ମୁମ୍ବାଇ: ଏନ୍ସିପି ସୁପ୍ରିମୋ ଶରଦ ପାୱାର ଆଜି ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଘୋଷଣା କରିବା ସହ ଦଳର ଭବିଷ୍ୟତ ରଣନୀତି ନେଇ କଡ଼ା ବାର୍ତ୍ତା ଦେଇଛନ୍ତି। ଭବିଷ୍ୟତରେ ଦଳ କାହା ନିୟନ୍ତ୍ରଣରେ ରହିବ ତାହା ଶରଦ ପାୱାରଙ୍କ ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଯାଇଥିବା ବେଳେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କୁ ନେଇ କୌଣସି ଘୋଷଣା ନହେବା ଚର୍ଚ୍ଚାର ବିଷୟ ହୋଇଛି। ନିକଟରେ ଶରଦ ପାୱାର ଯେତେବେଳେ ଏନ୍ସିପି ସଭପତି ପଦ ଛାଡ଼ିବା ଘୋଷଣା କରିଥିଲେ ସେତେବେଳେ ଦଳରେ କମ୍ପନ ସୃଷ୍ଟି ହୋଇଥିଲା ଏବଂ କେବଳ ଅଜିତ ପାୱାରଙ୍କୁ ଛାଡ଼ି ସବୁ ବରିଷ୍ଠ ନେତା ପାୱାରଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପ୍ରବଳ ଚାପ ସୃଷ୍ଟି କରିଥିଲେ।
ଅଜିତ ପାୱାର ନିଜର ଦୃଢ଼ ସମର୍ଥକଙ୍କୁ ନେଇ ଏକ ଭିନ୍ନ ଗୋଷ୍ଠୀ କରିବା ମସୁଧାରେ ରହୁଥିବାରୁ ଦଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ଶରଦ ପାୱାର ଏବେ ନୂଆ ରଣନୀତିରେ କାମ କରୁଛନ୍ତି ଏବଂ ଆଜିର ଘୋଷଣା ଏହାର ଏକ ବଡ଼ ପ୍ରମାଣ। ରାଜ୍ୟରେ ଦଳର ପ୍ରଭାବକୁ କାଏମ ରଖିବା ପାଇଁ ସୁପ୍ରିୟା ଓ ପ୍ରଫୁଲ୍ଲଙ୍କ ଦକ୍ଷତା ଉପରେ ପାୱାର ଅଧିକ ଆସ୍ଥା ପ୍ରକଟ କରିଛନ୍ତି। ସୁପ୍ରିୟା ସୁଲେ ଲଗାତାର ତୃତୀୟ ଥର ପାଇଁ ବାରାମତୀରୁ ସାଂସଦ ରହିଛନ୍ତି ଏବଂ ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ଅହରହ କାମ କରୁଛନ୍ତି। ଏବେ ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ରରେ ଦଳର ଶକ୍ତି ବୃଦ୍ଧି ପାଇଁ କାମ କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଂଜ ହେବ। ବର୍ଷକ ମଧ୍ୟରେ ରାଜ୍ୟରେ ବିଏମ୍ସି ନିର୍ବାଚନଠାରୁ ଆରମ୍ଭ କରି ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହା ସୁପ୍ରିୟାଙ୍କ ପାଇଁ ଅଗ୍ନି ପରୀକ୍ଷା ଭଳି ହେବ। ତେବେ ତାଙ୍କ ପଛରେ ପ୍ରଫୁଲ୍ଲ୍ଲ ପଟେଲ, ଅନୀଲ ଦେଶମୁଖ, ଛଗନ ଭୁଜବଳ ଓ ଜୟନ୍ତ ପାଟିଲଙ୍କ ପୂର୍ଣ୍ଣ ସମର୍ଥନ ରହିଥିବାରୁ ଅଜିତ ପାୱାରଙ୍କ ଦ୍ବାରା ଯଦି କୌଣସି ବିଦ୍ରୋହ ହୁଏ ତା’ହେଲେ ସେ ଏହାର ସଫଳ ମୁକାବିଲା କରିପାରିବେ ବୋଲି କୁହାଯାଉଛି।
ଆଜି ଶରଦ ପାୱାର କହିଛନ୍ତି ଯେ, ଅଜିତ ପାୱାରଙ୍କ ପାଖରେ ଦଳର ଅଧିକ ଦାୟିତ୍ବ (ରାଜ୍ୟ ବିରୋଧୀ ଦଳ ନେତା ପଦ) ରହିଥିବାରୁ ତାଙ୍କୁ ଆଉ କୌଣସି ନୂଆ ଦାୟିତ୍ବ ଦିଆଯାଇନାହିଁ। ଆଜି ପାୱାରଙ୍କ ବଡ଼ ନିଷ୍ପତ୍ତି ପରେ ଅଜିତ ପାୱାର କ୍ଷୁବ୍ଧ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/48-6.jpg)