ଭୁବନେଶ୍ବର : ବନ୍ଦେ ଭାରତ ଟ୍ରେନକୁ ନେଇ ଓଡ଼ିଶାରେ ଗତ କିଛି ଦିନ ହେଲା ଚର୍ଚ୍ଚା ଲାଗି ରହିଛି । ପ୍ରଥମେ ଏହାର ଉଦଘାଟନକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ରବିବାରଦିନ କାଳବୈଶାଖିରେ ଏହି ଟ୍ରେନ କ୍ଷତିଗ୍ରସ୍ତ ହେବାକୁ ନେଇ ଚର୍ଚ୍ଚା ଜାରି ରହିଛି । କିନ୍ତୁ ଏହା ସତ ଯେ ଭାରତରେ ଡିଜାଇନ ହୋଇଥିବା ବନ୍ଦେ ଭାରତ ଟ୍ରେନ ଦେଶରେ ରେଳସେବା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ଏହି ଟ୍ରେନକୁ ଏକ ସ୍ମାର୍ଟ ଟ୍ରେନ ବୋଲି କୁହାଯାଉଛି କାରଣ ଏହି ଟ୍ରେନଟି ସଂପୂର୍ଣ୍ଣ କମ୍ପ୍ୟୁଟରାଇଜଡ ଓ ଏଥିରେ ଆହୁରି ଅନେକ ଅତ୍ୟାଧୁନିକ ଟେକନଲୋଜୀ ଲାଗିଛି ।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ମତରେ ବନ୍ଦେ ଭାରତରେ ଏତେ ପ୍ରକାରର ସଫ୍ଟଓ୍ବାର ଓ କମ୍ପ୍ୟୁଟର ହାର୍ଡଓ୍ବାର ଲାଗିଛି ଯେ ସମଗ୍ର ଟ୍ରେନକୁ ଏକ ଚକ ଲାଗିଥିବା କମ୍ପ୍ୟୁଟର ବୋଲି କୁହାଯାଇପାରେ ।
ଗୋଟିଏ ପାରମ୍ପରିକ ଟ୍ରେନର ପ୍ରାୟ ୨ ହଜାରଟି ଆଇସି (ଇଣ୍ଟିଗ୍ରେଟେଡ ସାର୍କିଟ୍ ) ଲାଗିଥାଏ, କିନ୍ତୁ ବନ୍ଦେ ଭାରତରେ ପ୍ରାୟ ୧୫ ହଜାର ଆଇସି ଲାଗିଛି । ପାରମ୍ପରିକ ଟ୍ରେନରେ ଲୋକମୋଟିଭ ( ସାଧାରଣ ଭାଷାରେ ଇଂଜିନ)ରେ ସବୁ ପ୍ରକାରର ଇଲେକ୍ଟ୍ରୋନିକ ଉପକରଣ, ନିୟନ୍ତ୍ରଣ ବ୍ୟବସ୍ଥା, ଟ୍ରାକ୍ସନ କନଭର୍ଟର ଆଦି ରହିଥାଏ । କିନ୍ତୁ ବଗିଗୁଡ଼ିକରେ ସେପରି କୌଣସି ଜଟିଳ ଇଲେକ୍ଟ୍ରୋନିକ ଉପକରଣ ନଥାଏ ।
କିନ୍ତୁ ବନ୍ଦେ ଭାରତରେ ୮ଟି ମୋଟର କୋଚ ରହିଛି-ଅର୍ଥାତ୍ କୋଚ ଗୁଡ଼ିକ ଆପେ ଆପେ ଚାଲିପାରିବ । ଏହି ହିସାବରେ ବନ୍ଦେ ଭାରତରେ ଅଧିକ ସଂଖ୍ୟକ ଚିପ୍ ଲାଗିଛି । ଏହାର କୋଚଗୁଡ଼ିକରେ ହିଁ ଭେହିକ୍ଲ କଣ୍ଟ୍ରୋଲ ୟୁନିଟ୍, ଟ୍ରାକ୍ସନ କନଭର୍ଟର, ଅକଜିଲାରି କନଭର୍ଟର ରହିଥାଏ । ଏହାଛଡ଼ା ବନ୍ଦେ ଭାରତରେ ଇଣ୍ଟେଲିଜେଣ୍ଟ ବ୍ରେକିଂ ସିଷ୍ଟମ, ଡୋର ସିଷ୍ଟମ ଓ ଟ୍ରେନ କଣ୍ଟ୍ରୋଲ ଏଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ ଥାଏ । ଏସବୁ ବ୍ୟବସ୍ଥା ବନ୍ଦେ ଭାରତକୁ ଏକ ଜଟିଳ ଟେକନଲୋଜୀ ଚାଳିତ ଯାନରେ ପରିଣତ କରିଛି ।