ଆର୍‌ଏସ୍‌ଏସ୍‌ଠୁ କାହିଁକି ଦୂରେଇ ଥିଲେ ବାଜପେୟୀ? ସାମ୍ନାକୁ ଆସିଲା ବାନ୍ଧବୀ ରାଜକୁମାରୀଙ୍କ ଭୂମିକା

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଜୀବନ ବିବାହ କରି ନ ଥିଲେ ସତ; କିନ୍ତୁ ପ୍ରେମ କରୁଥିଲେ। ଗ୍ବାଲିୟରର ସହପାଠିନୀ ବାନ୍ଧବୀ ରାଜକୁମାରୀ କୌଲଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିଥିଲା। ଏହାକୁ ନେଇ ଆର୍‌ଏସ୍‌ଏସ୍‌ରେ ଝଡ଼ ମଧ୍ୟ ଉଠିଥିଲା। ତେବେ ବାଜପେୟୀ ତାଙ୍କ ପ୍ରେମରୁ ପଛକୁ ହଟି ନଥିଲେ। ସେଥିପାଇଁ ଉଦାରବାଦୀ ବାଜପେୟୀଙ୍କୁ ଆରଏସ୍‌ଏସ୍‌ର ଘନିଷ୍ଠ ମହଲରୁ ବାହାରେ ରଖାଯାଇଥିଲା। ବାଜପେୟୀଙ୍କ ଏହି ପ୍ରେମ ଏବଂ ତାଙ୍କ ରାଜନୈତିକ ଜୀବନରେ ଏହାର ଭୂମିକା ସଂପର୍କରେ ଏଭଳି ରୋଚକ ବିଷୟକୁ ପଦାକୁ ଆଣିଛି ରାଜନୀତି ବିଜ୍ଞାନୀ ତଥା ଲେଖକ ବିନୟ ସୀତାପତିଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଯୁଗଳବନ୍ଦୀ-ଦି ବିଜେପି ବିଫୋର ମୋଦୀ’।

ଟାଇମ୍ସ ଅଫ୍‌ ଇଣ୍ଡିଆର ୱେବ୍‌ ପୋର୍ଟାଲ୍‌ରେ ଆଜି ଏ ସମ୍ପର୍କିତ ଖବର ପ୍ରକାଶିତ ହେବାପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ପୁସ୍ତକରେ ଉଲ୍ଲେଖ ଅଛି ଯେ ବାଜପେୟୀ ଲୋକସଭା‌ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଦିଲ୍ଲୀର ରାମଜସ୍‌ କଲେଜକୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା। ଶ୍ରୋତାଙ୍କ ମଧ୍ୟରେ ଥିଲେ ବ୍ରିଜନାଥ କୌଲ୍‌ ନାମକ ଜଣେ ମଧ୍ୟବୟସ୍କ ଦର୍ଶନ ବିଭାଗ ପ୍ରଫେସର ଆଉ ତାଙ୍କ ପତ୍ନୀ ରାଜକୁମାରୀ କୌଲ। ୧୯୪୧ ମସିହାରେ ବାଜପେୟୀ ଓ ରାଜକୁମାରୀ ଗ୍ବାଲିୟରର ଭିକ୍ଟୋରିଆ କଲେଜରେ ଏକାଠି ପଢ଼ୁଥିଲେ। ଆଉ ସେତିକିବେଳେ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ ମଧ୍ୟ କୌଣସି କାରଣରୁ ଏହା ବିବାହ ପର୍ଯ୍ୟନ୍ତ ଆଗେଇ ପାରି ନ ଥିଲା। ଏହାର ପ୍ରାୟ ୧୬ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ଦେଖା‌ସାକ୍ଷାତ ବି ହୋଇ ନଥିଲା। ରାଜକୁମାରୀ ବ୍ରିଜନାଥଙ୍କୁ ବିବାହ କରିଥିବା କଥା ବାଜପେୟୀ ଜାଣି ନ ଥିଲେ। ତେବେ ରାମଜସ୍‌ କଲେଜରେ ଭାଷଣ ଦେବାକୁ ଆସିବା ପରେ ସେଠାରେ ହୋଇଥିବା ଦେଖାସାକ୍ଷାତ ସେମାନଙ୍କ ପୁରୁଣା ସଂପର୍କକୁ ତାଜା କରିଦେଲା। ସେଦିନର ସାକ୍ଷାତ ପରେ ବାଜପେୟୀ କୌଲ୍‌ ଦମ୍ପତିଙ୍କ ଘରକୁ ନିୟମିତ ଯା’ଆସ କରିବା ଆରମ୍ଭ କରିଥିଲେ। ଏହା ଥିଲା ୬୦ ଦଶକର କଥା। ପ୍ରଫେସର କୌଲ ରାମଜାସ ‌ହଷ୍ଟେଲର ୱାର୍ଡେନ ଥିବା ସମୟରେ ବାଜପେୟୀ ତାଙ୍କ କଳାରଙ୍ଗର ସରକାରୀ ଆମ୍ବାସଡର କାର୍‌ କୌଲଙ୍କ ବାସଭବନ ଆଗରେ ଛିଡ଼ା ହୋଇ ରହିବା ଛାତ୍ରମାନେ ଦେଖି ଆସୁଥିଲେ। ଏହାପରେ ରାଜକୁମାରୀଙ୍କ ପିଲାମାନଙ୍କ ପ୍ରତି ବା‌ଜପେୟୀଙ୍କ ଶ୍ରଦ୍ଧା ବଢ଼ିବାରେ ଲାଗିଥିଲା। ବିଶେଷକରି ତାଙ୍କ ସାନ ଝିଅ ନମିତା (ଡାକନାମ ଗୁନୁ)ଙ୍କ ପ୍ରତି ସ୍ବତନ୍ତ୍ର ଭଲପାଇବା ଥିଲା, ଯାହାଙ୍କୁ ପରେ ସେ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ।

‘ଯୁଗଳବନ୍ଦୀ-ଦି ବିଜେପି ବିଫୋର ମୋଦୀ’ ପୁସ୍ତକରେ ରହସ୍ୟ ଉନ୍ମୋଚିତ
ସାମ୍ନାକୁ ଆସିଲା ବାଜପେୟୀଙ୍କ ବାନ୍ଧବୀ ରାଜକୁମାରୀଙ୍କ ଭୂମିକା

ସୀତାପତି ତାଙ୍କ ପୁସ୍ତକରେ ଆହୁରି ଲେଖିଛନ୍ତି ଯେ ବାଜପେୟୀ ଓ ରାଜକୁମାରୀଙ୍କ ମଧ୍ୟରେ ପ୍ରେମ ସଂପର୍କର ମୁଖ୍ୟ ଆକର୍ଷଣ ଥିଲା ବୌଦ୍ଧିକ ଜ୍ଞାନ। ରାଜନୈତିକ ପ୍ରସଙ୍ଗକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ ବିତର୍କ ହେଉଥିଲା। ସହରରେ ବଢ଼ିଥିବା ରାଜକୁମାରୀ ଇଂରାଜୀ ଭାଷାରେ ନରମ ସ୍ବରରେ ଅନର୍ଗଳ କଥା ହୋଇପାରୁଥିବାବେଳେ ବାଜପେୟୀ ତାଙ୍କର ସ୍ବାଭାବିକ ଗୁରୁଗମ୍ଭୀର ସ୍ବରରେ କଥା ହେଉଥିଲେ। କଶ୍ମୀରର ପଣ୍ଡିତ ସଂପ୍ରଦାୟର ରାଜକୁମାରୀ ୬୦ ଦଶକରେ କାଶ୍ମୀରର ତଥାକଥିତ ପଣ୍ଡିତ ମାଫିଆମାନେ କିଭଳି ପ୍ରଥମେ ନେ‌ହରୁ ଏବଂ ପରେ ଇନ୍ଦିରାଙ୍କୁ ଘେରି ରହିଥିଲେ ‌ତାହା ସେ ବୁଝିପାରିଥିଲେ। କେବଳ ସେତିକି ନୁହେଁ; ରାଜକୁମାରୀଙ୍କର ଇନ୍ଦିରା ଗାନ୍ଧୀଙ୍କ ସହିତ ରକ୍ତଗତ ସଂପର୍କ ମଧ୍ୟ ରହିଥିଲା। ଇନ୍ଦିରା‌ଙ୍କ ଦୂର ସଂପର୍କୀୟା ଭଉଣୀ ହୋଇଥିବାରୁ ରାଜକୁମାରୀ ଜଣେ ଅତ୍ୟନ୍ତ ଉଦାର ଚିନ୍ତାଧାରାର ମହିଳା ଥିଲେ। ତେଣୁ ସେ ବାଜପେୟୀଙ୍କୁ ଉଦାରବାଦୀ ହେବାକୁ ପ୍ରଭାବିତ କରି ପାରୁଥିଲେ।

The Sunday Guardian

କିନ୍ତୁ ବାଜପେୟୀ-ରାଜକୁମାରୀଙ୍କ ଏଭଳି ସଂପର୍କ ଆରଏସ‌୍ଏସ୍‌ ପାଇଁ କଣ୍ଟା ହୋଇଥିଲା। କୌଲଙ୍କ ଜଣେ ପାରିବାରିକ ବନ୍ଧୁଙ୍କ କହିବାନୁଯାୟୀ, ବାଜପେୟୀ ସେତେବେଳେ ଆରଏସ୍‌ଏସ୍‌ର ପ୍ରମୁଖ ଯୁବ ଚେହେରା ଥିଲେ। କିନ୍ତୁ ରାଜକୁମାରୀଙ୍କ ସହିତ ସଂପର୍କ ଦୃଢ଼ ହେବା ପରେ ବାଜପେୟୀ ଅଧିକ ନରମ, ଧର୍ମ ନିରପେକ୍ଷ ଏବଂ ବିଶ୍ବବାଦୀ ହେବାରେ ଲାଗିଥିଲେ। ପତ୍ନୀ ରାଜକୁମାରୀଙ୍କ ସହିତ ବାଜପେୟୀଙ୍କ ସଂପର୍କକୁ ପତି ପ୍ରଫେସର କୌଲ ମଧ୍ୟ କେବେ ବିରୋଧ କରି ନଥିଲେ।

ବାଜପେୟୀଙ୍କ ଉପରେ ରାଜକୁମାରୀଙ୍କ ମାତ୍ରାଧିକ ପ୍ରଭାବକୁ ନେଇ ଆରଏସ୍‌ଏସ୍‌ ଶିବିର ଚିନ୍ତିତ ଥିଲା। ଏ ବିଷୟରେ ଜାଣିବା ପରେ ସଂଘର ମୁଖ୍ୟ ଏମ୍‌ଏସ୍‌ ଗୋଲୱାଲକର ସଂଘର ଅନ୍ୟ ନେତାଙ୍କ ସହ ଆଲୋଚନା ପାଇଁ ୧୯୬୫ରେ ଟ୍ରେନ ଯୋଗେ ସିଧା ନାଗପୁରରୁ ଦିଲ୍ଲୀସ୍ଥିତ ଆରଏସ୍‌ଏସ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଆଲୋଚନାର ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ ଗୋଟିଏ ଥିଲା ରାଜକୁମାରୀଙ୍କ ବିଷୟରେ କ’ଣ କରାଯିବ? ବୈଠକରେ ଯୋଗ ଦେଇଥିବା ଉତ୍ତର ପ୍ରଦେଶ ପ୍ରାନ୍ତ ପ୍ରଚାରକ ଭାଉସାହେବ ଦେଓରାସ କହିଥିଲେ, ଯେତେଦିନ ପର୍ଯ୍ୟନ୍ତ ଏହା ପ୍ରଘଟ ହୋଇନାହିଁ ତାହା ଠିକ୍‌ ଅଛି। କିନ୍ତୁ ଜନସଂଘର କୋଷାଧ୍ୟକ୍ଷ ନାନାଜୀ ଦେଶମୁଖ ଏଥିସହ ଏକମତ ହୋଇ ନଥିଲେ। ଦେଶମୁଖ କହିଥିଲେ ବାଜପେୟୀ ରାଜକୁମାରୀଙ୍କୁ ବିବାହ କରନ୍ତୁ। ଏସବୁ ଶୁଣିବା ପରେ ରାଜକୁମାରୀଙ୍କ ସହିତ ସଂପର୍କ ଛିନ୍ନ କରିବା ପାଇଁ ବାଜପେୟୀଙ୍କୁ ଗୋଲୱାଲକର ପରାମର୍ଶ ଦେଇଥିଲେ। କିନ୍ତୁ ବାଜପେୟୀ ଏହା କରିବାକୁ ମନା କରିଦେଇଥିଲେ ବୋଲି ବୈଠକରେ ଉପସ୍ଥିତ ଥିବା ଦତ୍ତୋପନ୍ତ ଥେଙ୍ଗାଡ଼ି ପରବର୍ତ୍ତୀ ସମୟରେ ତାଙ୍କର ଜଣେ ସହଯୋଗୀଙ୍କୁ କହିଥିଲେ। ତାହାପରେ ନିଷ୍ପତ୍ତି ନିଆଯାଇଥିଲା ଯେ ବାଜପେୟୀଙ୍କୁ ଆରଏସ୍‌ଏସ୍‌ର ଘନିଷ୍ଠ ମହଲରୁ ବାହାରେ ରଖାଯିବ। ସେବେଠାରୁ ଆରଏସ୍‌ଏସ୍‌ ଓ ବାଜପେୟୀ ପରସ୍ପରକୁ ବିଶ୍ବାସକୁ ନେଲେନାହିଁ। କେବଳ ଆବଶ୍ୟକ ସମୟରେ ପରସ୍ପରର ସହଯୋଗ ନେଉଥିଲେ।

ଏ ସଂପର୍କରେ ଆଉ ଏକ ଘଟଣା ବର୍ଣ୍ଣନା କରି ସୀତାପତି ଲେଖିଛନ୍ତି; ବାଜପେୟୀଙ୍କ ଘନିଷ୍ଠ ବନ୍ଧୁ ଲାଲକୃଷ୍ଣ ଆଡଭାନୀ ମଧ୍ୟ ରାଜକୁମାରୀ ଓ ବାଜପେୟୀଙ୍କ ସଂପର୍କ ବିଷୟରେ ଦୀର୍ଘ ୩୦ ବର୍ଷ ଧରି ଜାଣିଥିଲେ। କିନ୍ତୁ ବାଜପେୟୀ ପ୍ରଧାନମନ୍ତ୍ରୀ ହେବା ପରେ ରାଜକୁମାରୀଙ୍କ ଝିଅ ନମିତା ଓ ଜାଇଁ ରଂଜନ ଭଟ୍ଟାଚାର୍ଯ୍ୟ କ୍ଷମତାର ଉପଭୋଗ କରୁଥିବା ବିଷୟ ଆଡ଼ଭାନୀଙ୍କ ପାଇଁ ଗ୍ରହଣ କରିବା କଷ୍ଟକର ଥିଲା। ୨୦୦୧ ମେ’ ମାସରେ ପ୍ରଧାନମନ୍ତ୍ରୀ ବାଜପେୟୀ ଗୃହମନ୍ତ୍ରୀ ଆଡଭାନୀଙ୍କ ଘରକୁ ଏକ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିବା ସମୟରେ ଆଡଭାନୀ ତାଙ୍କ ଅନ୍ତରର ବେଦନା ବାଜ‌ପେୟୀଙ୍କୁ କହିଥିଲେ। ଆଡଭାନୀ କହିଥିଲେ କେବଳ ତାଙ୍କ ପରିବାରର ଅନ୍ୟ ସଦସ୍ୟ ନୁହନ୍ତି; ରାଜକୁମାରୀ ମଧ୍ୟ ତାଙ୍କୁ ସାଁପନାଥ (ସର୍ପନାଥ) ବୋଲି ଡାକୁଛନ୍ତି। ବାଜପେୟୀ ମଧ୍ୟ ତାଙ୍କ ମନର ‌କଥା କହିବାକୁ ଯାଇ ପଚାରିଥିଲେ ଯେ ଆଡଭାନୀଙ୍କ ନିକଟତମ ବ୍ୟକ୍ତିମାନେ କାହିଁକି ଗଣମାଧ୍ୟମରେ ତାଙ୍କ ଝିଅ ଓ ଜ୍ବାଇଁଙ୍କ ବିଷୟରେ ଖବର ପ୍ରଘଟ କରୁଛନ୍ତି ? ଆରଏସ୍‌ଏସ୍‌ ପକ୍ଷରୁ ତାଙ୍କ ବିରୋଧରେ କାହିଁକି ନିନ୍ଦାସୂଚକ ମନ୍ତବ୍ୟ ଦିଆଯାଉଛି? ଉତ୍ତରରେ ଆଡଭାନୀ କହିଥିଲେ ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁଁ ସମାଲୋଚନା ଗୁଡ଼ିକ ବ୍ୟକ୍ତିଗତସ୍ତରକୁ ଯାଇ ତାଙ୍କୁ କରାଯାଇ ନଥିଲା। କେବଳ ସାଧାରଣଭାବେ ସମାଲୋଚନା ହେଉଥିଲା। ଏହି ଉତ୍ତରରୁ ବାଜପେୟୀ ଆଡଭାନୀଙ୍କ ମନ କଥା ବୁଝିଯାଇଥିଲେ। ତେଣୁ ଏହା ପରଠୁ ବାଜପେୟୀ ଆରଏସ୍‌ଏସ୍‌ ଓ ଆଡଭାନୀଙ୍କୁ ଅଣ‌ଦେଖା କରି ନଥିଲେ, ବରଂ ସେହି ସ୍ଥିତିରେ ଆଗକୁ ବଢ଼ିବାକୁ ପ୍ରୟାସ କରିଥିଲେ ବୋଲି ପୁସ୍ତକରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର