ଖାରତୁମ : ଆଫ୍ରିକୀୟ ଦେଶ ସୁଦାନରେ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ଭୟଙ୍କର ଗୃହଯୁଦ୍ଧ ଏବେ ବି ଜାରି ରହିଛି । ସୁଦାନ ସେନା ଓ ଅର୍ଦ୍ଧ ସାମରିକ ବାହିନୀ ଆରଏସଏଫ ମଧ୍ୟରେ ଚାଲିଥିବା ଏହି ସଂଘର୍ଷ ଯୋଗୁଁ ଏହି ଦେଶର ସ୍ଥିତି ଖରାପ ହେବାରେ ଲାଗିଛି । କିନ୍ତୁ ଏହି ଗୃହଯୁଦ୍ଧ ଯୋଗୁଁ ସାରା ବିଶ୍ବରେ ଥିବା ବହୁରାଷ୍ଟ୍ରୀୟ ମୃଦୁପାନୀୟ କମ୍ପାନି, କସମେଟିକ ଓ ଫାର୍ମା କମ୍ପାନି ଚିନ୍ତାରେ ପଡ଼ିଯାଇଛନ୍ତି । ତେବେ ଏହାର କାରଣ କ’ଣ ?

Advertisment

ପ୍ରକୃତ କଥା ହେଉଛି ଥଣ୍ଡା ପାନୀୟ, କସମେଟିକ୍ସ ଏବଂ କିଛି ଔଷଧରେ ଏକ ସ୍ୱତନ୍ତ୍ର ପ୍ରକାରର ଜିନିଷ ମିଶାଯାଇଥାଏ, ଯାହାର ୮୦ ପ୍ରତିଶତ ସୁଦାନରୁ ଯୋଗାଇ ଦିଆଯାଏ । ଯଦି ଏହି ନିର୍ଦ୍ଦିଷ୍ଟ ଜିନିଷକୁ ଥଣ୍ଡା ପାନୀୟରେ ମିଶା ନଯାଏ, ତେବେ ଆମର ମୃଦୁ ପାନୀୟର ସ୍ୱାଦ ବର୍ତ୍ତମାନ ଆମେ ଯେଭଳି ଭାବୁଛୁ ସେମିତି ହେବ ନାହିଁ ।

ଏହି ସ୍ବତନ୍ତ୍ର ପଦାର୍ଥଟି ହେଉଛି ଗମ୍ ଆରବିକ୍ । ଏହା ସୁଦାନରେ ଥିବା ଆକାସିଆ ନାମକ ଗଛର ଅଠାରୁ ଏହାକୁ ପ୍ରସ୍ତୁତ କରାଯାଏ । ବିଶ୍ବରେ ପ୍ରସ୍ତୁତ ହେଉଥିବା ଗମ୍ ଆରବିକର ୭୦ ପ୍ରତିଶତ ସୁଦାନରୁ ଆସିଥାଏ । କିନ୍ତୁ ଯୁଦ୍ଧ ଲାଗିଥିବାରୁ ଏହାର ଯୋଗାଣ ପ୍ରଭାବିତ ହୋଇଛି । ଫଳରେ କୋକାକୋଲା, ପେପସି ଆଦି ବହୁରାଷ୍ଟ୍ରୀୟ ମୃଦୁପାନୀୟ କମ୍ପାନିମାନେ ମୁଣ୍ଡରେ ହାତ ଦେଲେଣି । ସମସ୍ୟାର ସମାଧାନ ନ ହେଲେ ସ୍ଥିତି ଆଗକୁ ଆହୁରି ଖରାପ ହେବ ବୋଲି ସେମାନେ ଆଶଙ୍କା କରୁଛନ୍ତି ।