ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। ବିିଭିନ୍ନ ଦଳ ଲୋକଙ୍କ ଉପରେ ପ୍ରତିଶ୍ରୁତିର ବର୍ଷା କରିବାରେ ଲାଗିଛନ୍ତି। ବିଭିନ୍ନ ଲୋଭ ଦେଇ ଭୋଟ ହାତେଇବାର ଉଦ୍ୟମ ଜୋରସୋରରେ ଚାଲିଛି। ଏ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କ୍ୟାପଟେନ ଅମ୍ରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ କାହିଁକି କଂଗ୍ରେସ ହଟାଇଲା, ତା’ର କାରଣ କହିଛନ୍ତି। ରାଜ୍ୟରେ ଗରିବ ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇବାକୁ ମନା କରିବାରୁ ତାଙ୍କୁ ହଟାଯାଇଥିବା କହିଛନ୍ତି ରାହୁଲ।
ପଞ୍ଜାବର ଫତେହଗଡ ସାହିବରେ ଏକ ଜନ ସମାବେଶକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ, କ୍ୟାପଟେନ ଅମ୍ରିନ୍ଦର ସିଂଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ କାହିଁକି ହଟାଇ ଦିଆଗଲା? ମୁଁ ଏହାର କାରଣ କହିବାକୁ ଚାହୁଁଛି। ଏହାର କାରଣ ହେଉଛି ସେ ଗରିବ ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇବାକୁ ରାଜି ହୋଇନଥିଲେ। ବିଦ୍ୟୁତ୍ ଯୋଗାଣ କମ୍ପାନିଗୁଡିକ ସହିତ ମୋର ଏକ ଚୁକ୍ତିନାମା ଅଛି ବୋଲି ସେ କହିଥିଲେ।

ଫେବ୍ରୁଆରି ୧୩ରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦାବି କରିଥିଲେ ଯେ, ଅମ୍ରିନ୍ଦର ସିଂଙ୍କ ନେତୃତ୍ୱାଧୀନ ପଞ୍ଜାବ ସରକାରଙ୍କୁ ଦିଲ୍ଲୀରୁ ବିଜେପି ଚଳାଉଥିବାରୁ ଏହାକୁ ବଦଳାଇବାକୁ ପଡିଲା। କୋଟକାପୁରାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ ନ ନେଇ କହିଥିଲେ ଯେ, ଏହା ସତ୍ୟ ଯେ ପଞ୍ଜାବରେ ପାଞ୍ଚ ବର୍ଷ ଧରି ଆମର ସରକାର ଥିଲା। ହେଲେ ଏହା ମଧ୍ୟ ସତ୍ୟ ଯେ ସେହି ସରକାରରେ କିଛି ତ୍ରୁଟି ରହିଥିଲା। ଯେଉଁଥିପାଇଁ ଆମକୁ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ପଡ଼ିଲା।