ଦିଦିଙ୍କ ଚିଠିର ଜବାବ ରଖିଲେ ଅର୍ଥମନ୍ତ୍ରୀ, ମେ’ ୩ରୁ ଅମ୍ଳଜାନ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ଼ କରାଯାଇଛି

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଅମ୍ଳଜାନ ଓ କୋଭିଡ ଔଷଧ ଉପରୁ ଜିଏସଟି ଛାଡ଼ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ଏବେ ତାଙ୍କ ଚିଠିର ଜବାବ ଟୁଇଟ କରି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | ୫-୬ଟି ଟୁଇଟ କରି ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁସବୁ ଜିନିଷ ଉପରୁ ଜିଏସଟି ଛାଡ କରିବାକୁ କହୁଛନ୍ତି, ତା’ ଉପରୁ ମେ’ ୩ରୁ ଜିଏସଟି ଛାଡ କରାଯାଇସାରିଛି |

ଜିଏସଟି ଛାଡ଼ କରାଯାଇଥିବା ଜିନିଷଗୁଡ଼ିକର ଏକ ସୂଚୀ ମଧ୍ୟ ନିର୍ମଳା ସୀତାରମଣ ସେୟାର କରିଛନ୍ତି, ଯେଉଁଥିରେ ଅମ୍ଳଜାନ ଟ୍ୟାଙ୍କ ଓ କୋଭିଡ ଔଷଧ ମଧ୍ୟ ରହିଛି |

କିଛି ସମୟ ପୂର୍ବରୁ ମମତା ବାନାର୍ଜୀ ଚିଠିରେ ଲେଖିଥିଲେ ଯେ, କୋଭିଡ ସହିତ ଲଢ଼ିବାରେ ରାଜ୍ୟକୁ ସାହାଯ୍ୟ କରିବା ପାଇଁ ଅନେକ ସଂଗଠନ, ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଏଜେନ୍ସି ଅମ୍ଳଜାନ କନସେନଟ୍ରେଟର, ସିଲିଣ୍ଡର, ଟ୍ୟାଙ୍କ ଏବଂ କରୋନା ଔଷଧ ଦେଉଛନ୍ତି। କିନ୍ତୁ ଏହିସବୁ ଜିନିଷ ଉପରେ ଅଧିକ ଜିଏସଟି ଥିବାରୁ ସେମାନେ ରାଜ୍ୟ ସରକାରଙ୍କୁ ଜିଏସଟି ଛାଡ କରିବାକୁ ଅନୁରୋଧ କରିଛନ୍ତି | ଏହି ସମସ୍ତ ଟିକସ କେନ୍ଦ୍ରର ଅଧୀନରେ ଆସେ, ତେଣୁ ମୁଁ ଅନୁରୋଧ କରିବି ଯେ କେନ୍ଦ୍ର ସରକାର ଏହି ଜିନିଷଗୁଡିକ ଉପରୁ ଟିକସ ଛାଡ କରନ୍ତୁ | ଏହା ଦ୍ୱାରା ବ୍ୟକ୍ତିଗତ ସହାୟତାକୁ ଉତ୍ସାହିତ କରାଯାଇପାରିବ ଏବଂ ଅନେକ ସଂଗଠନ ରାଜ୍ୟ ସରକାରଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିବେ | ଏଭଳି ହେବା ଦ୍ୱାରା ରାଜ୍ୟ ସରକାରଙ୍କ ଚାହିଦା ଏବଂ ଚିକିତ୍ସା ସମ୍ବଳର ବିପୁଳ ବ୍ୟବଧାନକୁ ସହଜରେ ପୂରଣ କରାଯାଇପାରିବ |

 

ସମ୍ବନ୍ଧିତ ଖବର