ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିକ୍ଷୋଭକାରୀ ଅକ୍ତିଆର କରିବା ପରେ ସ୍ଥିତି ନିୟନ୍ତ୍ରଣ ଲାଗି ସେନାକୁ ଆଦେଶ ଦେଲେ ବିକ୍ରମସିଂଘେ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ବୁଧବାର ସକାଳେ ଦେଶ ଛାଡି ପଳାୟନ କରିବା ପରେ ସେଠାର ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ବିକ୍ଷୋଭକାରୀମାନେ କାମଚଳା ରାଷ୍ଟ୍ରପତି ତଥା ପ୍ରଧାନମମନ୍ତ୍ରୀ ରାନିଲ୍ ବିକ୍ରମସିଂଘେଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ଭଙ୍ଗାରୁଜା କରିବା ପରେ ସେନାକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଏକତ୍ରିତ ହୋଇଥିବା ବିକ୍ଷୋଭକାରୀମାନେ କଲମ୍ବୋର ଫ୍ଲାୱାର ରୋଡରେ ଥିବା ତାଙ୍କ ବାସଭବନକୁ ମଧ୍ୟ  ଅକ୍ତଆର ନେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କା ନାଗରିକ ବିକ୍ରମସିଂଘେଙ୍କୁ ମଧ୍ୟ କ୍ଷମତାରେ ଦେଖିବାକୁ ଚାହୁନାହାନ୍ତି। ଦେଶର ଦୁସ୍ଥିତି ଲାଗି ଶ୍ରୀଲଙ୍କାର ଆନ୍ଦୋଳନକାରୀ ଗୋଟାବାୟା ଓ ବିକ୍ରମସିଂଘେଙ୍କୁ ଦାୟୀ କରୁଛନ୍ତି।

କଲମ୍ବୋ ରାସ୍ତାରେ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଧସେଇ ପଶିବା ବେଳେ ସେମାନଙ୍କୁ ଘଉଡାଇବା ପାଇଁ ସୁରକ୍ଷା କର୍ମୀମାନେ ଆଜି ଲୁହବୁହା ଗ୍ୟାସ  ଚଳାଇଥିଲେ। ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ଶ୍ରୀଲଙ୍କା ‘ଡେଲି ମିରର୍’ ରିପୋର୍ଟ ଅନୁଯାୟୀ ଆହତ ୪ ଜଣଙ୍କ ବୟସ ୧୭ରୁ ୨୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି କଲମ୍ବୋ ନ୍ୟାସନାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ନିଯୁକ୍ତ ହେବା ପରେ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଏବଂ ଦେଶର ପଶ୍ଚିମ ପ୍ରଦେଶରେ କର୍ଫ୍ୟୁ ଲାଗୁ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଚାରିପାଖରେ ଆକାଶମାର୍ଗରୁ ପାଟ୍ରୋଲିଂ ମଧ୍ୟ ଆରମ୍ଭ ହୋଇଥିଲା।

ଗୋଟାବାୟା ରାଜପାକ୍ଷେ ମାଳଦ୍ୱୀପ ପଳାୟନ କରିବା ପରେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଥିବା ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ବୁଧବାର ଦିନ ବିକ୍ଷୋଭକାରୀମାନେ ତାଙ୍କ କାର୍ଯ୍ୟାଳୟରେ ପଶିବା ପରେ ସଶସ୍ତ୍ର ବାହିନୀକୁ ଶୃଙ୍ଖଳା ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀଲଙ୍କାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡ଼ି ଫେରାର ହୋଇଯିବା ପରେ ଦେଶର ଜନତା ଆନ୍ଦୋଳନକୁ ତୀବ୍ର କରିଛନ୍ତି । ବୁଧବାରଦିନ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ତଥା କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ବାସଭବନରେ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି । ସେହିପରି ଶ୍ରୀଲଙ୍କାର ସରକାରୀ ଟେଲିଭିଜନ ଚ୍ୟାନେଲ ଶ୍ରୀଲଙ୍କା ରୂପବାହିନୀ କର୍ପୋରେସନର ଷ୍ଟୁଡିଓକୁ ଅକ୍ତିଆର କରିନେଇଛନ୍ତି ଉଗ୍ର ଜନତା । ଏହା ଫଳରେ ଲାଇଭ ଟିଭି ପ୍ରସାରଣକୁ ବନ୍ଦ କରିଦିଆଯାଇଛି । କେତେକ ବିକ୍ଷୋଭକାରୀ ଯୁବକ ଟିଭି ପ୍ରସାରଣ ଚାଲିଥିବାବେଳେ ଷ୍ଟୁଡିଓରେ ପ୍ରବେଶକରି ଆନ୍ଦୋଳନ ସଂପର୍କରେ ଭାଷଣ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କାରେ ଆନ୍ଦୋଳନ ତୀବ୍ର ହେବାରୁ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଏହା ପରେ ବିଭିନ୍ନ ସହର ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସେନା ମୁତୟନ ହୋଇଥିଲେ ବି ଆନ୍ଦୋଳନ ଜାରି ରହିଛି । କେତେକ କ୍ଷେତ୍ରରେ ସେନା ଆନ୍ଦୋଳନକାରୀଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି ।

ଅନ୍ୟପକ୍ଷରେ ମାଳଦ୍ବୀପ ପଳାଇଯାଇଥିବା ଗୋଟାବାୟା ରାଜପକ୍ଷେ ସେଠାରୁ ସିଂଗାପୁର ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କଲମ୍ବୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଥିବା ଆମେରିକୀୟ ଦୂତାବାସ ନିଜର ସମସ୍ତ ସେବାକୁ ବନ୍ଦ କରିଦେଇଛି । ସ୍ଥିତିରେ ସୁଧାର ଆସିଲେ ସେବା ପୁଣି ଆରମ୍ଭ କରାଯିବ ବୋଲି ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର