ନୂଆଦିଲ୍ଲୀ: ଦେବାଳିଆ ଅବସ୍ଥାରେ ଶ୍ରୀଲଙ୍କା । ସାରା ଦେଶରେ ମହଙ୍ଗା ମାଡ଼ । ୧ ହଜାର କୋଟି ଋଣ ଭାରରେ ବୁଡିଛି ଦେଶ । ବିଦେଶୀ ମୁଦ୍ରା ଭଣ୍ଡାର ୭୦ ପ୍ରତିଶତ ହ୍ରାସ । ଗୋଟିଏ ମାସରେ ଟଙ୍କାର ମୂଲ୍ୟ ୪୫ ପ୍ରତିଶତ ହ୍ରାସ । ୧ ଡଲାର ତୁଳନାରେ ୨୯୨.୫୦ରେ ପହଂଚିଛି ଶ୍ରୀଲଙ୍କା ଟଙ୍କା । ଦେଶର ଆର୍ଥିକ ସ୍ଥିତି ଦେଖି ବନ୍ଦ କରିଦିଆଯାଇଛି ଷ୍ଟ୍ରିଟ୍ ଲାଇଟ୍, ଦିନକୁ ୧୩ ଘଂଟା କଟୁଛି ବିଜୁଳି । ଜେନେରେଟର ଚଳାଇବାକୁ ନାହିଁ ଡିଜେଲ । ପେଟ୍ରୋଲ ଡିଜେଲ ଓ ଗ୍ୟାସ ପାଇଁ ଲୋକଙ୍କୁ ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି ।
ପରିସ୍ଥିତି ଏଭଳି ହୋଇଛି ଯେ, ପିଲାଙ୍କ ପାଠ ପଢା ପାଇଁ କାଗଜ, କଲମ ନାହିଁ । ଏପରି ସ୍ଥିତିରେ ଅନିର୍ଦିଷ୍ଟ ସମୟ ପାଇଁ ପରୀକ୍ଷା ବାତିଲ କରିଦିଆଯାଇଛି । ସୁନାଠାରୁ ଅଧିକ ମହଙ୍ଗା ହେଲାଣି କ୍ଷୀର । ଦୁଇ ବେଳା ଦୁଇ ପଟ ରୋଟି ଯୋଗାଡ କରିବା ଲୋକଙ୍କ ପାଇଁ କାଠିକର ପାଠ ହେଲାଣି ।
ଦେଶର ଅବସ୍ଥା ବେହାଲ ହେବା ପରେ ରାସ୍ତାକୁ ଓହ୍ଲାଇଲେଣି ସାଧାରଣ ଜନତା । ଗୁରୁବାର ରାତିରେ ହଜାର ହଜାର ଲୋକ ରାଷ୍ଟ୍ରପତି ଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ସ୍ପେସାଲ ଟାସ୍କ ଫୋର୍ସକୁ ଡାକିବାକୁ ପଡିଥିଲା । ପୁଲିସର ଲାଠି ମାଡରେ ଶତାଧିକ ଆହତ ହୋଇଛନ୍ତି ।..
ତେବେ ଦେଶର ଅବସ୍ଥା ଏପରି ହେଲା କାହିଁକି । କାହିଁକି ଭୁଶୁଡି ପଡିଲା ଅର୍ଥ ବ୍ୟବସ୍ଥା ।.. ଶ୍ରୀଲଙ୍କା ଅର୍ଥ ବ୍ୟବସ୍ଥାରେ ପର୍ଯ୍ୟଟନର ପ୍ରମୁଖ ଭୂମିକା ରହିଛି । ତେବେ କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନ ପୂରା ଠପ୍ ହୋଇଗଲା । ଏଥିଯୋଗୁଁ ଦେଶରେ ବିଦେଶୀ ଅର୍ଥ ଭଣ୍ଡାର ପୂରା ଖାଲି ହୋଇଗଲା । ଶ୍ରୀଲଙ୍କାରେ ପର୍ଯ୍ୟଟନ ଉପରେ ପ୍ରତ୍ୟକ୍ଷ ଭାବେ ୫ ଲକ୍ଷ ଏବଂ ପରୋକ୍ଷ ଭାବେ ୨୦ ଲକ୍ଷ ନିର୍ଭର କରୁଥିଲେ । ଶ୍ରୀଲଙ୍କା ଜିଡିପିରେ ପର୍ଯ୍ୟଟନର ଭାଗ ରହିଛି ୧୦ ପ୍ରତିଶତରୁ ଅଧିକ । ପ୍ରତିବର୍ଷ କେବଳ ଟୁରିଜିମରୁ ୩୭ ହଜାର କୋଟି ଆୟ ହୋଇଥାଏ । ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବା ପରେ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଥିବା କହାଯାଉଛି ।.