ନେପାଳ-ଭାରତ ବିବାଦ କାହିଁକି?

ନେପାଳ ଓ ଭାରତ ମଧ୍ୟରେ ଦେଖାଦେଇଥିବା ବିବାଦର ମୂଳ କାରଣ ହେଲା ଏକ ୮୦ କିମିର ରାସ୍ତା। ଏହାକୁ ଭାରତୀୟ ସେନାର ବର୍ଡର ରୋଡ୍ ଅର୍ଗାନାଇଜେସନ୍ ପକ୍ଷରୁ କାଲାପାନିରୁ ଲିପୁଲେଖ ପାସ୍‌ ପର୍ଯ୍ୟନ୍ତ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁଙ୍କୁ ସୁବିଧାରେ କୈଳାସ ମାନସରୋବର ପର୍ଯ୍ୟନ୍ତ ପହଞ୍ଚାଇବା ଲକ୍ଷ୍ୟ ରଖି ଏହି ରାସ୍ତା ନିର୍ମାଣ କରାଯାଇଛି। ପୂର୍ବରୁ ଶ୍ରଦ୍ଧାଳୁମାନେ ସିକିମ୍‌ର ନାଥୁଲା‌ ପାସ୍‌ ଦେଇ କୈଳାସ ମାନସରୋବର ପର୍ଯ୍ୟନ୍ତ ଲମ୍ବା ରାସ୍ତା ଅତିକ୍ରମ କରି ଯାଉଥିଲେ। ଭାରତ ଏବେ ଯେଉଁ ରାସ୍ତା ନିର୍ମାଣ କରିଛି ସେହି ଅଞ୍ଚଳକୁ ନେପାଳ ନିଜର ଦାବି କରି ବିବାଦ ସୃଷ୍ଟି କରିଛି। ଏହି ବିବାଦ ପଛର ବଡ଼ କାରଣ ହେଉଛି ଏକ ନଦୀର ଉତ୍ପତ୍ତି ସ୍ଥଳ, ଯାହାର ମୂଳ ୩ଟି ସ୍ଥାନରେ ରହିଛି। ସେଗୁଡ଼ିକ ହେଲା ଲିମ୍ପୁଆଧୁରା, କାଲାପାନି ଓ ଲିପୁଲେଖ। ଲିମ୍ପୁଆଧୁରା ଉତ୍ତରାଖଣ୍ଡର ଏକ ଅଞ୍ଚଳ ହୋଇଥିବାବେଳେ ଲିପୁଲେଖ ହେଉଛି ଭାରତ, ଚୀନ ଓ ନେପାଳ ସୀମାରେଖା ନିକଟବର୍ତ୍ତୀ ଅଞ୍ଚଳ। ବହୁଦିନରୁ ଲି‌ପୁଲେଖ ହିଁ ଭାରତ ଓ ନେପାଳ ପାଇଁ ସୀମା ରେଖା ରହିଆସିଛି। କିନ୍ତୁ ହଠାତ୍ କିଛିଦିନ ତଳେ ନେପାଳ ଲିମ୍ପୁଆଧୁରାଠାରୁ ଆରମ୍ଭ କରି ଲିପୁଲେଖ ପର୍ଯ୍ୟନ୍ତ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି।

ନେପାଳ ଓ ଭାରତ ମଧ୍ୟରେ ମୂଳ ସୀମା ନିର୍ଦ୍ଧାରଣ ପଛରେ ଏକ ରୋଚକ କାହାଣୀ ରହିଛି। ତାହା ହେଲା ବହୁବର୍ଷ ପୂର୍ବେ ନେପାଳରେ ଶକ୍ତିଶାଳୀ ଗୋର୍ଖାମାନଙ୍କ ଶାସନ ଥିଲା ଯେଉଁମାନେ ‌ଯୁଦ୍ଧକଳାରେ ନିପୁଣ ଥିଲେ। ସେମାନେ ‌ନିଜର ପରାକାଷ୍ଠା ବଳରେ ନେପାଳ ସାମ୍ରାଜ୍ୟକୁ ପୂର୍ବ ଦିଗରେ ତିସ୍ତା ନଦୀରୁ ପଶ୍ଚିମରେ ସତଲେଜ୍‌ ନଦୀ ପର୍ଯ୍ୟନ୍ତ ବିସ୍ତାର କରିଥିଲେ। ଅର୍ଥାତ ପୂର୍ବରେ ସିକିମରୁ ପଶ୍ଚିମରେ ଉତ୍ତରାଖଣ୍ଡର କୁମାଉଁ ଓ ଗଡ଼ୱାଲ ଅଞ୍ଚଳ ପର୍ଯ୍ୟନ୍ତ ସେମାନେ ଶାସନ କରୁଥିଲେ। ଭାରତରେ ଇଂରେଜ ଶାସନ ଅମଳରେ ବ୍ରିଟିସ ସେନା ଓ ନେପାଳ ମଧ୍ୟରେ ୧୮୧୪ରୁ ୧୮୧୬ ମଧ୍ୟରେ ଆ‌ଙ୍ଗ୍‌ଲୋ-ନେପାଳ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ନେପାଳ ପରାସ୍ତ ହେବାପରେ ଏହା କବ୍‌ଜା କରିଥିବା ଅଞ୍ଚଳଗୁଡ଼ିକୁ ବ୍ରିଟିସ ନେତୃତ୍ବାଧୀନ ଭାରତକୁ ଫେରାଇଥିଲା। ଏଥିସହିତ ନେପାଳ ଓ ଭାରତର ସୀମା ପୁନଃ ନିର୍ଦ୍ଧାରଣ କରାଯାଇଥିଲା। ପୂର୍ବ ଦିଗରେ ନେପାଳର ସୀମା ମେଚି ନଦୀରୁ ପଶ୍ଚିମରେ ମହାକାଲୀ ବା କାଲି ନଦୀ ମଧ୍ୟରେ ସୀମିତ ରହିଥିଲା। ବିହାରର ଚମ୍ପାରଣ ଜିଲ୍ଲାର ସୁଗୋଲିଠାରେ ୧୮୧୫ ମସିହାରେ ଏ ନେଇ ରାଜିନାମା ହୋଇଥିଲା। ସେହି ରାଜିନାମାକୁ ୧୮୧୬ରୁ କାର୍ଯ୍ୟକାରୀ କରାଯାଇଥିଲା। ପଶ୍ଚିମରେ ମହାକାଲି ବା କାଲି ( ଭାରତର ଉତ୍ତରାଖଣ୍ଡରେ ଏହା ସାରଦା ନଦୀ ନାମରେ ପରିଚିତ) ୩ଟି ସ୍ଥାନରୁ ବାହାରି ଥିବାରୁ ସମସ୍ତ ଉତ୍ପତ୍ତି ସ୍ଥଳକୁ ନେପାଳ ଏବେ ନିଜର ଦାବି କରୁଛି।

ସମ୍ବନ୍ଧିତ ଖବର