ନୂଆଦିଲ୍ଲୀ: ରାଜନୈତିକ ପାଣ୍ଠିରେ ସ୍ୱଚ୍ଛତା ଆଣିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ନଗଦ ଚାନ୍ଦାର ବିକଳ୍ପ ଭାବରେ ୨୦୧୮ରେ ଦିଆଯାଇଥିବା ଇଲେକ୍ଟୋରାଲ (ନିର୍ବାଚନୀ) ବଣ୍ଡ୍ ସ୍କିମ୍କୁ ସୁପ୍ରିମ୍କୋର୍ଟ ଆଜି ରଦ୍ଦ କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ପୀଠ ଏହି ଯୋଜନାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଦୁଇଟି ପୃଥକ କିନ୍ତୁ ସର୍ବସମ୍ମତ ରାୟ ଶୁଣାଇଛନ୍ତି। ଇଲେକ୍ଟୋରାଲ ବଣ୍ଡକୁ ନେଇ ସୁପ୍ରିମ୍ କୋର୍ଟଙ୍କ ପ୍ରମୁଖ ମନ୍ତବ୍ୟ:
ନିର୍ବାଚନୀ ବଣ୍ଡ୍ ସ୍କିମ୍ ସ୍ବଚ୍ଛ ବ୍ୟବସ୍ଥା ଉପରେ ପର୍ଯ୍ୟବସିତ ନଥିବାରୁ ଏହାକୁ ଅସାମ୍ବିଧାନିକ ଘୋଷଣା କରାଯାଉଛି।
ଏହା ନାଗରିକଙ୍କ ସୂଚନା ଅଧିକାରକୁ ଉଲ୍ଲଂଘନ କରୁଛି।
ଇଲେକ୍ଟୋରାଲ ବଣ୍ଡ୍ ଜାରି କରିବା ଉପରେ ବ୍ୟାଙ୍କ ତୁରନ୍ତ ରୋକ୍ ଲଗାଇବ। ଏସ୍ବିଆଇ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ହୋଇଥିବା ଚାନ୍ଦାର ବିବରଣୀ ଏବଂ ଅନୁଦାନ ପାଇଥିବା ରାଜନୈତିକ ଦଳର ବିବରଣୀ ପ୍ରଦାନ କରିବ।
ଗୁପ୍ତ ବ୍ୟବସ୍ଥାରେ ଦାନ ଓ ଏହା ବଦଳରେ ଅନୈତିକ ପ୍ରତିଦାନ ସମ୍ଭବ ଥିବାରୁ ଏଥିରେ ଅଙ୍କୁଶ ଜରୁରୀ।
ସମସ୍ତ ରାଜନୈତିକ ଚାନ୍ଦା ସାର୍ବଜନୀନ ନୀତିରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଦିଆଯାଏ ନାହିଁ। ଛାତ୍ରଛାତ୍ରୀ, ଶ୍ରମିକଙ୍କ ସମେତ ବିଭିନ୍ନ ବର୍ଗ ମଧ୍ୟ ଏଥିରେ ସହଯୋଗ କରିଥାନ୍ତି। କେବଳ କିଛି ଭିନ୍ନ ଉଦ୍ଦେଶ୍ୟରେ ଚାନ୍ଦା ଦିଆଯାଇଥିବାରୁ ରାଜନୈତିକ ଚାନ୍ଦାକୁ ଗୋପନୀୟତାର ଛତ୍ରଛାୟାରେ ରଖାଯିବା ଅନୁଚିତ ନୁହେଁ।
ବ୍ୟକ୍ତିବିଶେଷଙ୍କ ଅବଦାନ ଅପେକ୍ଷା ରାଜନୈତିକ ପ୍ରକ୍ରିୟା ଉପରେ କମ୍ପାନିମାନଙ୍କର ଅଧିକ ଗଭୀର ପ୍ରଭାବ ରହିଛି। କଂପାନିଗୁଡ଼ିକର ଚାନ୍ଦା ପ୍ରଦାନ ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ କାରବାର। ଧାରା ୧୮୨ କମ୍ପାନି ଆଇନରେ ସଂଶୋଧନ ଆଣି କଂପାନି ଓ ବ୍ୟକ୍ତିବିଶେଷଙ୍କୁ ସମାନ ବ୍ୟବହାର କରିବା ଗ୍ରହଣୀୟ ନୁହେଁ।
କଳାଧନ ରୋକିବା ପାଇଁ ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ଏକମାତ୍ର ଯୋଜନା ନୁହେଁ। ଅନ୍ୟ ବିକଳ୍ପ ମଧ୍ୟ ରହିଛି। ରାଜନୈତିକ ସଂପୃକ୍ତି ବାବଦରେ ଗୋପନୀୟତାର ଏଭଳି ପ୍ରୟୋଗ ଗ୍ରହଣୀୟ ନୁହେଁ।
ଏହି ସ୍କିମ୍ରେ ଆୟକର ଆଇନ ବ୍ୟବସ୍ଥା ଏବଂ ଜନପ୍ରତିନିଧି ଆଇନର ଧାରା ୨୯ସିରେ ସଂଶୋଧନ ଆଣି ଏହାକୁ ସମୟର ଆବଶ୍ୟକତା ବୋଲି ଘୋଷଣା କରାଯାଇଛି। କମ୍ପାନି ଆଇନରେ ଏଭଳି ସଂଶୋଧନ ଅସାମ୍ବିଧାନିକ।
ବିକ୍ରି ହୋଇଛି ୧୬,୫୧୮ କୋଟି ଟଙ୍କାର ବଣ୍ଡ୍
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ବଜେଟ୍ ଅଧିବେଶନରେ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଥିଲେ ଯେ ଏସ୍ବିଆଇ ମାଧ୍ୟମରେ ୩୦ଟି ପର୍ଯ୍ୟାୟରେ ୧୬,୫୧୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ବିକ୍ରି ହୋଇଛି। ସୂଚନାଯୋଗ୍ୟ, ନିର୍ବାଚନୀ ବଣ୍ଡ୍ ଜରିଆରେ ଶାସକ ବିଜେପି ୨୦୨୨-୨୩ରେ ପ୍ରାୟ ୧୩୦୦ କୋଟି ଟଙ୍କା ପାଇଛି, ଯାହା କି ସେହି ସମୟ ମଧ୍ୟରେ କଂଗ୍ରେସକୁ ମିଳିଥିବା ଟଙ୍କାଠାରୁ ୭ ଗୁଣ ଅଧିକ। ୨୦୨୨-୨୩ରେ ବିଜେପିର ମୋଟ ଆୟ ୨,୧୨୦ କୋଟି ଟଙ୍କା ଥିଲା, ଯେଉଁଥିରୁ ୬୧ ପ୍ରତିଶତ ଇଲେକ୍ଟୋରାଲ ବଣ୍ଡରୁ ଆସିଛି ବୋଲି ଦଳର ବାର୍ଷିକ ଅଡିଟ୍ ରିପୋର୍ଟରେ କୁହାଯାଇଛି। କଂଗ୍ରେସ ଇଲେକ୍ଟୋରାଲ ବଣ୍ଡ୍ରୁ ୨୨-୨୩ରେ ୧୭୧ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ଆୟ ୨୩୬ କୋଟି ଟଙ୍କା ଥିଲା। ସମାଜବାଦୀ ପାର୍ଟି ୨୦୨୧-୨୨ରେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ୩.୨ କୋଟି ଟଙ୍କା ଆୟ କରିଥିଲା। ୨୦୨୨-୨୩ରେ ଏହି ବଣ୍ଡରୁ ସପାକୁ କୌଣସି ଅନୁଦାନ ମିଳିନଥିବା ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟ ଏକ ଆଞ୍ଚଳିକ ଦଳ ଟିଡିପି ୨୦୨୨-୨୩ରେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ୩୪ କୋଟି ଟଙ୍କା ଆୟ କରିଛି, ଯାହା କି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୦ ଗୁଣ ଅଧିକ।
ଇଲେକ୍ଟୋରାଲ ବଣ୍ଡ୍ କ’ଣ?
ଇଲେକ୍ଟୋରାଲ ବଣ୍ଡ୍ ବା ନିର୍ବାଚନୀ ବଣ୍ଡ୍ ହେଉଛି ଏକ ଯୋଜନା ଯାହା ଭାରତରେ ବ୍ୟକ୍ତି ବିଶେଷ କିମ୍ବା କମ୍ପାନିଦ୍ୱାରା କ୍ରୟ କରାଯାଇପାରୁଥିବା ବାହକ ବଣ୍ଡ୍ ଭାବେ କାର୍ଯ୍ୟ କରିଥାଏ। ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ଏହି ବଣ୍ଡ୍ ବିଶେଷ ଭାବରେ ଜାରି କରାଯାଏ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ଜାରି କରାଯାଇଥିବା ଏହି ବଣ୍ଡ୍ଗୁଡ଼ିକ ୧ ହଜାର, ୧୦ ହଜାର, ୧ ଲକ୍ଷ, ୧୦ ଲକ୍ଷ ଏବଂ ୧ କୋଟି ଟଙ୍କା ଆକାରରେ ବିକ୍ରି ହେଉଛି। କର୍ପୋରେଟ୍ ଏବଂ ଏପରିକି ବିଦେଶୀ ସଂସ୍ଥାଦ୍ୱାରା ଏହି ଯୋଜନା ଅଧୀନରେ ଦିଆଯାଇଥିବା ଦାନକୁ ଶତ ପ୍ରତିଶତ ଟିକସ ଛାଡ଼ ମିଳିଥିବା ବେଳେ ଦାତାମାନଙ୍କ ପରିଚୟ ଗୋପନୀୟ ରଖାଯାଉଛି। କେବଳ ବ୍ୟାଙ୍କ ଏବଂ ଗ୍ରହଣକାରୀ ରାଜନୈତିକ ଦଳ ଏ ବାବଦ ତଥ୍ୟ ହାସଲ କରିପାରୁଛନ୍ତି।
କେମିତି ଆସିଥିଲା ସ୍କିମ୍ ଏବଂ ମାମଲା କୋର୍ଟରେ ପହଞ୍ଚିଲା କେମିତି ?
୨୦୧୭ ବଜେଟ୍ ଅଧିବେଶନରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ପ୍ରଥମେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ଜାନୁଆରିରେ ଅର୍ଥ ଆଇନ ଓ ଜନପ୍ରତିନିଧି ଆଇନରେ ସଂଶୋଧନ ଆଣି ଅର୍ଥ ବିଲ୍ ଜରିଆରେ ଏହାକୁ ରାଜନୈତିକ ପାଣ୍ଠିର ଉତ୍ସ ଭାବେ ବିଜ୍ଞପ୍ତି ପ୍ରକାଶ କରାଗଲା। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର କମ୍ପାନି ଆଇନ, ଆୟକର ଆଇନର ବୈଦେଶିକ ଚାନ୍ଦା ନିୟନ୍ତ୍ରଣ ଆଇନ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଇନରେ କେତେକ ସଂଶୋଧନ କରିଛନ୍ତି। ତେବେ ଇଲେକ୍ଟୋରାଲ ବଣ୍ଡ୍ ଯୋଜନାର ସାମ୍ବିଧାନିକ ବୈଧତା ବିରୋଧରେ ସିପିଆଇ(ଏମ୍), କଂଗ୍ରେସ ଏବଂ କିଛି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ୍ ଦାଖଲ କରାଯାଇଥିଲା। ଗତ ବର୍ଷ ଅକ୍ଟୋବର ୩୧ ତାରିଖରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏହି ଯୋଜନାର ବୈଧତା ଏବଂ ଦେଶ ପାଇଁ ସମ୍ଭାବ୍ୟ ବିପଦ ସମେତ ଅନେକ ଯୁକ୍ତି ଉପସ୍ଥାପନ କରିଥିଲେ ଆବେଦନକାରୀ। ଆବେଦନକାରୀଙ୍କ କହିବା ଅନୁଯାୟୀ, ଏହି ଯୋଜନା ସୂଚନା ଅଧିକାରର ଉଲ୍ଲଂଘନ କରୁଛି ଏବଂ ସେଲ୍ କଂପାନିଗୁଡ଼ିକ ପାଇଁ ଦ୍ୱାର ଖୋଲିବା ସହ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛି। ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ, ଯେ କୌଣସି ରାଜନୈତିକ ଦଳ ଏହି ଚାନ୍ଦାକୁ ନିର୍ବାଚନ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ।