ୍ୱାଧୀନ ହେବା ପୂର୍ବରୁ ଦେଶର ଏକ ବଡ ଜନସଂଖ୍ୟା ପଶ୍ଚିମବଙ୍ଗରେ ବାସ କରୁଥିଲେ । ଏହା ମଧ୍ୟରେ ସବୁଠାରୁ ବେଶି ସଂଖ୍ୟା ଥିଲା ମତୁଆ ସଂପ୍ରଦାୟର । ତେଣୁ ପ୍ରଧାନମନ୍ତ୍ରୀ ବାଂଲାଦେଶ ଗସ୍ତ କରି ପଶ୍ଚିମବଙ୍ଗ ରାଜନୀତିର ସବୁଠାରୁ ମାଷ୍ଟର କାର୍ଡ ମତୁଆ ସଂପ୍ରଦାୟର ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି ।

୨୦୧୬ ମସିହା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମତୁଆ ସଂପ୍ରଦାୟର ଭୋଟକୁ ନିଜ ସପକ୍ଷରେ ରଖିଥିଲେ ମମତା ବାନାର୍ଜୀ । ମତୁଆ ସଂପ୍ରଦାୟ ବହୁଳ ଅଞ୍ଚଳରେ ଥିବା ୨୧ଟି ଆସନରୁ ତୃଣମୂଳ କଂଗ୍ରେସକୁ ୧୮ ଆସନ ମିଳିଥିଲା । ତେଣୁ ପ୍ରଧାନମନ୍ତ୍ରୀ ଏହାକୁ ନଜରରେ ରଖି ପଶ୍ଚିମବଙ୍ଗ ଗସ୍ତ କରୁଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର