କାହିଁକି ପାକିସ୍ତାନ ଓ ତାଲିବାନ ମଧ୍ୟରେ ଲଢେଇ ଚାଲିଛି ?

ନୂଆଦିଲ୍ଲୀ : ଗତ ବର୍ଷ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଓ ତାଲିବାନର କ୍ଷମତା ଦଖଲକୁ ଭାରତ ସମେତ ସମଗ୍ର ବିଶ୍ବ ଚିନ୍ତା ଓ ସଂଦେହ ଦୃଷ୍ଟିରେ ଦେଖୁଥିବାବେଳେ ପାକିସ୍ତାନ ଖୋଲାଖୋଲିଭାବେ ତାହାକୁ ସ୍ବାଗତ କରିଥିଲା । ଆଫଗାନିସ୍ତାନବାସୀ ଦାସତ୍ବର ବନ୍ଧନରୁ ମୁକ୍ତ ହୋଇଛନ୍ତି ବୋଲି ତତକାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘୋଷଣା କରିଥିଲେ । କିନ୍ତୁ ଏହି ଘଟଣାର ବର୍ଷଟେ ବି ପୁରିନାହିଁ, ପାକିସ୍ତାନ ଓ ତାଲିବାନ ମଧ୍ୟରେ ବିବାଦ ଦେଖାଗଲାଣି । ବିବାଦ ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି ।

ଚଳିତ ମାସରେ ଆଫଗାନିସ୍ତାନର ଖୋସ୍ତ ଓ କୁନାର ରାଜ୍ୟରେ ପାକିସ୍ତାନୀ ବାୟୁସେନାର ଏୟାରଷ୍ଟ୍ରାଇକ ଯୋଗୁଁ ୨୦ ଶିଶୁଙ୍କ ସହ ମୋଟ ୫୦ ଜଣ ଲୋକ ପ୍ରାଣ ହରାଇଥିଲେ । ଚଳିତ ମାସରେ ହିଁ ଆଫଗାନିସ୍ତାନ ସୀମାରେ ତାଲିବାନର ଗରିଲା ଆକ୍ରମଣ ଫଳରେ ୭ ପାକିସ୍ତାନୀ ସୈନ୍ୟ ମୃତ୍ୟୁବରଣ କରିଥିଲେ । ସେହିପରି ତାଲିବାନ ପକ୍ଷରୁ ତୋପମାଡ଼ରେ ପାକିସ୍ତାନୀ ସେନାର ଏକ ଆଉଟପୋଷ୍ଟ ଧ୍ବଂସ ହେବା ସହ ୩ ଜଣ ସୈନ୍ୟ ମୃତ୍ୟୁବରଣ କରିଥିଲେ । ଗତ ଜାନୁଆରିଠାରୁ ପାକିସ୍ତାନୀ ସେନା ଆକ୍ରମଣରେ ୧୨୮ ତାଲିବାନ ସୈନ୍ୟ ମୃତ୍ୟୁବରଣ କରିଥିବାବେଳେ ତାଲିବାନ ଆକ୍ରମଣରେ ୧୦୦ ଜଣ ପାକିସ୍ତାନୀ ସୈନ୍ୟ ମରିଛନ୍ତି ।

ତେବେ ଗୋଟିଏ ବର୍ଷ ଭିତରେ ହିଁ ତାଲିବାନ ଓ ପାକିସ୍ତାନ ମଧ୍ୟରେ ଥିବା ବନ୍ଧୁତା କିପରି ଶତ୍ରୁତାରେ ପରିଣତ ହୋଇଗଲା ? ଏହାର କାରଣ ହେଉଛି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଥିବା ଡୁରାଣ୍ଡ ଲାଇନକୁ ନେଇ ବର୍ଷ ବର୍ଷ ଧରି ଚାଲିଥିବା ବିବାଦ । ବ୍ରିଟିଶ ଅମଳରୁ ହିଁ ଆଫଗାନିସ୍ତାନ ଏହାକୁ ମାନ୍ୟତା ଦେଉନାହିଁ । ଏବେ ପାକିସ୍ତାନ ପକ୍ଷରୁ ଏହି ସୀମାରେ ତାରବାଡ଼ ଦିଆଯାଉଥିବାରୁ ତାଲିବାନ ତାହାର ବିରୋଧ କରୁଛି ।

ସମ୍ବନ୍ଧିତ ଖବର