ଲ‌କ୍ଷ୍ନୌ : ଚଳିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ‌ରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଜୋରଦାର ଲଢ଼େଇ ହେବ। ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାର କରହାଲ ଆସନରୁ ଅଖିଳେଶ ନିର୍ବାଚନ ଲଢ଼ିବେ ବୋଲି ଗତ ଗୁରୁବାର ଘୋଷଣା ହୋଇଥିଲା। ଗତବର୍ଷ ନଭେମ୍ବର ସୁଦ୍ଧା ଅଖିଳେଶ ନିର୍ବାଚନ ଲଢ଼ିବାପାଇଁ ଇଚ୍ଛୁକ ନଥିଲେ। କିନ୍ତୁ ପରେ ଅଖିଳେଶ ନିଜ ନିଷ୍ପତ୍ତି ବଦଳାଇ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ। ପ୍ରଥମେ ଦଳୀୟ ନେତୃବୃନ୍ଦ ଆଜମଗଡ଼ ସ୍ଥିତ ଗୋପାଳପୁର ଆସନରୁ ଅଖିଳେଶ ଲଢ଼ିବେ ବୋଲି ସ୍ଥିର କରିଥିଲେ। ସମ୍ଭଲ୍‌ ଜିଲ୍ଲାର ଗୁନୌର ଆସନ ମଧ୍ୟ ଅଖିଳେଶଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଛି। କରହଲ୍‌ ଆସନରୁ ଅଖିଳେଶ ଲଢ଼ିବା ପଛରେ ବିଭିନ୍ନ କାରଣ ହେଉଛି। ପ୍ରଥମ କାରଣଟି ହେଉଛି କରହାଲରେ ଯାଦବ ପରିବାରର ଦଖଲ ରହିଛି। ଉକ୍ତ ଆସନରୁ ଅଖିଳେଶ ନିର୍ବାଚନ ଲଢ଼ିବାଦ୍ବାରା ଏହାର ପ୍ରଭାବ ସମଗ୍ର ଆଗ୍ରା କାନପୁର ଏବଂ ଆଲିଗଡ଼ ଅଞ୍ଚଳରେ ପଡ଼ିବ।

Advertisment

୨୦୧୭ ବିଧାନସଭା ନିର୍ବାଚନରେ ଯାଦବ ବଂଶରେ ଯେଉଁ ଲଢ଼େଇ ହୋଇଥିଲା ସେ ସମୟରେ କିଛି ନେତା ଶିବପାଲ୍‌ଙ୍କ ସହ ହାତ ମିଳାଇଥିଲେ। ତେଣୁ ଚାଚା ପୁଣିଥରେ ଅଖିଳେଶଙ୍କ ସହ ହାତ ମିଳାଇବାକୁ ସେମାନେ ପସନ୍ଦ କରିନାହାନ୍ତି। ଏହା କାଳେ ସପାର ନିର୍ବାଚନୀ ଯୋଜନା ଉପରେ କିଛି ପ୍ରଭାବ ପକାଇବ ସେଥିପାଇଁ ଅଖିଳେଶଙ୍କୁ କରହଲରୁ ପ୍ରାର୍ଥୀ କରାଯାଇଛି।